ନୂଆଦିଲ୍ଲୀ ୧୧।୯: ଯୁକ୍ତରାଷ୍ଟ୍ର ପକ୍ଷରୁ ଭାରତ ଉପରେ ଲଗାଯାଇଥିବା ୫୦% ଟାରିଫର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ଏବେ ଅନୁଭୂତ ହେଉଛି। ଭାରତୀୟ ଟଙ୍କା ଗୁରୁବାର ଡଲାର ତୁଳନାରେ ରେକର୍ଡ ନିମ୍ନ ସ୍ତରକୁ ପହଞ୍ଚିଛି। ଏହି ହ୍ରାସ ଏହା ଦର୍ଶାଉଛି ଯୁକ୍ତରାଷ୍ଟ୍ରର ଟାରିଫ ଏସିୟାର ତୃତୀୟ ସର୍ବ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାରତ ଉପରେ କିପରି ଚାପ ସୃଷ୍ଟି କରୁଛି। ଗୁରୁବାର ଟଙ୍କା ମୂଲ୍ୟ ହ୍ରାସ ହୋଇ ପ୍ରତି ଡଲାର ୮୮ଟଙ୍କା ୪୪ ପଇସାକୁ ପହଞ୍ଚି ଯାଇଛି।

ଟଙ୍କାର ଏପରି ମୂଲ୍ୟ ହ୍ରାସ ଏହା ସ୍ପଷ୍ଟ କରୁଛି ଯେ ଗତମାସରେ ଲାଗୁ ହୋଇଥିବା ଯୁକ୍ତରାଷ୍ଟ୍ର ଟାରିଫ ଯୋଗୁ ଭାରତ ଉପରୁ ନିବେଶକଙ୍କ ଭରସା ହ୍ରାସ ହେଉଛି ଓ ଏସିୟ ଦେଶରେ ଟଙ୍କା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ବିଦେଶୀ ନିବେଶକ (ଏଫପିଆଇ) ଭାରତୀୟ ସେୟାର ଓ ବଣ୍ଡ ବଜାରରୁ ମୋଟ ୧୧.୭ ବିଲିୟନ ଡଲାର ବାହାର କରିନେଇଛନ୍ତି। ଯୁକ୍ତରାଷ୍ଟ୍ରର କଡ଼ା ଟାରିଫ ଭାରତର ଇକୋନମିକ ଗ୍ରୋଥ ଓ ଟ୍ରେଡ ଉପରେ ଋଣାତ୍ମକ ପ୍ରଭାବ ପକାଇଛି ଓ ଟଙ୍କାକୁ ଦୋହଲାଇ ଦେଇଛି।

ତେବେ ଭାରତ ଉପରେ ଯୁକ୍ତ ରାଷ୍ଟ୍ର ଟାରିଫର ପ୍ରଭାବ କମ କରିବାକୁ ଭାରତ ସରକାର ତୁରନ୍ତ ପଦକ୍ଷେପ ସ୍ୱରୂପ ଜିଏସଟି ସଂଶୋଧନ କରିଛନ୍ତି। ଏହା ଛଡା ଦୁଇ ଦେଶ ପାରସ୍ପରିକ ବାର୍ତ୍ତା ମାଧ୍ୟମରେ ବାଣିଜ୍ୟ ସମ୍ପର୍କିତ ବାଧା ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ରପ୍ତାନୀକାରୀଙ୍କୁ ଅର୍ଡର ମିଳିବାରେ ଏବେ ବିଳମ୍ବ ହେଉଛି। ଏଥି ପାଇଁ ଅନିଶ୍ଚିତତା ଲାଗି ରହିଥିବା ବେଳେ ଇମ୍ପୋର୍ଟରଙ୍କୁ ହେଜିଂ କରିବାକୁ ପଡୁଛି ଏଣୁ ମୁଦ୍ରା ବଜାରରେ ଚାହିଦା ଓ ଯୋଗାଣ ଅସନ୍ତୁଳିତ ହୋଇଛି।

ତେବେ ଭାରତୀୟ ମୁଦ୍ରାର ସ୍ଥିରତା ଲାଗି ଆରବିଆଇ ବାରମ୍ବାର ହସ୍ତକ୍ଷେପ କରୁଛନ୍ତି। ମାର୍କେଟ ସମ୍ପର୍କିତ ଲୋକଙ୍କ କହିବା କଥା ହେଉଛି କେନ୍ଦ୍ରୀୟ ବ୍ୟାଙ୍କ ଡଲାର ବିକ୍ରି କରି ମାର୍କେଟର ପଡଉଠକୁ ନିୟନ୍ତ୍ରଣ କରୁଛନ୍ତି। ଏଥିରେ ବ୍ୟାଙ୍କରଙ୍କ କହିବା କଥା ହେଉଛି ଆରବିଆଇ କୌଣସି ଖାସ ସ୍ତରରେ ଟଙ୍କାକୁ ଅଟକାଇ ରଖିବାକୁ ଉଦ୍ୟମ କରୁ ନାହାନ୍ତି ବରଂ ହ୍ରାସକୁ ନିୟନ୍ତ୍ରିତ କରିବାକୁ ଉଦ୍ୟମ କରୁଛନ୍ତି, ଯାହା ଦ୍ୱାରା କମ୍ପାନୀ ଓ ନିବେଶକଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ନ ହୁଏ।