ନୂଆଦିଲ୍ଲୀ: ଋଷର ସବୁଠାରୁ ବଡ଼ ତେଲ ଟର୍ମିନାଲ ଉପରେ ଆକ୍ରମଣ କଲା ୟୁକ୍ରେନ୍। ଋଷର ଉତ୍ତର-ପଶ୍ଚିମ ବନ୍ଦର ପ୍ରିମୋରସ୍କରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁ ଦେଶର ସର୍ବବୃହତ ତୈଳ ଟର୍ମିନାଲରେ ପ୍ରଥମ ଥର ପାଇଁ ଲୋଡିଂ ବନ୍ଦ କରାଯାଇଛି। ୟୁକ୍ରେନର ସାମରିକ ବାହିନୀ ଏନେଇ ସୂଚନା ଦେଇଛି।

ବନ୍ଦର ଉପରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ଏଭଳି ଆକ୍ରମଣ କରିଛି। ଏଥିରେ ଦୁଇଟି ଜାହାଜରେ ନିଆଁ ଲାଗିଯିବା ସହିତ ବନ୍ଦର ଆଖପାଖ ଅଞ୍ଚଳ କ୍ଷତି ଗ୍ରସ୍ତ ହୋଇଛି। ଉକ୍ତ ଅଞ୍ଚଳ ରୁଷୀୟ ରାଜ୍ୟପାଳ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଜାହାଜ ଏବଂ ଏକ ପମ୍ପିଂ ଷ୍ଟେସନରେ ନିଆଁ ଲାଗିଯାଇଛି। ତେବେ ସେଠାରେ କାର୍ଯ୍ୟ ସ୍ଥଗିତ ରହିଥିବା ନେଇ କୌଣସି ରିପୋର୍ଟ ନାହିଁ ବୋଲି ସେ କହିଛନ୍ତି।

ୟୁକ୍ରେନର ଏସୟୁବି ସୁରକ୍ଷା ଏଜେନ୍ସି କହିଛି ଯେ ଆମେ ରାତାରାତି ପ୍ରିମୋରସ୍କ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କରିଥିଲୁ। ​​ଏଠାରେ ନିଆଁ ଲାଗିଯିବା କାରଣରୁ ଲୋଡିଂ କାର୍ଯ୍ୟ ସ୍ଥଗିତ ରହିଥିଲା। ଘଟଣା ବିଷୟରେ ଖବର ରଖିଥିବା ଦୁଇ ଶିଳ୍ପ ସୂତ୍ରରୁ  ମିଳିଥିବା ସୁଚନା ଅନୁସାରେ, ଶୁକ୍ରବାର ଭୋରରୁ ପ୍ରିମୋର୍ସ୍କରୁ ତେଲ ଲୋଡିଂ ବନ୍ଦ କରାଯାଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସେପଟେ ୟୁକ୍ରେନ ସହ ଶାନ୍ତି ଆଲୋଚନା ବନ୍ଦ କରିଛି ଋଷ। ଶାନ୍ତି ଆଲୋଚନା ଦିଗରେ ୟୁରୋପ ବାଧା ସୃଷ୍ଟି କରୁଛି ବୋଲି ଶୁକ୍ରବାର ଅଭିଯୋଗ କରିଛି କ୍ରେମଲିନ। ଖବର ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ଅନୁଯାୟୀ, କ୍ରେମଲିନ୍ ଶୁକ୍ରବାର ଦିନ କହିଛି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ବର୍ତ୍ତମାନ ବିରତ ରହିଛି। ୟୁରୋପୀୟ ଦେଶଗୁଡ଼ିକ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବାର ଏହା ଆଗକୁ ବଢ଼ିପାରୁ ନାହଁ। ତେବେ ଶାନ୍ତି ପାଇଁ ଆଲୋଚନା କରିବାକୁ ମସ୍କୋର ଇଚ୍ଛାକୁ ଅଛି ବୋଲି ସେ ଦୋହରାଇଛି।

କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ସାମ୍ବାଦିକମାନଙ୍କୁ କହିଛନ୍ତି, "ଯୋଗାଯୋଗର ଠିକ ମାଧ୍ୟମରେ ଚାଲିଛି। ଆମ ଅଧିକାରୀମାନେ ଆଲୋଚନାର ରାସ୍ତା ବାହାର କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏହା ସ୍ଥଗତି ରହିଛି ଅଛି।"