News7 Logo

ସୁଧହାର ହ୍ରାସ କରିବେ ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ, ଜାଣନ୍ତୁ ଭାରତ ଉପରେ ପଡିବ କିପରି ପ୍ରଭାବ?

NEWS7
gfx

ନୂଆଦିଲ୍ଲୀ ୧୭।୯: ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାର ହ୍ରାସ ପାଇଁ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଏହାର ପ୍ରଭାବ ନା କେବଳ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଅନୁଭୂତ ହେବ ବରଂ ଭାରତ ଉପରେ ମଧ୍ୟ ପଡିବ। ଯଦି ଏପରି ହୁଏ ଏକ୍ସପର୍ଟଙ୍କ କହିବା କଥା ହେଉଛି ‘ଫେଡ ରେଟ କଟ୍’ ଯୋଗୁ ଭାରତୀୟ ଟଙ୍କା, ସେୟାର ବଜାର, ପେଟ୍ରୋଲ-ଡିଜେଲ ମୂଲ୍ୟ ଏପରିକି ବିଦେଶୀ ନିବେଶ (ଏଫଆଇଆଇ) ଉପରେ ମଧ୍ୟ ସିଧା ପ୍ରଭାବ ପଡିବ।

ଏହା ହୁଏତ ନିବେଶକଙ୍କ ପାଇଁ ଆଶ୍ୱସ୍ତିଜନକ ଖବର ହୋଇପାରେ, ହେଲେ ସାଧାରଣ ଲୋକଙ୍କ ପକେଟ୍ ଉପରେ ମଧ୍ୟ ପ୍ରଭାବ ପକାଇବ। ହେଲେ ଏବେ ପ୍ରଶ୍ନ ଉଠୁଛି ଭାରତର କେଉଁସବୁ କ୍ଷେତ୍ର ଉପରେ ଏହାର ଲଭା ଓ କ୍ଷତିର ପ୍ରଭାବ ପଡିବ?

ଡଲାର ଓ ଟଙ୍କା ଉପରେ ପ୍ରଭାବ
ଏକ୍ସପର୍ଟଙ୍କ ଅନୁସାରେ ଆମେରିକା ଯେବେ ସୁଧହାର ହ୍ରାସ କରେ ସେତେବେଳେ ଡଲାର ଟିକେ ନରମି ଯାଏ। ଏହାର ସିଧା ଲାଭ ଟଙ୍କା ଭଳି ଉଦୀୟମାନ ଅର୍ଥ ବ୍ୟବସ୍ଥାର କରେନ୍ସୀକୁ ମିଳିଥାଏ। ଟଙ୍କା ଦୃଢ ହେବା ସହିତ ଆମଦାନୀ (ତେଲ, ସୁନା ଓ ଇଲେକ୍ଟ୍ରୋନିକ୍ସ) ସାମାନ୍ୟ ଶସ୍ତା ହୋଇଥାଏ।

ବିଦେଶୀ ନିବେଶ ଫ୍ଲୋ
ସୁଧହାର କମିବାର ଅର୍ଥ ଆମେରିକୀୟ ନିବେଶକ ଅଧିକ ରିଟର୍ଣ୍ଣ ପାଇଁ ଭାରତ ଭଳି ବଜାରମାନଙ୍କରେ ଅର୍ଥ ଲଗାଣ କରିବେ। ଏହା ଦ୍ୱାରା ସେୟାର ବଜାରକୁ ପ୍ରୋତ୍ସାହନ ମିଳିବ ଓ ବଣ୍ଡ ମାର୍କେଟକୁ ମଧ୍ୟ ପଇସା ଆସିବ।

ଅଶୋଧିତ ତୈଳ ଓ କମୋଡିଟି
ମୁଦ୍ରାସ୍ପିତି ବଢିବା ଯୋଗୁ ଅଶୋଧିତ ତୈଳ, ସୁନା, ରୂପା ଓ ଅନ୍ୟ କମଡିଟି ମୂଲ୍ୟ ଉଚ୍ଚା ରହିପାରେ,ଯାହା ଭାରତ ଭଳି ଆମଦାନୀକାରୀ ଦେଶଙ୍କ ଲାଗି ଚିନ୍ତାର କାରଣ ହୋଇପାରେ। ତୈଳ ମହଙ୍ଗା ହେଲେ ପେଟ୍ରୋଲ, ଡିଜେଲ ଓ ପରିବହନ ମହଙ୍ଗା ହେବ। ଏଣୁ ଭାରତରେ ମୁଦ୍ରାସ୍ପିତି ଉପରେ ଚାପ ସୃଷ୍ଟି କରିପାରେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ପ୍ରଭାବ
ଯଦି ଫେଡ ସୁଧହାର ହ୍ରାସ କରନ୍ତି ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କୁ ମଧ୍ୟ ସୁଧହାର ହ୍ରାସ କରିବାକୁ ଚାପ ପଡିବ। ତେବେ ଭାରତରେ ମୁଦ୍ରାସ୍ପିତି (ଖାସ କରି ଖାଦ୍ୟ ପଦାର୍ଥ ଉପରେ) ଏବେ ବି ଉଚ୍ଚତମ ସ୍ତରରେ ରହିଛି। ଏଣୁ ଆରବିଆଇଙ୍କୁ ସନ୍ତୁଳନ କରିବାକୁ ପଡିବ। ଏଥିରେ ଯଦି ଆରବିଆଇ ସୁଧହାର ହ୍ରାସ କରନ୍ତି ତେବେ ବିକାଶକୁ ପ୍ରୋତ୍ସାହନ ମିଳିବ ଓ ଯଦି ସୁଧହାର ସମତୁଲ ରଖନ୍ତି ତେବେ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିବ।

ସାଧାରଣ ଲୋକଙ୍କ ଉପରେ ପ୍ରଭାବ
ପରିବର୍ତ୍ତନ ଦ୍ୱାରା ଯଦି ନିବେଶର ସ୍ରୋତ ବଢେ ତେବେ ସେୟାର ବଜାର ଉପରକୁ ଉଠିବ। ଟଙ୍କା ମଜଭୁତ ହେଲେ ଆମଦାନୀ ସାମଗ୍ରୀ (ମୋବାଇଲ, ଇଲେକ୍ଟ୍ରୋନିକ, ଇନ୍ଧନ) ଆଦି ସାମାନ୍ୟ ଶସ୍ତା ହୋଇପାରେ। ହେଲେ ଯଦି ତୈଳ ଓ ଅନ୍ତର୍ଜାତୀୟ ମୂଲ୍ୟ ବଢେ ତେବେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ସହ ଅନ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହେବ।

୨୫ ବେସିସ ପଏଣ୍ଟ କାଟ୍ କରିପାରେ ଫେଡ
ଆମେରିକା ଗଣମାଧ୍ୟମକୁ ବିଶ୍ୱାସ କରାଗଲେ ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ ୧୭ ସେପ୍ଟେମ୍ବର ବୁଧବାର ସୁଧହାରରେ ୨୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି। ଏହା ପରେ ଇଣ୍ଟରେଷ୍ଟ ରେଟ୍ ୪%ରୁ ୪.୨୫% ମଧ୍ୟରେ ରହିବ।

ଆମେରିକାରେ ନିୟନ୍ତ୍ରଣକୁ ଆସିବ ମୁଦ୍ରାସ୍ପିତି, ଶସ୍ତା ହେବ ଲୋନ
ଏକ୍ସପର୍ଟଙ୍କ ଅନୁସାରେ ସୁଧହାର ହ୍ରାସ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାରେ ମୁ୍ଦ୍ରାସ୍ପିତି କମିବ ଓ ଋଣ ଶସ୍ତା ହେବ। ରିପୋର୍ଟ ଅନୁସାରେ ଫେଡ ଗତବର୍ଷ ଅର୍ଥାତ ୨୦୨୪ରେ ୩ ଥର ସୁଧହାର ହ୍ରାସ କରିଥିଲେ। ଏଥିରେ ପ୍ରଥମ ଥର ୦.୨୫%, ନଭେମ୍ବରରେ ୫୦% ଓ ସେପ୍ଚେମ୍ବରରେ ୦.୨୫% ହ୍ରାସ କରିଥିଲେ। ସେବେଠାରୁ ଦେଶରେ ସୁଧହାର ୪.୨୫%ରୁ ୪.୫୦%ରେ ସୀମିତ ରହିଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ ଏହାର ଦ୍ୱାରା ନିର୍ଦ୍ଧାରଣ କରନ୍ତି ଯେ ବ୍ୟାଙ୍କ ନିଜନିଜ ମଧ୍ୟରେ ଋଣ ଦିଆନିଆ ହେଲେ ରାତିକ ପାଇଁ କେତେ ସୁଧ ପଡିବ।