ନୂଆଦିଲ୍ଲୀ, ୨୦|୧୧:ଆମେରିକାଠୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର କିଣିବ ଭାରତ । ଏଥିପାଇଁ ଉଭୟ ଦେଶ ମଧ୍ୟରେ ହୋଇଛି ବଡ ଡିଲ୍ । ପ୍ରାୟ ୯୩ ମିଲିୟନ ଡଲାରର ଅସ୍ତ୍ରଶସ୍ତ୍ର କ୍ରୟକୁ ନେଇ ମଞ୍ଜୁରି ପ୍ରଦାନ କରିଛି ୟୁଏସଏ । ଯାହା ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କକୁ ଆଉ ଥରେ ମଜବୁତ କରିଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ଗତ କିଛି ଦିନ ହେବ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଥିଲା । ଉଚ୍ଚ ଟାରିଫ କାରଣରୁ ଉଭୟ ଦେଶର ସମ୍ପର୍କରେ ଶିଥିଳତା ଆସିଥିଲା । ଆମେରିକା ପୂର୍ବରୁ ବାରମ୍ବାର ଋଷଠୁ ଅସ୍ତ୍ରଶସ୍ତ୍ର ନକିଣି ୟୁଏସଠୁ କିଣିବା ପାଇଁ କହି ଆସୁଥିଲା । ଭାରତ ଏବେ ଋଷ ସହ ଆମେରିକାଠୁ ମଧ୍ୟ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର କିଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

କୁହଯାଉଛି ଅସ୍ତ୍ରଶସ୍ତ୍ର ମଧ୍ୟରେ ନୂଆଦିଲ୍ଲୀ ପାଇଁ ଜାଭେଲିନ୍ ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଏବଂ ଏକ୍ସକାଲିବର୍ ପ୍ରିସିସନ୍ ଗାଇଡେଡ୍ ଆର୍ଟିଲାରୀ ରାଉଣ୍ଡସ ରହିଛି । ଏହାସହ ୧୦୦ଟି ଏଫଜିଏମ ୧୪୮, ୨୫ଟି ହାଲୁକା କମାଣ୍ଡ ଲଞ୍ଚ୍ ୟୁନିଟ୍, ୨୧୬ଟି ଆର୍ଟିଲାରୀ ରାଉଣ୍ଡସ ସାମିଲ ରହିଛି । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗ ତରଫରୁ ଆମେରିକା କଂଗ୍ରେସକୁ ସୂଚନା ଦିଆଯାଇଛି ।

ୟୁଏସ ପ୍ରତିରକ୍ଷା ବିଭାଗ କହିଛି ଯେ, ଭାରତ ଲାଉଫସାଇକେଲ ସପୋର୍ଟ, ସୁରକ୍ଷା ନିରୀକ୍ଷଣ, ସଂଚାଳକ ପ୍ରଶିକ୍ଷଣ ସମ୍ବନ୍ଧୀୟ ଅନେକ ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ଚାହୁଁଛି । ତେବେ ଏହି କ୍ରୟବିକ୍ରୟ ଉଭୟ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କକୁ ସୁଦୃଢ କରିବ । ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ମୁକାବିଲା ପାଇଁ ଭାରତର ଶକ୍ତି ବୃଦ୍ଧି କରିବ । ଏସବୁ ଖୁବ୍ ଶୀଘ୍ର ସେନାରେ ସାମିଲ ହେବ ବୋଲି ଜଣାପଡିଛି ।