ପଣା ସଂକ୍ରାନ୍ତିରେ ନିଆରା ପରମ୍ପରା, ଗାଁର ମଙ୍ଗଳ କାମନା କରି ଦେହରେ କଣ୍ଟା ଫୋଡ଼ିଲେ ମାନସିକଧାରୀ

Published By : Prameya-News7 Bureau | April 14, 2025 IST

ଆନନ୍ଦପୁର: ଗାଁ ମଙ୍ଗଳ କାମନା କରି ରଖିଛନ୍ତି ମାନସିକ। ଆଉ ମାନସିକ ଅନୁଯାୟୀ ଜିଭ ଓ ପିଠିରେ କଣ୍ଟା ଫୋଡ଼ି ନିଭାଇଛନ୍ତି ପରମ୍ପରା। ଏ ଦୃଶ୍ୟ ଆନନ୍ଦପୁର ଉପଖଣ୍ଡ କେଶଦୂରପାଳ ଗାଁର। ନିଆରା ଏବଂ ଖୁବ ଉତ୍ସାହର ସହ ଏଠାରେ ପାଳନ ହେଉଛି ପଣା ସଂକ୍ରାନ୍ତି। ଆଉ ସଂକ୍ରାନ୍ତି ଅବସରରେ ମାନସିକଧାରୀମାନେ ପୂଜାର୍ଚ୍ଚନା ପରେ ନିଜ ଜିଭରେ ଓ ପିଠିରେ କଣ୍ଟା ଫୋଡ଼ାଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁରେ କାହିଁ କେତେ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି। ଯାହାକୁ ଆଜିବି ଉଜ୍ଜୀବିତ ରଖିଛନ୍ତି ରଖିଛନ୍ତି ଗାଁ ଲୋକେ । ବ୍ରତଧାରୀ ମୁଖ୍ୟତଃ ଦେହୁରୀ ଓ ସବର ସମ୍ପ୍ରଦାୟର ହୋଇଥାନ୍ତି। ଏକ ମାସ ପୂର୍ବରୁ ବ୍ରତଧାରୀମାନେ ପ୍ରସ୍ତୁତି କରିଥାନ୍ତି।

ବ୍ରତଧାରୀଙ୍କୁ ଶୁଦ୍ଧ ଶାକାହାରୀ ଭୋଜନ କରିବା ସହ ନିଷ୍ଠାର ସହ ବ୍ରତ ପାଳନ କରିବାକୁ ପଡ଼ିଥାଏ। ଆଉ ଚୈତ୍ର ମାସ ୧୩ ଦିନ ଠାରୁ ଏହି ପାଟୁଆମାନେ ଗାଁରେ ପଣାପାଣି ଦେଇ ଘଣ୍ଟପାଟୁଆ କାମ କରନ୍ତି।ବାଜା ବଜାଇ ନାଚିବା ସହ ମାଗଣ କରିଥାନ୍ତି। ପଣା ସଙ୍କ୍ରାନ୍ତି ଦିନ ମା’ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ପାଟୁଆମାନେ ଜିଭରେ କଣ୍ଟା ଫୋଡ଼ାଇଥାନ୍ତି ଓ ରାତିରେ ଅନ୍ୟ ପାଟୁଆ ପିଠିରେ କଣ୍ଟା ଫୋଡାଇ ଗାଁ ଦାଣ୍ଡରେ ନାଚି ନାଚି ଭ୍ରମଣ କରନ୍ତି। ପରେ ଠାକୁରାଣୀଙ୍କ ନିକଟରେ ରାତିରେ କଣ୍ଟା ଖୋଲାଯାଏ। ଏହା ଦ୍ବାରା ଗାଁର ମଙ୍ଗଳ ହେବା ସହ ଓ ମାନସିକ ପୂରଣ ହେଉଥିବା ବିଶ୍ବାସ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.