ପ୍ରସ୍ତାବିତ ଉପକୂଳ ରାଜପଥ ବିଳମ୍ବକୁ ନେଇ ବର୍ଷିଲା ବିଜେଡି, ବିଜେପି କହିଲା ଏହା ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ

Published By : Prameya-News7 Bureau | May 27, 2025 IST

ଭୁବନେଶ୍ବର କୁଆଡ଼େ ଗଲା ପ୍ରସ୍ତାବିତ ଉପକୂଳ ରାଜପଥ ? ତିନି ଥର ପ୍ରକଳ୍ପକୁ ବଦଳାଗଲା ପରେ ରାଜି ହୋଇଥିଲେ ସରକାର । ବାରମ୍ବାର ବଦଳୁଛି ଡିପିଆର । ଟେଣ୍ଡର ବାତିଲ ହେଉଛି । କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି । ବିଜେଡି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ୪ ଦିନ ତଳେ ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇଯାଇଛି । ପ୍ରଥମ ଫେଜ୍‌ରେ ଯେଉଁ ୧୭୬ କିଲୋମିଟର ଟେଣ୍ଡର ଆହ୍ୱାନ ହୋଇଥିଲା ତାହା ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି । ବର୍ତ୍ତମାନ ଉପକୂଳ ରାଜପଥକୁ ଫୋର ଲେନ ବିଶିଷ୍ଟ ନକରି ଦୁଇ ଲେନ ବିଶିଷ୍ଟ କରିବାକୁ ଯୋଜନା କରାଯାଉଥିବା ବିଜେଡି ଅଭିଯୋଗ କରିଛି । 

ଉପକୂଳ ରାଜପଥ ଟେଣ୍ଡର ବାତିଲ ହେବା ଓଡ଼ିଶାବାସୀଙ୍କୁ ଡବଲ ଇଞ୍ଜିନ ସରକାରର ଡବଲ ଧୋକା କହିଲେ ଅତ୍ୟୁକ୍ତି ହେବନାହିଁ । ଦ୍ୱିତୀୟ ଫେଜ୍ ବି ଅନିଶ୍ଚିତତା ଘେରକୁ ଚାଲିଯାଇଛି । ଜଗନ୍ନାଥ ସଡ଼କକୁ ନେଇ ବର୍ତ୍ତମାନ ବି ଓଡ଼ିଶାବାସୀ ଅନ୍ଧକାର ଭିତରେ ରହିଛନ୍ତି । ଯଦି ଉପକୂଳ ରାଜପଥ ପ୍ରକଳ୍ପକୁ ୪ ଲେନ୍ ପରିବର୍ତ୍ତେ ୨ ଲେନ୍ ପାଇଁ ଯୋଜନା ପୁଣି ଥରେ କରାଯିବ ତାହା ଆହୁରି ଗୋଟିଏ ଦଶନ୍ଧି ବିତିଯିବ ପଛେ କାମ ହୋଇପାରିବ ନାହିଁ । 

ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ତୁରନ୍ତ ବିଧିବଦ୍ଧ ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତୁ ବୋଲି ବିଜେଡି ଦାବି କରିଛି । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ରଖନ୍ତୁ । ଉପକୂଳ ରାଜପଥ ଦୁଇ ଲେନ ନୁହେଁ ଚାରି ଲେନ ବିଶିଷ୍ଟ ହେଉ ବୋଲି  ବିଜେଡ଼ି ଉପସଭାପତି ସଞ୍ଜୟ ଦାସବର୍ମା ଦାବି କରିଛନ୍ତି ।

ସେପଟେ, ବିଜେଡିକୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ଉପକୂଳ ରାଜପଥ ଟେଣ୍ଡର ବାତିଲ ହୋଇନାହିଁ । ବିଜେଡ଼ି ବିଭ୍ରାନ୍ତ କରୁଛି । ଏ ସରକାରକୁ ସବୁବେଳେ ଦୋଷ ଦେଉଛି । ଟେଣ୍ଡର ବାତିଲ ହୋଇନାହିଁ କେବଳ ଟେକ୍ନିକାଲି କିଛିଟା ପରିବର୍ତ୍ତନ କରାଯାଇଛି । 

ସେହିଭଳି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ବିଜେଡ଼ି ଯେତେବେଳେ ସରକାରରେ ଥିଲା, ସହଯୋଗ କଲାନାହିଁ । ବିଭିନ୍ନ ସମୟରେ ବିଭ୍ରାନ୍ତ କରିବା ପାଇଁ ବିଭିନ୍ନ ବକ୍ତବ୍ୟ ଦେଲେ । କିନ୍ତୁ ବିଜେପି ସରକାରକୁ ଆସିଲା ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କାମ ସରିଛି । ଜମି ଅଧିଗ୍ରହଣ କାମ ତ୍ବରାନ୍ବିତ କରିବା ପାଇଁ କାଗଜ ପତ୍ର ଯୋଗାଡ଼ କରି କାମ ଆରମ୍ଭ ହୋଇଗଲାଣି । ବିଜେଡ଼ି ଅପପ୍ରଚାର କରୁଛି । ଯଦି ତଥ୍ୟ ଅଛି, ଉପସ୍ଥାପନ କରନ୍ତୁ । ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । କୋଷ୍ଟାଲ ହାଇୱେ ହେଉଛି ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ । ୬ଟି ବନ୍ଦର ଯୋଡ଼ି ହେବ । ଅର୍ଥନୈତିକ ବିକାଶ ହେବ । ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ସହାୟକ ହେବ ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି ।

You Can Read:

ବେଆଇନ ଜଳକ୍ରୀଡ଼ା ବେଳେ ସ୍ପିଡ୍ ବୋଟ୍ ଦୁର୍ଘଟଣା ପରେ ଆକ୍ସନ ମୋଡ଼ରେ ପ୍ରଶାସନ : ସଂସ୍ଥାର ଟିକେଟ୍ କାଉଣ୍ଟରରେ ବୁଲିଲା ବୁଲଡୋଜର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.