ନୂଆଦିଲ୍ଲୀ/ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ, ବିଜେପିର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ବିହାର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ସ୍ପଷ୍ଟ ଓ ନିର୍ଣ୍ଣାୟକ ଜନାଦେଶ ଦେଇଥିବାରୁ ବିହାରର ମହାନ ଜନତାଙ୍କୁ ଧନ୍ୟବାଦ । ବିହାରର ଜନତା ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ବିକାଶ, ସୁଶାସନ ଏବଂ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା ।

ସେ କହିଛନ୍ତି, ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ ନୀତିଗୁଡ଼ିକ ଉପରେ ସାଧାରଣ ଜନତାଙ୍କ ବଡ଼ ମୋହର । ବିହାରର ଜନତା ଜଙ୍ଗଲରାଜ, ଜାତିବାଦ, ପରିବାରବାଦ ଏବଂ ନକାରାତ୍ମକ ରାଜନୀତିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି ନିରନ୍ତର ପ୍ରଗତି ଏବଂ 'ବିକଶିତ ବିହାର'ର ମାର୍ଗକୁ ବାଛିଛନ୍ତି ବୋଲି ଏହି ବିଜୟ ଦର୍ଶାଉଛି।

ସେ ଆହୁରି କହିଛନ୍ତି ଯେ ଏହି ଐତିହାସିକ ବିଜୟ ଏନଡ଼ିଏର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ, ସମର୍ପଣ ଏବଂ ଜନତାଙ୍କ ପ୍ରତି ନିଷ୍ଠାର ପ୍ରତିଫଳନ। ଜନସାଧାରଣଙ୍କର ବିଶ୍ୱାସ ଆମର ଶକ୍ତି । ଏହି ଜନାଦେଶ ଆମର ସଂକଳ୍ପକୁ ଆହୁରି ମଜଭୂତ କରିଛି । ଏହି ଅଭୂତପୂର୍ବ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିହାର ପ୍ରଦେଶ ନେତୃତ୍ୱ ସହିତ ଏନଡ଼ିଏର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମ୍ପର୍କରେ ଶ୍ରୀ ପ୍ରଧାନ ଏକ୍ସରେ ପୃଥକ ପୋଷ୍ଟରେ ଦଳର ବିଜୟୀ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତଥା ଆମ ଦଳ ଉପରେ ବିଶ୍ୱାସ କରି ଭୋଟ ଦେଇଥିବାରୁ ନୂଆପଡ଼ାର ଜନସାଧାରଣ ଏବଂ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି । ଆମର ଡବଲ ଇଞ୍ଜିନ ସରକାର ନୂଆପଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।