ଫରିଦାବାଦ ୧୩।୧୧: ଦିଲ୍ଲୀ ଲାଲକିଲା କାର ବିସ୍ଫୋରଣ ସୂତ୍ରଧର ଡା.ଉମର ନବୀ କ୍ଲାସ୍ ରୁମରେ ମଧ୍ୟ ହିନ୍ଦୁ-ମୁସଲମାନ କରୁଥିଲା। ହିନ୍ଦୁ ଛାତ୍ରଛାତ୍ରୀଙ୍କ ପ୍ରତି ତା ମନରେ ଭୀଷଣ ଘୃଣା ଥିଲା। ଏହା କହିଛନ୍ତି ଅଲ ଫଲାହ ମେଡିକାଲ କଲେଜର ଛାତ୍ରଛାତ୍ରୀ। ସେ ତାର ମୌଳବାଦୀ ଚେହେରା କ୍ଲାସ୍ ରୁମରେ ମଧ୍ୟ ଦେଖାଉଥିଲା। ସେ କିପରି କ୍ଲାସ୍ ରୁମରେ ଆଚରଣ କରୁଥିଲା ସେ କାହାଣୀ ଛାତ୍ରଛାତ୍ରୀ ଏବେ ବଖାଣିଛନ୍ତି।

ଛାତ୍ରଛାତ୍ରୀ କହିଛନ୍ତି ଯେ ଡା. ଉମର ପଢେଇବାକୁ କ୍ଲାସ ରୁମକୁ ଆସିଲେ ପ୍ରଥମେ ଷ୍ଟୁଡେଣ୍ଟଙ୍କୁ ଧର୍ମ ଓ ଲିଙ୍ଗ ଆଧାରରେ ପୃଥକ କରୁଥିଲେ। ଛାତ୍ର ଛାତ୍ରୀଙ୍କୁ ଅଲଗା ବସାଉଥିଲା ଓ ମୁସଲମାନ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଅଲଗା ବସାଉଥିଲା। ଶ୍ରେଣୀରେ ଛାତ୍ର ଛାତ୍ରୀ କଥା ହେବାରେ ରୋକ ଥିଲା। ଜଣେ ଛାତ୍ରୀ କହିଛନ୍ତି ଯେ ସେ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ନିଜନିଜ ଧର୍ମ ଅନୁସାରେ ବସିବାକୁ କହୁଥିଲେ। ତୁମେ ତୁମ ଧର୍ମର ଲୋକଙ୍କ ସହ ବସ ସେମାନେ ତୁମର ନିଜର, ଅନ୍ୟମାନଙ୍କଠାରୁ ଦୂରରେ ରୁହ। ଉମର ନିଜ ଧର୍ମର ଛାତ୍ରଛାତ୍ରୀଙ୍କ ସହ ଭଲ ମିଳାମିଶା କରୁଥିଲେ ହେଲେ ଅନ୍ୟଧର୍ମ ଛାତ୍ରଛାତ୍ରୀଙ୍କୁ ପାତରଅନ୍ତର କରୁଥିଲା।

ଜଣେ ଛାତ୍ରୀ କହିଛନ୍ତି ଯେ ଅନ୍ୟ ଧର୍ମର ଛାତ୍ରଛାତ୍ରୀ ଭୁଲ କଲେ ଜୋରରେ ଧମକାଉଥିଲା, ହେଲେ ମୁସଲମାନ ଛାତ୍ରଛାତ୍ରୀଙ୍କୁ କିଛି କହୁନଥିଲା। ଡା. ଉମରଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ଏପରି ଆଚରଣ କେବଳ କ୍ଲାସ୍ ରୁମରେ ସୀମିତ ନଥିଲା। ସେ ଧିରେ ଧିରେ ପୁରା ୟୁନିଭର୍ସିଟିର ପରିବେଶକୁ ଧର୍ମ ଆଧାରରେ ପ୍ରଦୂଷିତ କରିଦେଇଥିଲା। ଶିକ୍ଷକଙ୍କ ଆଚରଣ ଯୋଗୁ ସାଙ୍ଗ ହୋଇ ପଢୁଥିବା ଅନ୍ୟ ଧର୍ମର ଛାତ୍ରଛାତ୍ରୀଙ୍କ ଆଚରଣ ସାଥୀଙ୍କ ସହ ବଦଳୁଥିଲା। ଅନ୍ୟ ଧର୍ମର ଛାତ୍ର ହିନ୍ଦୁ ଛାତ୍ରଛାତ୍ରୀଙ୍କୁ କହୁଥିଲେ ତୁମେ ଯେତେ ପରିଶ୍ରମ କରନା କାହିଁକି ଅଧିକ ନମ୍ବର ଆମକୁ ମିଳିବ।

୨୪ ଫେବୃଆରୀ ୧୯୮୯ରେ ଉମର କାଶ୍ମୀରର ପୁଲବାମାରେ ଜନ୍ମଗ୍ରହଣ କରିଥିଲା। ସେ ବୃତ୍ତିରେ ଡାକ୍ତର ଓ ମନରେ ଆତଙ୍କବାଦୀ ଥିଲା। ବର୍ତ୍ତମାନ ସେ ଅଲଫଲାହ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ପଢାଉଥିଲା। ଦିଲ୍ଲୀ ଲାଲକିଲା ନିକଟରେ ଯେଉଁ କାରରେ ବିସ୍ଫୋରଣ ହୋଇଥିଲା ସେଥିରେ ଡା. ଉମର ନବୀ ବସିଥିଲା। ଦିଲ୍ଲୀ ଲାଲକିଲା ମେଟ୍ରୋଷ୍ଟେସନ ଗେଟ୍ ନମ୍ବର-୧ରେ ସୋମବାର ସନ୍ଧ୍ୟାରେ ଏହି କାରରେ ବିସ୍ଫୋରଣ ହୋଇଥିଲା।