ନୂଆଦିଲ୍ଲୀ, ୧୯|୧୧: ଗୋଟିଏ ପରେ ଗୋଟିଏ ଦେଶ ସହ ସମ୍ପର୍କ ଖରାପ ପରେ ସୁଧାରି ଚାଲିଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମେ ଟାରିଫ ଓ୍ୱାରରେ ଅନେକ ଦେଶକୁ ହଇରାଣ କରିଥିଲେ । ପରେ ଟାରିଫ୍ କମାଇ ପୁନଃ ସମ୍ପର୍କ ପ୍ରତିଷ୍ଠା କରିଥିଲେ । ଏବେ ହ୍ୱାଇଟ୍ ହାଉସରେ ସାଉଦି ଆରବ କ୍ରାଉନ ପ୍ରିନ୍ସ କିଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି । ସାମ୍ବାଦିକ ଜମାଲ ଖସୋଗୀଙ୍କ ହତ୍ୟାକାଣ୍ଡ ମାମଲାରେ ନିଜ ଗୁଇନ୍ଦା ବିଭାଗର ରିପୋର୍ଟକୁ ମଧ୍ୟ ସେ ଖାରଜ କରିଛନ୍ତି । ଏହାସହ କ୍ରାଉନ ପ୍ରିନ୍ସଙ୍କୁ କ୍ଲିଟ୍ ଚିଟ୍ ଦେଇଛନ୍ତି ।

ତେବେ ଟ୍ରମ୍ପଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ଏବାବଦରେ ପ୍ରଶ୍ନ କରିଥିଲେ । କ୍ରାଉନ ପ୍ରିନ୍ସ ହତ୍ୟାକାଣ୍ଡକୁ ମଂଜୁରୀ ଦେଇଥିଲେ । ତେଣୁ ତାଙ୍କ ଉପରେ ଭରସା କରିହେବ କି ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା ।

ଏହା ଉପରେ ଟ୍ରମ୍ପ କହିଥିଲେ ଯେ, ତୁମେମାନେ ସବୁ ଫେକ୍ ନ୍ୟୁଜ୍ । ଆମେରିକାର ପରିଶ୍ରମକୁ ଲଜ୍ଜିତ କରନ୍ତୁ ନାହିଁ । ଅନେକ ବ୍ୟକ୍ତି ଖସୋଗୀଙ୍କୁ ପସନ୍ଦ କରୁନଥିଲେ । କିନ୍ତୁ ମହମ୍ମଦ ବିନ୍ ସଲମାନ କିଛି କରି ନାହାଁନ୍ତି । ଏପରି ପ୍ରଶ୍ନ କରି ଅତିଥିଙ୍କୁ ଅପମାନ କରିବା କିଛି ଦରକାର ନାହିଁ ।

ସୂଚନାଯୋଗ୍ୟ, ୨୦୧୮ରେ ଇସ୍ତାନବୁଲ ଦୁତାବାସରେ ସାମ୍ବାଦିକ ଖସୋଗୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରେ ପ୍ରଥମ ଥର ପାଇଁ ମଙ୍ଗଳବାର କ୍ରାଉନ ପ୍ରିନ୍ସ ହ୍ୱାଇଟ ହାଉସ ଯାଇଥିଲେ । ସେ ମଧ୍ୟ ଘଟଣାକୁ ଅଭାବନୀୟ କହିଥିଲେ । ଏପରି ଘଟଣା ଆଉ ଥରେ ଯେପରି ନହୁଏ ସେନେଇ ସାଉଦି ସରକାର ପଦକ୍ଷେପ ନେବେ ।

ତେବେ ଖସୋଗୀଙ୍କ ହତ୍ୟାରେ ସାଉଦି କ୍ରାଉନ ପ୍ରିନ୍ସଙ୍କ ହାତ ଥିବା କହାଯାଉଥିଲା । ନିଜେ ଆମେରିକାର ଗୁଇନ୍ଦା ସଂସ୍ଥା ଏହା ପ୍ରକାଶ କରିଥିଲା । କିନ୍ତୁ ଏହାକୁ ଟ୍ରମ୍ପ ଖାରଜ କରିବା ସହ କ୍ରାଉନ୍ ପ୍ରିନ୍ସ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ।