ଦିଲ୍ଲୀ ବାୟୁରେ ବିପଜ୍ଜନକ ସୁପରବଗ୍; ପ୍ରଦୂଷଣ ପରେ ନୂଆ ସ୍ଵାସ୍ଥ୍ୟ ସଙ୍କଟ, ସତର୍କ କରାଇଲେ ବିଶେଷଜ୍ଞ

NEWS7
two-detained-in-cuttak

ନୂଆଦିଲ୍ଲୀ ୦୩।୦୧; ଦିଲ୍ଲୀ-ଏନସିଆରରେ ଶୀତଋତୁରେ ଯେଉଁ ବିଷାକ୍ତ ବାୟୁ ଘୁରି ବୁଲୁଛି ତା’ ଭିତରେ ବିପଜ୍ଜନକ ଔଷଧ ପ୍ରତିରୋଧୀ ସୁପରବଗ୍ ରହିଥିବା ଚିହ୍ନଟ କରାଯାଇଛି । ଫଳରେ ପ୍ରଦୂଷଣର ବିଷ ବଳୟକୁ ସାମନା କରୁଥିବା ଦିଲ୍ଲୀବାସୀ ସେମାନଙ୍କ ଅଜାଣତରେ ଆଉ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଅଧୀନ ସ୍କୁଲ ଅଫ୍ ଏନଭାର୍ନମେଣ୍ଟାଲ ସାଇନସେସ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନେଚର ପତ୍ରିକାରେ ଏହି ଅଧ୍ୟୟନ ସଂକ୍ରାନ୍ତ ସବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାୟୁରେ ଭାସୁଥିବା ଏହି ସୁପରବଗ ଆଣ୍ଟିବାୟୋଟିକ ପ୍ରତିରୋଧୀ ଷ୍ଟେଫିଲୋକୋକି ବ୍ୟାକ୍ଟେରିଆର ଏକ ପ୍ରତିରୂପ । ଏହି ବ୍ୟାକ୍ଟେରିଆ ଉଭୟ ଘର ଭିତର ଓ ବାହାର ବାୟୁରେ ଠାବ କରାଯାଇଛି । ଶୀତ ସମୟରେ ବାୟୁମଣ୍ଡଳରେ ଏଭଳି ବ୍ୟାକ୍ଟେରିଆଙ୍କ ସଂଖ୍ୟା ବହୁ ଗୁଣରେ ବଢ଼ିଯାଇଥାଏ ।

ଫଳରେ ଲୋକମାନେ ବିଶେଷକରି ପିଲା, ବୃଦ୍ଧବୃଦ୍ଧା ଏବଂ ଏକାଧିକ ରୋଗରେ ପୀଡ଼ିତ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଆହୁରି ବିପଦ ସୃଷ୍ଟି କରିଛି । ବାୟୁମଣ୍ଡଳରେ ଘୁରି ବୁଲୁଥିବା ଏହି ବ୍ୟାକ୍ଟେରିଆରେ ମେଥିସିଲିନ ପ୍ରତିରୋଧୀ ଷ୍ଟେଫିଲୋକୋକି (ଏମ୍ଆରଏସ୍) ମଧ୍ୟ ସାମିଲ ଅଛି । ଏହା ଏଭଳି ଏକ ବ୍ୟାକ୍ଟେରିଆ ଯାହା ଉପରେ ସାଧାରଣତଃ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ କାମ କରିନଥାଏ । ଏହାର ଅର୍ଥ ହେଉଛି ଏହି ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ସଂକ୍ରମଣର ଚିକିତ୍ସା କରିବା କଷ୍ଟକର ହୋଇପଡିଥାଏ । ଗବେଷଣା କରିବା ଲାଗି ଦିଲ୍ଲୀ-ଏନ୍ସିଆରର ଭିନ୍ନ ଭିନ୍ନ ସ୍ଥାନରୁ ବାୟୁର ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଧାର୍ଯ୍ୟ କରିଥିବା ମାନ ଠାରୁ ବହୁଗୁଣ ଅଧିକ ସୁପରବଗ ଏଥିରେ ରହିଛି । ଗବେଷକମାନେ ବାୟୁରୁ ଶୁଦ୍ଧ ବ୍ୟାକ୍ଟେରିଆକୁ ପୃଥକ କରିବା ବେଳେ ଜଣାପଡିଥିଲା କି ସେଥିରେ ଥିବା ୭୪ ପ୍ରତିଶତ ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ ପ୍ରତିରୋଧୀ । ସେହିଭଳି ୩୬ ପ୍ରତିଶତ ଔଷଧ ଉପରେ କୌଣସି ପ୍ରଭାବ ଦେଖାଇପାରନ୍ତି ନାହିଁ । ଗବେଷଣା ବେଳେ ଷ୍ଟେଫିଲୋକୋକି ବ୍ୟାକ୍ଟେରିଆର ୮ ପ୍ରଜାତି ଉପରେ ଅଧିକ ବିଶ୍ଳେଷଣ କରାଯାଇଥିଲା ।

ସେଥିରୁ ଜଣାପଡ଼ିଥିଲା ଯେ, ୨ଟି ପ୍ରଜାତି ଉଭୟ ମଣିଷ ଓ ପଶୁଙ୍କ ଶରୀରରେ ଅଧିକ ସଂକ୍ରମଣ ଘଟାଇଥାଏ । ଏହା ସାର୍ବଜନୀନ ସ୍ୱାସ୍ଥ୍ୟସେବା ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି । ମୁଖ୍ୟ ଗବେଷକ ମାଧୁରୀ ସିଂହଙ୍କ କହିବାନୁଯାୟୀ ଶୀତଋତୁରେ ବାୟୁରେ ଏହି ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ଯୋଗୁ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଅଧିକ ଗମ୍ଭୀର ହୋଇପଡିଥାଏ ଏବଂ ଏହା ବହୁଦିନ ଧରି ଲାଗି ରହିଥାଏ । ତେବେ ବର୍ଷାଋତୁରେ ବାୟୁମଣ୍ଡଳରେ ଏଭଳି ବ୍ୟାକ୍ଟେରିଆ ସଂଖ୍ୟା କମ୍ ରହିଥିବା ଜଣାପଡିଛି । ଏହି ଗବେଷଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସହରାଞ୍ଚଳ ବାତାବରଣ ଏବେ ଆଣ୍ଟିବାୟୋଟିକ ପ୍ରତିରୋଧୀ ବ୍ୟାକ୍ଟେରିଆର କେନ୍ଦ୍ରରେ ପରିଣତ ହୋଇଛି । ଯାହାକି ଘୋର ଚିନ୍ତା ଓ ଉଦ୍ବେଗର ବିଷୟ । କାରଣ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବଡ ବିପଦ ସୃଷ୍ଟି କରିବ । ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ଯେ ଯଦି ବାୟୁରେ ଏଭଳି ବ୍ୟାକ୍ଟେରିଆର ସଂଖ୍ୟା ବଢ଼ି ଚାଲିବ ତେବେ ସାଧାରଣ ସଂକ୍ରମଣ ଭବିଷ୍ୟତରେ ଘାତକ ସାବ୍ୟସ୍ତ ହୋଇପାରେ । ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ । ଏଠାକାର ବାୟୁ ଗୁଣବତ୍ତା (ଏକ୍ୟୁଆଇ) ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଧାର୍ଯ୍ୟ କରିଥିବା ମାନଠାରୁ ୭ରୁ ୧୦ ଗୁଣ ଅଧିକ ଖରାପ ।

ଦୀର୍ଘଦିନ ଧରି ଯଦି ଏଭଳି ବିଷାକ୍ତ ବାୟୁକୁ ଗ୍ରହଣ କରାଯିବ ତେବେ ଶ୍ୱାସପ୍ରଶ୍ୱାସ, ଫୁସଫୁସ୍ ଓ କ୍ୟାନସର ଭଳି ବିଭିନ୍ନ ପ୍ରକାର ରୋଗର ଆଶଙ୍କା ବୃଦ୍ଧି ପାଇବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ପ୍ରଦୂଷିତ ବାୟୁ ଯୋଗୁ ପ୍ରତିବର୍ଷ ବିଶ୍ୱରେ ୪୨ ଲକ୍ଷ ଲୋକଙ୍କର ଅସମୟରେ ଜୀବନ ଯାଉଛି । ଏହି ତଥ୍ୟ ଏକଥା ମଧ୍ୟ ଜଣାଉଛି ଯେ, ବାୟୁ ପ୍ରଦୂଷଣ ବର୍ତ୍ତମାନ ଏକ ଗମ୍ଭୀର ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇସାରିଛି । ଡାକ୍ତରଙ୍କ କହିବାନୁଯାୟୀ ଲୋକମାନେ ପ୍ରଦୂଷିତ ବାୟୁଠାରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ । ବିଶେଷକରି ସକାଳ ଓ ସନ୍ଧ୍ୟା ସମୟ ଯେତେବେଳେ ବାୟୁ ସବୁଠାରୁ ଅଧିକ ପ୍ରଦୂଷିତ ରହିଥାଏ ସେହି ସମୟରେ ଆଦୌ ବାହାରିବା କଥା ନୁହେଁ ।