ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବର୍ତ୍ତମାନ ସମସ୍ତ ବିରୋଧୀ ନେତା କେନ୍ଦ୍ର ସରକାରଙ୍କୁ ଯୁଦ୍ଧ ପାଇଁ ଉସ୍କାଉଛନ୍ତି। ଏଥିରେ ଟିଏମ୍ସି ଜୋର୍ସୋର୍ରେ ଲାଗି ପଡ଼ିଛି। ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ ରବିବାର କହିଛନ୍ତି ଯେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାର ସମୟ ଆସିଯାଇଛି। ପଡ଼ୋଶୀ ଦେଶ ଦ୍ୱାରା ଅଧିକୃତ କାଶ୍ମୀରର ଅଂଶକୁ ହାସଲ କରିବାର ସମୟ ଆସି ଯାଇଛି ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି। ଏନେଇ ସେ ରବିବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି "ପାକିସ୍ତାନକୁ ଆଉ ସର୍ଜିକାଲ୍ ଷ୍ଟ୍ରାଇକ୍ କିମ୍ବା ପ୍ରତୀକାତ୍ମକ ଧମକ ଦେବାର ଏହା ସମୟ ନୁହେଁ। ସେମାନେ ଯେଉଁ ଭାଷାରେ ବୁଝନ୍ତି, ସେହି ଭାଷାରେ ସେମାନଙ୍କୁ ଶିକ୍ଷା ଦେବାର ସମୟ ଆସିଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ପୁନର୍ବାର ହାସଲ କରିବାର ସମୟ ଆସିଛି।"
ଏଥିସହିତ ଆକ୍ରମଣରେ କେଉଁଠି ତ୍ରୁଟି ରହିଲା ତା ଉପରେ ଆଲୋଚନା ନ କରି ଦେଶର ମିଡିଆ କିଭଳି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ମହିମା ମଣ୍ଡନରେ ଲାଗିଛି ସେ ନେଇ ମଧ୍ୟ ଅଭିଷେକ ସମାଲୋଚନା କରିଛନ୍ତି। ଏନେଇ ଏକ୍ସରେ ଲେଖିଛନ୍ତି " ମୁଖ୍ୟଧାରାର ଗଣମାଧ୍ୟମ ଏବଂ କେନ୍ଦ୍ର ସରକାରଙ୍କ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ଆଚରଣକୁ ନିକଟରୁ ଅନୁସରଣ କରୁଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣର ତ୍ରୁଟିଗୁଡ଼ିକର ଗଭୀର ତଦନ୍ତ କରିବା ପରିବର୍ତ୍ତେ, ସେମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ପହଞ୍ଚାଇବା ପାଇଁ ସେମାନଙ୍କୁ ସୁହାଇଲା ଭଳି କଥାର ପ୍ରଚାର ପ୍ରସାର କରୁଥିବା ପରି ମନେ ହେଉଛି। ତେଣୁ ଏବେ ନିମ୍ନ ରାଜନୀତିରୁ ଉପରକୁ ଉଠି ସବୁଦିନ ପାଇଁ ଏହି ପ୍ରସଙ୍ଗକୁ ନିର୍ଣ୍ଣାୟକ ଭାବରେ ସମାଧାନ କରିବାର ସମୟ ଆସିଛି।
ସେପଟେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଠୋର ଦଣ୍ଡ ଦେବା କଥା ଦୋହରାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଏବଂ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କୁ କଠୋର ଦଣ୍ଡ ଦିଆଯିବ, ପୀଡିତମାନଙ୍କୁ ନ୍ୟାୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରବିବାର ତାଙ୍କର 'ମନ କି ବାତ' ଭାଷଣରେ, ମୋଦୀ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ଭାରତୀୟମାନଙ୍କର ଏକତା ହେଉଛି ଦେଶର ସବୁଠାରୁ ବଡ଼ ଶକ୍ତି।
ସେପଟେ ଏହି ମାମଲାର ତଦନ୍ତ ଭାର ଏନ୍ଆଇଏ ହାତକୁ ନେଇଛି। ତଦନ୍ତରେ ଏନ୍ଆଇଏକୁ ବହୁ ବଳିଷ୍ଠ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ ଗଛ ଉପରେ ଚଢ଼ି ଫଟୋଗ୍ରାଫୀ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଘଟଣା ବେଳର ସମସ୍ତ ଫଟୋ ଓ ଭିଡିଓ ନେଇ ଏନ୍ଆଇଏ ତଦନ୍ତ ଆରମ୍ଭ କରିଦେଇଛି।