କଟକ ୦୨।୧୧ : ପଞ୍ଚୁକରେ ବଡ଼ ଅଘଟଣ । ଭିଡି ନେଲା ନଦୀ । କଟକ ଖାନନଗର ନିକଟ କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ନାବାଳକ ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ମୁତାବକ, ରବିବାର ସକାଳେ କଟକ ଭଗତପୁର ବଗଳା ଲେନର ସଂକୀର୍ତ୍ତନ ମଣ୍ଡଳୀ ଖାନନଗର ବୁରୁଜ ମୁଣ୍ଡ ନିକଟକୁ ସଂକୀର୍ତ୍ତନ ପାଇଁ ବାହାରିଥିଲେ । ସାହିର ମୂରବୀମାନେ ପଛରେ ଆସୁଥିବା ବେଳେ କିଛି ନାବାଳକ ପ୍ରଥମେ କାଠଯୋଡ଼ିରେ ପହଞ୍ଚି ଗାଧୋଇବା ସହ ନଈ ପାଣିରେ ବଲ୍ ଖେଳୁଥିଲେ । ହଠାତ୍ ୧୨ ବର୍ଷିୟ ନାବାଳକ ଓମ୍ ଆୟୁଷ ବାରିକ ପାଣିରେ ବୁଡ଼ି ଯାଇଥିଲେ । ଠିକ୍ ଏହି ସମୟରେ ୧୫ ବର୍ଷର ନାବାଳକ ଓମ୍ ପ୍ରକାଶ ମହାରଣା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ଅଚନାକ ଦୁଇଜଣ ଯାକ ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ନ ମିଳିବାରୁ ଅଗ୍ନିଶମର ଆଉ ଏକ ଟିମ୍ ସେଠାରେ ପହଞ୍ଚି ତା'ର ହୁକ୍ ସାହାଯ୍ୟରେ ଖୋଜିଥିଲେ । ସେଥିରେ ସଫଳ ନ ହେବାରୁ ଅଗ୍ନିଶମ ବାହିନୀ ସ୍କୁବା ଡ଼୍ରାଇଭର ଡ଼ାକି ଖୋଜାଖୋଜି ଜାରି ରଖିଛନ୍ତି ବୋଲି କହିଛନ୍ତି କଟକ ଫାୟାର ଷ୍ଟେସନର ଷ୍ଟେସନ ଅଫିସର ।