ଆପଲ ପରେ ଏବେ ସାମସଙ୍ଗକୁ ଟ୍ରମ୍ପଙ୍କ ଧମକ, ଆମେରିକାରେ ସ୍ମାର୍ଟଫୋନ ତିଆରି ନ କଲେ ୨୫% ଟାରିଫ ଦେବ

Published By : Prameya-News7 Bureau | May 24, 2025 IST

ୱାଶିଂଟନ ଡିସି: ଆପଲ ପରେ ଏବେ ସାମସଙ୍ଗକୁ ଟ୍ରମ୍ପଙ୍କ ଧମକ। ଆମେରିକାରେ ଫୋନ ତିଆରି ନ କଲେ ଲଗାଇବୁ ୨୫ ପ୍ରତିଶତ ଶୁଳ୍କ। ସ୍ମାର୍ଟଫୋନ୍ ମାର୍କେଟ୍‌ରେ ଆପଲ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଏବେ ଟ୍ରମ୍ପଙ୍କ ଧମକର ଶିକାର ହୋଇଛି। ଏହା ପୂର୍ବରୁ ନିଜ ଦେଶର କମ୍ପାନୀ ଆପଲକୁ ମଧ୍ୟ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ ଟ୍ରମ୍ପ। ଯାହାର ଚର୍ଚ୍ଚା ଥମି ନଥିବା ବେଳେ ଏବେ ସାମସଙ୍ଗକୁ ମଧ୍ୟ ସମାନ ଧମକ ମିଳିଛି। କେବଳ ସାମସଙ୍ଗ କାହିଁକି ଆମରିକାରେ ସ୍ମାର୍ଟଫୋନ ବିକ୍ରି କରୁଥିବା ସମସ୍ତ କମ୍ପାନୀକୁ ଟାରିଫ ଧମକ ଦେଇଛନ୍ତି ଟ୍ୟାକ୍ସ କିଂ ଟ୍ରମ୍ପ। 

ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି ଆମେରିକାର ସ୍ମାର୍ଟ୍‌ଫୋନ୍ ବିକ୍ରି କରୁଥିବା ଯେ କୌଣସି କମ୍ପାନୀ ଉପରେ ଟ୍ୟାକ୍ସ ଲାଗୁ ହେବ। ସେ କହିଛିନ୍ତି “ଟ୍ୟାକ୍ସର ପରିସର ବଢ଼ିବ। ସାମସଙ୍ଗ ସମେତ ସ୍ମାର୍ଟଫୋନ୍ ଉତ୍ପାଦନ କରୁଥିବା ସମସ୍ତ କମ୍ପାନୀ ଏହାର ସମ୍ମୁଖୀନ ହେବେ। ନହେଲେ ଏହା ନିରପେକ୍ଷ ନିଷ୍ପତ୍ତି ହେବ ନାହିଁ। ତେବେ ଯଦି ସେମାନେ ଏଠାରେ ସେମାନଙ୍କର କାରଖାନା ଖୋଲିବେ ତେବେ କୌଣସି ଶୁଳ୍କ ଲାଗିବ ନାହିଁ।” 

ପ୍ରକୃତରେ ଟ୍ରମ୍ପ ଆମେରିକାରେ ହିଁ ସବୁ ମ୍ୟାନୁଫେକ୍ଚରିଂ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଘରୋଇ କମ୍ପାନୀ ସମେତ ବିଭିନ୍ନ କମ୍ପାନୀ ଉପରେ ଚାପ ପକାଇବାକୁ ଶୁଳ୍କର ସାହାରା ନେଇଛନ୍ତି। ଏହା ପୂର୍ବରୁ ଆପଲକୁ ମଧ୍ୟ ଟ୍ରମ୍ପ ନିଜ ଦେଶରେ କାରଖାନା ଖୋଲିବାକୁ ଚାପ ସୃଷ୍ଟି କରିଥିଲେ। ଏନେଇ ସେ ସିଇଓ ଟିମ୍ କୁକ୍‌ଙ୍କ ସହିତ ବି ଆଲୋଚନା କରିଥିଲେ। ହେଲେ ଆମେରିକାରେ ଲେବର କଷ୍ଟ ସାଂଗକୁ ଅନ୍ୟାନ୍ୟ ସାମଗ୍ରୀରେ ଖର୍ଚ୍ଚ ଅଧିକ ହେଉଥିବାରୁ କମ୍ପାନୀ ସ୍ମାର୍ଟଫୋନ୍ ନିର୍ମାଣ କରିବାକୁ ରାଜି ହେଉ ନାହାନ୍ତି।




ଏନେଇ ଟ୍ରମ୍ପ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ଲେଖିଛନ୍ତି “ମୁଁ ବହୁ ପୂର୍ବରୁ ଆପଲର ସିଇଓ ଟିମ୍ କୁକଙ୍କୁ ଜଣାଇଛି ଯେ ମୋର ଆଶା ଆମେରିକାରେ ବିକ୍ରି ହେଉଥିବା ଆଇଫୋନଗୁଡ଼ିକ ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ, ବରଂ ଆମେରିକାରେ ନିର୍ମିତ ହେବ। ଯଦି ତାହା ନହୁଏ, ତେବେ ଆପଲ ଆମେରିକାକୁ ଅତି କମରେ ୨୫% ଶୁଳ୍କ ଦେବାକୁ ପଡିବ।” ଟ୍ରମ୍ପଙ୍କର ଏହି ପୋଷ୍ଟ ଯୋଗୁ ଆପଲର ଶେୟାର ୨.୬% ହ୍ରାସ ପାଇଥିଲା, ଫଳରେ କମ୍ପାନୀର ପ୍ରାୟ ୭୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି କମିଯାଇଥିଲା।

ଗତ ସପ୍ତାହରେ, ଭାରତରେ ଥିବା ପ୍ଲାଣ୍ଟରେ ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ ତିଆରି କରିବା ପାଇଁ ଆପଲର ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଡୋନାଲ୍ଡ ଟ୍ରମ୍ପ। ଏହା ଭାରତରେ ନୁହେଁ ବରଂ ଆମେରିକାରେ ହେବା ଉଚିତ ବୋଲି ଟ୍ରମ୍ପ କହିଥିଲେ। ହେଲେ ଏହାପରେ ଆପଲ ନିର୍ମାତା ତାଇୱାନ କମ୍ପାନୀ ଫକ୍ସନ ଭାରତରେ ଡିସ୍‌ପ୍ଲେ ମୋଡ୍ୟୁଲ ପ୍ଲାଣ୍ଟ ପାଇଁ ୧.୫ ବିଲିଅନ ନିବେଶ କରିବାକୁ ଘୋଷଣା କରିଥିଲା। 

ପଢନ୍ତୁ- ୟୁରୋପୀୟନ ୟୁନିୟନ ସହ ଡିଲ୍ କରିବା କଷ୍ଟକର କହି ୫୦ ପ୍ରତିଶତ ଶୁଳ୍କ ଲଗାଇଲେ ଟ୍ରମ୍ପ

ବିଶ୍ଳେଷକଙ୍କ ଅନୁସାରେ, ଆପଲର ପ୍ରାୟ ୯୦% ସ୍ମାର୍ଟଫୋନ ଚୀନରେ ଆସେମ୍ବଲ ହେଉଛି। ତଥାପି, ଚୀନ ସହିତ ଆମେରିକାର ବାଣିଜ୍ୟ ଯୁଦ୍ଧ ମଧ୍ୟରେ, କୁକ୍ ଏହି ମାସର ଆରମ୍ଭରେ କହିଥିଲେ ଯେ ଜୁନ୍ ତ୍ରୈମାସିକରେ ଆମେରିକାରେ ବିକ୍ରି ହୋଇଥିବା ଅଧିକାଂଶ ଆଇଫୋନ ଭାରତରେ ତିଆରି ହେବ। ସେବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ସୂଚନା ଥାଉକି, ସାମସଙ୍ଗ ସ୍ମାର୍ଟଫୋନ ନିର୍ମାଣ ପାଇଁ ଚୀନ ଉପରେ ନିର୍ଭର କରେ ନାହିଁ। ଏହାର ଅଧିକାଂଶ ପ୍ରଡକ୍ସନ କାମ ଭାରତ, ଦକ୍ଷିଣ କୋରିଆ, ଭିଏତନାମ ଏବଂ ବ୍ରାଜିଲରେ ହୋଇଥାଏ। ଦକ୍ଷିଣ କୋରିଆର ଏହି ଟେକ୍ ଜାଏଣ୍ଟ ୨୦୧୯ ଚୀନ୍‌ରେ ଏହାର ଶେଷ ଫୋନ୍ ନିର୍ମାଣ କାରଖାନା ବନ୍ଦ କରିଦେଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.