News7 Logo

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ କଲେ ରାଷ୍ଟ୍ରପତି ଟ୍ରମ୍ପ, ଜନ୍ମ ଦିନ ପାଇଁ ଜଣାଇଲେ ଶୁଭେଚ୍ଛା

NEWS7
trump

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପ୍ଟେମ୍ୱର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଥିବା ବେଳେ ମଙ୍ଗଳବାର ରାତିରେ ଟ୍ରମ୍ପ ଫୋନ କରି ଶୁଭେଚ୍ଛ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଜନ୍ମ ଦିନ ଶୁଭେଚ୍ଛା ବାର୍ତ୍ତା ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ପିଏମ୍ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଦୁଇ ରାଷ୍ଟ୍ରାଧ୍ୟକ୍ଷ ପାରସ୍ପାରିକ ସହଯୋଗ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, "ମୋର ୭୫ତମ ଜନ୍ମଦିନରେ ଆପଣଙ୍କ ଫୋନ କଲ୍ ଏବଂ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ମୋର ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ । ଆପଣଙ୍କ ପରି, ମୁଁ ମଧ୍ୟ ଭାରତ-ଆମେରିକା ବ୍ୟାପକ ଏବଂ ବୈଶ୍ୱିକ ସହଭାଗୀତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ପ୍ରତିବଦ୍ଧ । ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ।"

ଚଳିତ ବର୍ଷ ପିଏମ୍ ମୋଦୀ ନିଜର ୭୫ତମ ବର୍ଷ ଦିନରେ ମଧ୍ୟପ୍ରଦେଶରେ ରହିବେ । ଧାର ଜିଲ୍ଲାର ଭୈନସାଲା ଗାଁରେ ମହିଳା ଓ ପରିବାର ପାଇଁ ସ୍ୱାସ୍ଥ୍ୟ ଓ ପୋଷଣ ଆଧାରିତ ଅଭିଯାନର ଶୁଭାରମ୍ଭ କରିବେ । ଏହାସହ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି ପାଇଁ ପିଏମ୍ ମିତ୍ର ପାର୍କର ଶିଳାନ୍ୟାସ କରିବେ । ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛି । ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ କରିବା ସହ ଚାରା ରୋପଣ ପାଇଁ ଯୋଜନା ରହିଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିନ ପାଇଁ ୭୫ ଲକ୍ଷ ଚାରା ରୋପଣ କରାଯିବ ।