News7 Logo

ଟାରିଫ ଭୟ ଧୂଆଁବାଣ, ଭାରତର ଗ୍ରୋଥ ରେଟକୁ ନେଇ ଆମେରିକୀୟ ଏଜେନ୍ସୀ ଦେଲେ Good News

NEWS7
Fitch ratings

ନୂଆଦିଲ୍ଲୀ ୧୦।୯: ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ ଭାରତୀୟ ଅର୍ଥ ବ୍ୟବସ୍ଥାର ବେଗ ଉପରେ ବ୍ରେକ ଲଗାଇ ପାରିବନି। ବିଦେଶୀ ରେଟିଂ ଏଜେନ୍ସୀ ‘ଫିଚ୍ ରେଟିଂ’ ଭାରତକୁ ନେଇ ଭଲ ଖବର ଦେଇଛି ଓ ନିଜ ରିପୋର୍ଟରେ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୬.୯% ହାରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବ ବୋଲି ଉଲ୍ଲେଖ କରିଛି। ଏହା ଫିଚ୍ ଦ୍ୱାରା ପୂର୍ବରୁ କରାଯାଇଥିବା ୬.୫%ର ଅନୁମାନଠାରୁ ଢେର ଅଧିକ।

ଏହା ଛଡା ରିପୋର୍ଟରେ ଏଜେନ୍ସୀ ଏକ ଭଲ ଅନୁମାନ ମଧ୍ୟ କରିଛି। ଏଥିରେ କୁହାଯାଇଛି ବର୍ଷ ଶେଷ ବେଳକୁ ଦେଶର ଲୋକଙ୍କୁ ରେପୋ ରେଟ୍ କଟ୍ ର ଏକ ବଡ଼ ଉପହାର ମଧ୍ୟ ମିଳିପାରେ। ଫିଚ୍ ରେଟିଂସ ୨୦୨୬ ଆର୍ଥିକ ବର୍ଷରେ ଭାରତର ଜିଡିପି ବିକାଶ ହାରକୁ ୪୦ ବେସିସ ପଏଣ୍ଟର ଜୋରଦାର ଅଭିବୃଦ୍ଧି ଦେଇଛି। ଅଭିବୃଦ୍ଧିର ଏହି ନୂଆ ଅନୁମାନ ଏପରି ସମୟରେ ଆସିଛି ଯେତେବେଳେ ଭାରତ ଉପରେ ଖପ୍ପା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫% ଉପରେ ଆହୁରି ୨୫%ର ଅତିରିକ୍ତ ଟାରିଫ ଲାଗୁ କରିଛନ୍ତି।  

ଏହି ରିପୋର୍ଟରେ ଫିଚ୍ ୨୦୨୭ ଆର୍ଥିକ ବର୍ଷକୁ ନେଇ ମଧ୍ୟ ପୂର୍ବାନୁମାନ କରିଛି। ଏହି ବର୍ଷ ଭାରତର ଆନୁମାନିକ ଅଭିବୃଦ୍ଧି ହାର ୬.୩% ଓ ୨୦୨୮ରେ ୬.୨% ରହିପାରେ। ଫିଚ୍ ରେଟିଂ ନିଜ ରିପୋର୍ଟରେ ଭାରତର ଜିଡିପି ଗ୍ରୋଥକୁ ନେଇ ତାଙ୍କ ପୂର୍ବାନୁମାନ ସଂଶୋଧନ ପଛର କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ଭାରତର ମଜଭୁତ ଉପଭୋକ୍ତା ବ୍ୟୟ କାରଣରୁ ଘରୋଇ ଚାହିଦା ବୃଦ୍ଧି ଏକ ଦୃଢ କାରଣ ବୋଲି କହିଛନ୍ତି। ନିକଟରେ ଭାରତ ସରକାର ଜିଏସଟି କର ସଂଶୋଧନ କରିଛନ୍ତି। ଏଣୁ ଆଗକୁ ଉପଭୋକ୍ତାଙ୍କ ଖର୍ଚ୍ଚ ଆହୁରି ବୃଦ୍ଧି ହୋଇପାରେ। ଏହା ଛଡା ଦେଶକୁ ଲଗାତାର ଆସୁଥିବା ନିବେଶ ମଧ୍ୟ ଦେଶର ସ୍ଥିତିକୁ ଦୃଢ କରିଛି।

ଗ୍ଲୋବାଲ ଏଜେନ୍ସୀ ଏକ ଆକଳନରେ ବର୍ଷର ଶେଷ ବେଳକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟରେ ଆଉ ଏକ ହ୍ରାସର ଉପହାର ଦେଇ ପାରନ୍ତି। ରିପୋର୍ଟ ଅନୁସାରେ ଏଥିରେ ୨୫ ବେସିସ ପଏଣ୍ଟର ହ୍ରାସ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରିଛନ୍ତି। ଫଳରେ ରୋପେ ହାର ୫.୨୫%କୁ ଆସିପାରେ ବୋଲି ଅନୁମାନ କରିଛନ୍ତି। ୨୦୨୫ରେ ଆରବିଆଇ ଏପର୍ଯ୍ୟନ୍ତ ୪ ଏମପିସିରୁ ୩ଟିରେ ରେପୋରେଟ ହ୍ରାସ କରିଛନ୍ତି। ଏଥିରେ ଫେବୃଆରୀରେ ୨୫ ବେସିସ ପଏଣ୍ଟ କାଟ ହୋଇଥିବା ବେଳେ ଜୁନ ମାସରେ ୫୦ ବେସିସପଏଣ୍ଟ ହ୍ରାସ କରି ରେପୋ ରେଟକୁ ୫.୫୦%କୁ ଆଣି ଦେଇଥିଲେ। ତେବେ ଆରବିଆଇ ୨୦୨୭ ଆର୍ଥିକ ବର୍ଷରେ ପୁଣି ରେପୋ ରେଟ ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ଫିଚ୍ ଆକଳନ କରିଛି।