ୟୁରୋପୀୟନ ୟୁନିୟନ ସହ ଡିଲ୍ କରିବା କଷ୍ଟକର କହି ୫୦ ପ୍ରତିଶତ ଶୁଳ୍କ ଲଗାଇଲେ ଟ୍ରମ୍ପ

Published By : Prameya-News7 Bureau | May 23, 2025 IST

internet

ନୂଆଦିଲ୍ଲୀଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଏକପ୍ରକାର ଦାଦାଗିରି ଆରମ୍ଭ କରିଦେଇଛନ୍ତି। ଯେତେବେଳେ ଯାହା ଉପରେ ପାରୁଛନ୍ତି ଟ୍ୟାକ୍ସ ଲଗାଉଛନ୍ତି, ଯୁଦ୍ଧର ଧମକ ଦେଉଛନ୍ତି। ନିକଟରେ ସବୁ ଦେଶ ଉପରେ ଲଗାଇଥିବା ଟ୍ୟାକ୍ସକୁ ୯୦ ଦିନ ପାଇଁ କୋହଳ କରିଥିବା ବେଳେ ଏବେ ପୁଣି ୟୁରୋପୀୟନ ୟୁନିୟନ ଉପରେ ୫୦ ପ୍ରତିଶତ ଟ୍ୟାକ୍ସ ଲଗାଇଛନ୍ତି। 
ଏନେଇ ଶୁକ୍ରବାର(ମେ ୨୩) ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ଦି ଟ୍ରୁଥ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ବାଣିଜ୍ୟ ଆଲୋଚନାରେ ୟୁରୋପୀୟ ସଂଘର ମୁକାବିଲା କରିବା 'ଅତ୍ୟନ୍ତ କଷ୍ଟକର'। ବର୍ତ୍ତମାନର ଆମେରିକାର ସାମଗ୍ରୀ ବାଣିଜ୍ୟ ନିଅଣ୍ଟ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ୧ ଜୁନ୍ ୨୦୨୫ ରୁ ୟୁରୋପୀୟ ସଂଘ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା ଲାଗୁ କରାଯାଉଛି ବୋଲି ଟ୍ରମ୍ପ ଲେଖିଛନ୍ତି।
 ଟ୍ରମ୍ପ ଲେଖିଛନ୍ତି “ ବାଣିଜ୍ୟରେ ଯୁକ୍ତରାଷ୍ଟ୍ର ଠାରୁ ଲାଭ ଉଠାଇବା ପାଇଁ ପ୍ରାଥମିକ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ୟୁରୋପୀୟ ସଂଘ ଠାରୁ ମୁକାବିଲା କରିବା ବହୁତ କଷ୍ଟକର ହୋଇଛି।” ୟୁରୋପୀୟ ୟୁନିଅନ ଦ୍ୱାରା ଲଗାଯାଇଥିବା ତଥାକଥିତ 'ବାଣିଜ୍ୟ ପ୍ରତିବନ୍ଧକ' ଉପରେ ଟାର୍ଗେଟ କରି ସେ ଲେଖିଛନ୍ତି “ସେମାନଙ୍କର ଶକ୍ତିଶାଳୀ ବାଣିଜ୍ୟ ବାଧା, ଭାଟ୍ କର, ହାସ୍ୟାସ୍ପଦ କର୍ପୋରେଟ୍ ପେଲାଲ୍ଟି, ଅଣ-ଆର୍ଥିକ ବାଣିଜ୍ୟ ବାଧା, ମୁଦ୍ରା ହେରଫେର, ଆମେରିକୀୟ କମ୍ପାନୀଗୁଡ଼ିକ ବିରୁଦ୍ଧରେ ଅନୁଚିତ ଏବଂ ଅଯଥା ମାମଲା, ଏବଂ ଅନ୍ୟାନ୍ୟ କାରଣରୁ ଆମେରିକା ସହିତ ବାର୍ଷିକ ୨୫୦,୦୦୦,୦୦୦ ରୁ ଅଧିକ ବାଣିଜ୍ୟ ନିଅଣ୍ଟ ହୋଇଛି, ଯାହା ଆଦୌ ଗ୍ରହଣୀୟ ନୁହେଁ। ସେମାନଙ୍କ ସହିତ ଆମର ଆଲୋଚନା କୌଣସି ଦିଗ ପାଉନାହିଁ! ତେଣୁ, ମୁଁ ୧ ଜୁନ୍ ୨୦୨୫ ରୁ ୟୁରୋପୀୟ ସଂଘ ଉପରେ ସିଧାସଳଖ ୫୦% ଶୁଳ୍କ ଲାଗୁ କରିବାକୁ ସୁପାରିଶ କରୁଛି। ଯଦି ଉତ୍ପାଦଟି ଯୁକ୍ତରାଷ୍ଟ୍ରରେ ନିର୍ମିତ କିମ୍ବା ନିର୍ମିତ ହୁଏ, ତେବେ କୌଣସି ଶୁଳ୍କ ଲାଗୁ ହେବ ନାହିଁ।”

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଇୟୁ କମିଶନ ତୁରନ୍ତ ମତାମତ ଦେବାକୁ ମନା କରିଦେଇଛି। କମିଶନ କହିଛି ଯେ ଇୟୁ ବାଣିଜ୍ୟ ମୁଖ୍ୟ ମାରୋସ ସେଫକୋଭିକ୍ ଏବଂ ତାଙ୍କ ଆମେରିକୀୟ ପ୍ରତିପକ୍ଷ ଜାମିସନ ଗ୍ରୀୟରଙ୍କ ମଧ୍ୟରେ ଅପରାହ୍ନ ୩ଟାରେ ଫୋନ୍ କଲ୍ରେ ଆଲୋଚନା ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ।

ୟୁରୋପୀୟ ବଜାରରେ ହ୍ରାସ 
 ଆମେରିକାର ରାଷ୍ଟ୍ରପତିଙ୍କ ଘୋଷଣାର କିଛି ମିନିଟ୍ ପରେ ୟୁରୋପୀୟ ଷ୍ଟକ୍ ବଜାର ହ୍ରାସ ପାଇଛି। ଜର୍ମାନୀର DAX ୧.୯% ହ୍ରାସ ପାଇଥିବା ବେଳେ ଇଟାଲୀର FTSE MIB ୨% ହ୍ରାସ ପାଇଛି। ୟୁରୋପରେ ବ୍ୟାଙ୍କ ସେୟାରକୁ ଟ୍ରାକ୍ କରୁଥିବା Stoxx 600 ବ୍ୟାଙ୍କ ସୂଚକାଙ୍କ ୧.୭% ହ୍ରାସ ପାଇଛି। ଲଣ୍ଡନରେ, ବାଣିଜ୍ୟ ଯୁଦ୍ଧ ପୁଣି ଥରେ ବୃଦ୍ଧି ପାଇବା ସହିତ ବ୍ଲୁ-ଚିପ୍ ସେୟାରର FTSE ୧୦୦ ସୂଚକାଙ୍କ ୧.୧% ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.