ଭିଏତନାମ ଉପକୂଳକୁ ମୁହାଁଇଛି ସାମୁଦ୍ରିକ ବାତ୍ୟା ‘କାଜିଗି’, ୩ଲକ୍ଷ ଲୋକେ ସ୍ଥାନାନ୍ତର

Published By : Prameya-News7 Bureau | August 24, 2025 IST

ହାନୋଇ ୨୪।୮:  ଦକ୍ଷିଣ ଚୀନ ସାଗରରୁ ଭିଏତନାମକୁ ମୁହାଁଇଛି ସାମୁଦ୍ରିକ ବାତ୍ୟା ‘କାଜିଗି’। ଏହା ସୋମବାର ଭିଏତନାମ ପୂର୍ବ ଉପକୂଳ ପାର କରିବ। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୬୭ କିଲୋମିଟର ଧରିପାରେ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରୁଛି। ଏଣୁ ସରକାର ସତର୍କତା ସ୍ୱରୂପ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ଚଳିତବର୍ଷ ଭିଏତନାମକୁ ପ୍ରଭାବିତ କରିଥିବା ଟ୍ରପିକାଲ ଷ୍ଟର୍ମ ମଧ୍ୟରେ ଏହା ପଞ୍ଚମ ବୋଲି କୁହାଯାଉଛି। 

ସାମୁଦ୍ରିକ ବାତ୍ୟାକୁ ଦୃଷ୍ଟିରେ ରଖି ଭିଏତନାମ ଏୟାର ଲାଇନ୍ସ ରବିବାର ଓ ସୋମବାର ୨୨ଟି ଉଡାଣ ଓ ଅବତରଣ ରଦ୍ଦ କରିଛି। ସେହିପରି ଦେଶର ବଜେଟ୍ ଏୟାରଲାଇନ୍ସ ଭିଏତଜେଟ୍ ସେବା ବାତିଲ କିମ୍ବା ଉଡାଣ ବିଳମ୍ବ କରିବ ବୋଲି ଘୋଷଣା କରିଥିବା ଜଣାପଡିଛି। ଏହାଛଡା ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ଜାହାଜ ଗୁଡିକୁ ବନ୍ଦର ନ ଛାଡିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସମୁଦ୍ରରେ ଆସୁଥିବା ବିପଦ ନେଇ ଛୋଟ ଓ ବଡ଼ ୬୦ ହଜାର ଜାହାଜ ଓ ୨ଲକ୍ଷ ୪୯ ହଜାରରୁ ଅଧିକ ଚାଳକ ଦଳଙ୍କୁ ସତର୍କ କରାଯାଇଛି। 

ବାତ୍ୟା କାଜିଗି ଚୀନ୍ ର ଦକ୍ଷିଣ ଉପକୂଳ ଅତିକ୍ରମ କରିଗଲାଣି । ଭିଏତନାମ ଉପକୂଳରେ ସୋମବାର ଏହାର ପ୍ରଭାବ ପଡିବା ଆରମ୍ଭ ହେବ। ଚୀନ୍ ଜାତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଘୂର୍ଣ୍ଣିବାତ୍ୟାର କେନ୍ଦ୍ର ସ୍ଥଳରେ ପବନର ବେଗ ସେକେଣ୍ଡ ପ୍ରତି ୩୮ ମିଟର ରହିଛି। ଏହି ବାତ୍ୟା ଯୋଗୁ ହାଇନାନରେ ୪୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଏହା ଚୀନ୍ ର ଗୁଆଙ୍ଗଡଙ୍ଗ ଓ ଗୁଆଙ୍ଗସିକୁ ମଧ୍ୟ ପ୍ରଭାବିତ କରିବ। 

ଭିଏତନାମ ସରକାର ଏହି ସାମୁଦ୍ରିକ ବାତ୍ୟା କାଜିଗିକୁ ଗତବର୍ଷ ଆସିଥିବା ବାତ୍ୟା ‘ୟାଗୀ’ ସହ ତୁଳନା କରୁଛନ୍ତି। ୟାଗୀ ୭୦ ବର୍ଷରେ ଭିଏତନାମ ଆସିଥିବା ସାମୁଦ୍ରିକ ବାତ୍ୟା ମଧ୍ୟରେ ସବୁଠୁ ଶକ୍ତିଶାଳୀ ଥିଲା। ଫଳରେ ଭିଏତନାମରେ ଭୀଷଣ ବନ୍ୟା ଓ ଭୂ-ସ୍ଖଳନ ହୋଇଥିବା ବେଳେ ଭିଏତନାମରେ ୩୦୦, ମ୍ୟାଁମାରରେ ୨୨୬, ଥାଇଲ୍ୟାଣ୍ଡରେ ୪୨ ଓ ଫିଲପାଇନ୍ସ ୨୧ ଜଣଙ୍କ ମୃତ୍ୟୁର କାରଣ ପାଲଟିଥିଲା। ୟାଗୀକୁ ସୁପର ଟାଇଫୁନ ଶ୍ରେଣୀର ବାତ୍ୟା ଆକଳନ କରାଯାଇଥିଲା। 

ସାଇକ୍ଲୋନ କାଜିଗି ଏବେ ଦକ୍ଷିଣ-ପୂର୍ବ ଏସିୟାରେ ଗୁରୁତର ବିପଦର କାରଣ ପାଲଟିଛି। ଭିଏତନାମ ଓ ଚୀନ ପ୍ରଶାସନ ଏହାର ମୁକାବିଲା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟାକୁ ନେଇ ଲୋକଙ୍କୁ ଆତଙ୍କିତ ନ ହେବାକୁ ଓ ସ୍ଥାନୀୟ ପ୍ରଶାସନର ଦିଶାନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.