ନୂଆଦିଲ୍ଲୀ ୩୧/୦୭: ଋଷ୍ରେ ଶକ୍ତିଶାଳୀ ଭୂମିକମ୍ପ ପରେ ବିପଦରେ ୧୨ ରାଷ୍ଟ୍ର । ବିଶେଷ କରି ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୧୨ଟି ରାଷ୍ଟ୍ର ପାଇଁ ବଢିଛି ଟେନ୍ସନ୍ । ଆରମ୍ଭ ହୋଇଥିବା ସୁନାମୀ ବିପର୍ଯ୍ୟୟ ଥମିବ ନାହିଁ । ମାସେ ପର୍ଯ୍ୟନ୍ତ ପରବର୍ତ୍ତୀ କମ୍ପନ ଜାରି ରହିବ ବୋଲି ଚେତାବନୀ ଦେଇଛି ଆମେରିକା । ଆଉ ଆମେରିକାର ଚେତାବନୀ ପରେ ଲୋକେ ଭୟଭୀତ ହୋଇଛି। ଜାପାନ ପାଇଁ ସବୁଠାରୁ ବଡ଼ ବିପଦ ଆଶଙ୍କା ଥିବାରୁ ସବୁ ଅଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି ।
୨୦୧୧ ଫୁକୁସିମା ବିପର୍ଯ୍ୟୟର ଭୟଙ୍କର ସ୍ମୃତି ଜାପାନବାସୀଙ୍କ ମନକୁ ପୁଣି ଫେରି ଆସିଛି। ଏହି ଭୟଙ୍କର ବିପର୍ଯ୍ୟୟରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ତେବେ ଭୂକମ୍ପ ପରେ ବୁଧବାର ଫୁକୁସିମାରେ ଥିବା ପରମାଣୁ କାରଖାନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଶ୍ରମିକମାନଙ୍କୁ ବି ତୁରନ୍ତ ସ୍ଥାନାନ୍ତର କରାଯାଇଛି । ଟୋକିଓ ଇଲେକ୍ଟ୍ରିକ୍ ପାୱାର କମ୍ପାନି ଏକ ବିବୃତିରେ କହିଛି ଯେ ପ୍ଲାଣ୍ଟ୍ରେ କୌଣସି ନିରାପତ୍ତା ବିପଦ ନାହିଁ । କିନ୍ତୁ ସତର୍କତାମୂଳକ ସ୍ଥାନାନ୍ତର ବାଧ୍ୟତାମୂଳକ କରାଯାଇଛି ।
୨୦୧୧ ମାର୍ଚ୍ଚ ୧୧ରେ ଜାପାନରେ ୯.୦ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୪୦ ମିଟର ପର୍ଯ୍ୟନ୍ତ ସୁନାମି ଆସିଥିଲା ଏବଂ ଦେଶର ଉତ୍ତର-ପୂର୍ବ ଉପକୂଳ ନଷ୍ଟ ହୋଇଯାଇଥିଲା । ଏହି ବିପର୍ଯ୍ୟୟରେ ସମୁଦାୟ ୧୫,୮୯୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସୁଦ୍ଧା ୨,୫୨୯ ଜଣ ନିଖୋଜ ଅଛନ୍ତି। ଲକ୍ଷ ଲକ୍ଷ ଲୋକ ଏଥିରେ ବାସହୀନ ହୋଇଥିଲେ।
ଋଷ୍ର କାମ୍ଚାଟ୍କାରେ ଆସିଥିବା ଭୂମିକମ୍ପ ପ୍ୟାସିଫିକ୍ ପ୍ଲେଟ୍ ଓ ୟୁରେସିଆନ ପ୍ଲେଟ୍ ମଧ୍ୟରେ ଥିବା ଜୋନ୍ରେ ଘଟିଥିଲା । ଯାହା ଭୂମିକମ୍ପ ପାଇଁ ଏକ ବିପଦପୂର୍ଣ୍ଣ ଅଞ୍ଚଳ। ଏହା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ୧୨ଟି ଦେଶରେ ସୁନାମି ବିପଦ ସୃଷ୍ଟି କରିଥିବା ବେଳେ ଜାପାନ ହିଁ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଆମେରିକାର ହାଓ୍ୱାଇରେ ୫.୭ ଫୁଟ ଉଚ୍ଚ ସୁନାମୀ ଲହର ଆସିଥିବା ବେଳେ କାଲିଫର୍ଣ୍ଣିଆ, ଓରେଗନ୍ ଓ ଆଲାସ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।
ସୁନାମୀ ଲହର ନିମ୍ନଭୂମି ଓ ବନ୍ଦରଗୁଡ଼ିକର ବିପଦ ବଢ଼ାଇ ଦେଇଛି। ଋଷ୍ର ପୂର୍ବତଟରେ ଅବସ୍ଥିତ ବନ୍ଦର ସହରଗୁଡ଼ିକରେ ଆଜି ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଅନ୍ୟ ପ୍ରଭାବିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରହିଛି ଚିଲି, କଲମ୍ବିଆ, ଇକ୍ବେଡୋର, ପାନାମା, ମେକ୍ସିକୋ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଫ୍ରେଞ୍ଚ୍ ପଲିନେସିଆ ଓ ନ୍ୟୁଜିଲାଣ୍ଡ୍ । ଏହି ଦେଶଗୁଡ଼ିକ ପ୍ରଶାନ୍ତ ମହାସାଗର ଉପକୂଳରେ ରହିବା ସହ ଭୂମିକମ୍ପର ଶକ୍ତି ପଥ ସହ ନିକଟତା ଏବଂ ଭୂତାତ୍ତ୍ୱିକ ଅବସ୍ଥା ହେତୁ ବିପଦରେ ଅଛନ୍ତି।