ଭୁବନେଶ୍ୱର: ଆସୁଛି ଯୋଡା ଲଘୁଚାପ। ଅଶାନ୍ତ ହେବ ବଙ୍ଗୋପସାଗର। ଡିପ୍ରେସନର ରୂପ ନେବ ଲଘୁଚାପ। ଓଡ଼ିଶା ଉପକୂଳ ଦେଇ କରିବ ଅତିକ୍ରମ। ୫୦ କିମି ବେଗରେ ବହିବ ପବନ। ବଦଳିଗଲାଣି ପାଣିପାଗର ମିଜାଜ। ୨୫ ଯାଏ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୫ ଦିନ ପ୍ରବଳ ବର୍ଷିବ। ଏନେଇ ପାଣିପାଗ ବିଭାଗ ଦେଇଛି ଚେତାବନୀ।

ପାଣିପାଗ ବିଭାଗ ଅନୁସାରେ ଉପର ବାୟୁ ଘୂର୍ଣ୍ଣିବଳୟ ମିଆଁମାର-ଦକ୍ଷିଣ ବାଂଲାଦେଶ ଉପକୂଳ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ରହିଛି। ଏବଂ ସମୁଦ୍ର ପତ୍ତନ ଠାରୁ ୫.୮ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେହିପରି ୨୫ ସେପ୍ଟେମ୍ବର ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ପଶ୍ଚିମ- ଉତ୍ତର ପଶ୍ଚିମ ଗତି କରି ୨୬ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓ ଉତ୍ତର ଆନ୍ଧ୍ର ଉପକୂଳକରୁ ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ୨୭ ସେପ୍ଟେମ୍ବର ସୁଦ୍ଧ ଦକ୍ଷିଣ ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅବପାତ ଅତିକ୍ରମ କରିବା ସମ୍ଭାବନା କରିବା ଅଧିକ।

ଏହାର ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ଭାରୀ ବର୍ଷା ହେବ। ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।