ପହଲଗାମ ହତ୍ୟାକାଣ୍ଡ ଘଟାଇବାକୁ ୨୦-୨୨ ଘଣ୍ଟା ଚାଲି ଚାଲି ଆସିଥିଲେ ଆତଙ୍କବାଦୀ: ଏନ୍‌ଆଇଏକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Published By : Prameya-News7 Bureau | April 27, 2025 IST

indiatoday

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତରୁ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇବାକୁ ପୂରା ଯୋଜନା କରି ଆସିଥିଲେ। ଏଥିପାଇଁ ସେମାନେ କୋକେରନାଗ ଜଙ୍ଗଲର ପହାଡିଆ ଅଞ୍ଚଳ ଚଢି ପ୍ରାକୃତିକ ବୈସାରଣ ଉପତ୍ୟକା ପର୍ଯ୍ୟନ୍ତ ପ୍ରାୟ ୨୦ ରୁ ୨୨ ଘଣ୍ଟା ପର୍ଯ୍ୟନ୍ତ ଚାଲି ଚାଲି ଆସି ପହଞ୍ଚିଥିଲେ। 
 ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇଟି ମୋବାଇଲ୍ ଫୋନ୍ ବ୍ୟବହାର କରିଥିଲେ। ସେଥିରୁ ଗୋଟିଏ ଫୋନ ସ୍ଥାନୀୟ ବାସିନ୍ଦାଙ୍କର ଏବଂ ଅନ୍ୟଟି ଜଣେ ପର୍ଯ୍ୟଟକଙ୍କ ଠାରୁ  ଛଡ଼ାଇ ନେଇଯାଇଥିଲେ। ଏହି ହତ୍ୟାକାଣ୍ଡରେ ଚାରି ଜଣ ଆକ୍ରମଣକାରୀ ସାମିଲ ଥିଲେ। ଯେଉଁଥିରୁ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଏବଂ ଜଣେ ସ୍ଥାନୀୟ ଆତଙ୍କବାଦୀ ଥିଲା। ସ୍ଥାନୀୟ ଆତଙ୍କବାଦୀର ନାଁ ଆଦିଲ୍ ଥୋକର ବୋଲି ସାମ୍ନାକୁ ଆସିଛି। ପୁଲିସ ଆଦିଲକୁ ଧରାଇ ଦେଲେ ୨୦ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଛି।  

ରିପୋର୍ଟ ଅନୁସାରେ, ଥୋକର ଚରପନ୍ଥୀ ମାନସିକତା ନେଇ ୨୦୧୮ ମସିହାରେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲା। ଏହାପରେ ବୈଧ କାଗଜପତ୍ର ବ୍ୟବହାର କରି ଆଇନଗତ ଭାବରେ ସେ ପାକିସ୍ତାନ ପଳାଯାଇଥିଲା। ସେଠାରେ ସେ ଲସ୍କର-ଏ-ତୈବାରେ ମିଶି ଯୁଦ୍ଧ ପାଇଁ କୋଠର ତାଲିମ ନେଇ ୨୦୨୪ରେ ଭାତର ଫେରିଥିଲେ। ଭାରତ ଫେରିବା ପରଠାରୁ, ଥୋକର ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ଏଠି ସବୁ ପ୍ରକାର ସୁବିଧା ଯୋଗାଉଥିଲା। ଜାମ୍ମୁ-କାଶ୍ମୀରର କେଉଁ ଅଞ୍ଚଳ ଅସୁରକ୍ଷିତ କେଉଁ ଅଞ୍ଚଳ ସୁରକ୍ଷିତ ଏସବୁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରି କରୁଥିଲା। 

ପଢନ୍ତୁ-ପାକିସ୍ତାନରେ ଫସିଛନ୍ତି ଭାରତୀୟଙ୍କ ପତ୍ନୀ, ଅନ୍‌ଲାଇନ୍‌ ହୋଇଥିଲା ଉଭୟଙ୍କ ବିବାହ
ଫରେନସିକ୍ ଆନାଲିସିରୁ ଏହା ଜଣାପଡ଼ିଛି ଯେ ଆକ୍ରମଣ ସମୟରେ ଆତଙ୍କବାଦୀମାନେ AK-47 ଏବଂ M4 ଆସଲ୍ଟ ରାଇଫଲ୍ସ ବ୍ୟବହାର କରିଥିଲେ। ଯାହାର କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପାଖ ଦୋକାନ ପଛରୁ ଦୁଇଜଣ ଆତଙ୍କବାଦୀ ବାହାରି ଆସି ପୀଡିତମାନଙ୍କୁ କଲ୍ମା ପାଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରେ ଅତି ନିକଟରୁ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ପର୍ଯ୍ୟଟକମାନେ ଭୟରେ ସୁରକ୍ଷା ପାଇଁ ଯିଏ ଯୁଆଡ଼େ ପାରିଥିଲେ ଦୌଡ଼ିଥିଲେ। ସେହି ସମୟରେ, ଅନ୍ୟ ଦୁଇ ଆତଙ୍କବାଦୀ ଜିପ୍ ଲାଇନ ଅଞ୍ଚଳ ନିକଟରୁ ଗୁଳି ମାଡ଼ କରି ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ।

ଏନ୍‌ଆଇଏ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ଫଟୋଗ୍ରାଫର ଏହି ଘଟଣାରେ ବଡ଼ ସାକ୍ଷୀ ହୋଇ ବାହାରିଛନ୍ତି। ଆକ୍ରମଣ ସମୟରେ ଏକ ଗଛ ଉପରେ ବସି ସେ ଘଟଣାଗୁଡ଼ିକର କ୍ରମକୁ କଏଦ କରି ଗୁରୁତ୍ୱପୂର୍ଣ୍ଣ ଫୁଟେଜ୍ ରେକର୍ଡ କରିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ତାଙ୍କ ଭିଡିଓ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। କେତେ ବେଳେ ଆଟାକ ଆରମ୍ଭ ହେଲା କେତେ ସମୟ ପର୍ଯ୍ୟନ୍ତ ଚାଲିଲା ଏସବୁ ଭିଡିଓକୁ ନେଇ ତଦନ୍ତ ଜାରି ରହିଛି। 
ପଢନ୍ତୁ- ପହଲଗାମ୍‌ ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚିତ ମିଳିବ, ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଲେ ପିଏମ୍‌ ମୋଦୀ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.