ପୁଣି ବଙ୍ଗ ସରକାରଙ୍କ ଦବଙ୍ଗଗିରି, ଓଡ଼ିଶା ସୀମାରେ ଧସେଇ ପଶି ବେଆଇନ ଭାବେ ନିର୍ମାଣ କରୁଛି ରାସ୍ତା

NEWS7
two-days-will-be-given-to-buy-gold-and-silver-on-akshaya-tritiya

ଭୋଗରାଇ ୨୨।୨: ପୁଣି ବଙ୍ଗ ସରକାରଙ୍କ ଦବଙ୍ଗଗିରି । ଦିନ ଦ୍ବିପ୍ରହରରେ ଓଡ଼ିଶା ସୀମା ଭିତରକୁ ଧସେଇ ପଶି ବେଆଇନ ଭାବେ ନିର୍ମାଣ କରୁଛି ରାସ୍ତା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସାହାବାଜିପୁର ନିକଟରେ ଉତ୍ତେଜନା ଦେଖିବାକୁ ମିଳିଛି । ସେପଟେ ପଶ୍ଚିମବଙ୍ଗକୁ ଯାଉଥିବା ବେଆଇନ ବାଲି ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ସାହାବାଜିପୁର ନିକଟରେ ପଡ଼ୋଶୀ ପଶ୍ଚିମବଙ୍ଗ ଓଡ଼ିଶା ରାସ୍ତାକୁ ଭାଙ୍ଗି ପଶୁଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ କାର୍ଯ୍ୟ ଅଟକିଛି । ଭୋଗରାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରୋଲର ମେସିନକୁ ଜବତ କରିବା ସହ ବେଆଇନ ବାଲି ଗାଡ଼ି ଜବତ କରି ତାଳସାରୀ ସାମୁଦ୍ରିକ ଥାନାରେ ଅଟକ ରଖିଛି । ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ଓଡ଼ିଶା ସମ୍ପତି ଉପରେ ପୋଡ଼ଶୀ ପଶ୍ଚିମବଙ୍ଗର ନଜର ପଡ଼ିଛି । ଦିନ ରାତି ଶହ ଶହ ବାଲି ବୋଝଇ ହାଇୱା ଓଡ଼ିଶା ସୀମା ପାର ହୋଇ ବେଙ୍ଗଲକୁ ଯାଉଥିବା ବେଳେ ସ୍ଥାନୀୟ ତାଳସାରୀ ପୋଲିସ ଓ ଖଣି ବିଭାଗ ଚୁପ୍ ବସିଛି । ତେବେ ଏକ ବାଲି ବୋଝେଇ ଗାଡି ଭଦ୍ରକରୁ ଉଦୟପୁର ପର୍ଯ୍ୟନ୍ତ ନକଲି କାଗଜପତ୍ର ନେଇ ସୀମା ପାରି ହୋଇ ଯାଉଥିଲା ବେଳେ ସ୍ଥାନୀୟ ଲୋକେ ଅଟକାଇ ପୋଲିସ ଓ ଖଣି ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ଘଣ୍ଟା ପରେ ଖଣି ବିଭାଗ ଘଟଣାସ୍ଥଳରେ ନ ପହଞ୍ଚିବା ପରେ ପୋଲିସ ଗାଡିଟିକୁ ଥାନାରେ ଅଟକ ରଖିଛି ।