ମୁମ୍ବାଇରେ ମୁସଲମାନ ଫେରିବାଲାଙ୍କୁ ଗୋଡେଇ ଗୋଡେଇ ମାଡ଼, ୯ ଜଣଙ୍କ ବିରୋଧରେ ଏତଲା

Published By : Prameya-News7 Bureau | April 27, 2025 IST

ମୁମ୍ବାଇ ୨୭।୪: ମୁମ୍ବାଇ ପୋଲିସ ୯ ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଏତଲା ରୁଜୁ କରିଛି। ଏହି ଏତଲାରେ ମହିମ ବିଧାନସଭା ଅଧ୍ୟକ୍ଷ ଅକ୍ଷତା ତେନ୍ଦୁଲକରଙ୍କ ନାମ ମଧ୍ୟ ରହିଛି। ଏମାନେ ମୁସ୍ଲିମ ଫେରିବାଲାଙ୍କୁ ଦୁର୍ବ୍ୟବହାର କରିବା ଓ ସେମାନଙ୍କ ସହ ମାରପିଟ କରିବାର ଅଭିଯୋଗ ରହିଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ମୁସଲମାନ ଫେରିବାଲା ଯେବେ ଘଟଣାସ୍ଥଳରୁ ପଳେଇଲେ ସେମାନଙ୍କୁ ପିଛା କରି ମାଡ଼ ମରାଯାଇଛି। ସ୍ଥାନୀୟ ଫେରିବାଲା ସୌରଭ ମିଶ୍ର ଏହାକୁ ନେଇ ଶିବାଜୀପାର୍କ ପୋଲିସରେ ଅଭିଯୋଗ କରିଛନ୍ତି। 

ସୌରଭ ମିଶ୍ର ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସହ କାମ କରୁଥିବା ମୁସଲମାନ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଛି। ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ ଅଭିଯୋଗରେ କୁହାଯାଇଛି ଯେ ଅକ୍ଷତା ତେନ୍ଦୁଲକର ଓ ତାଙ୍କର ୮ଜଣ ସାଥୀ ରଙ୍ଗୋଲୀ ଷ୍ଟୋର ସାମ୍ନା ଦାଦର ମାର୍କେଟ ଅଞ୍ଚଳରେ ପହଞ୍ଚି ଫେରିବାଲାମାନଙ୍କୁ ସେମାନେ ମୁସଲମାନ କି ବୋଲି ପଚାରିଥିଲେ ଓ ମୁସଲମାନ ଜାଣିବା ପରେ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିଲେ। 

ଜୋନ ୫ ଡିସିପି ଗଣେଶ ଗାଭଡେ କହିଛନ୍ତି ଯେ ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶିବାଜୀ ପାର୍କ ଥାନାରେ ଅଭିଯୋଗ ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୧୮୯(୨), ୧୯୧(୨), ୧୧୫(୨), ୩୫୧(୨), ୩୫୨, ୩୭(୧) ଓ ୧୩୫ଏମପି ଆକ୍ଟରେ ମକଦ୍ଦମା ରୁଜୁ ହୋଇଛି। ଏ ନେଇ ଏକ ନ୍ୟୁଜ ଚ୍ୟାନେଲ ସହ ସାକ୍ଷାତକାରରେ ଅକ୍ଷତା ତେନ୍ଦୁଲକର କହିଛନ୍ତି ଯେ ସେ ସେହି ବାଂଲାଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯେଉଁମାନେ ନକଲୀ କାଗଜପତ୍ର ଆଧାରରେ ମୁମ୍ବାଇରେ ରହୁଛନ୍ତି। 

ସେ କହିଛନ୍ତି ଯେ ଏ ନେଇ ପୋଲିସରେ ମଧ୍ୟ ଏତଲା ଦିଆଯାଇଥିଲା ଓ କୁହାଯାଇଥିଲା ବାଂଲାଦେଶରୁ ଆସିଥିବା ଅବୈଧ ଅପ୍ରବାସୀ ଅଞ୍ଚଳରେ ଫଳ ଓ ପନିପରିବା ବିକ୍ରି କରୁଛନ୍ତି। ଏହା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଏଣୁ ଆମେ ଓ ସ୍ଥାନୀୟ ବାସିନ୍ଦା ଏଥିରୁ ଅସନ୍ତୁଷ୍ଟ ଥିଲୁ । ସ୍ଥାନୀୟ ବାସିନ୍ଦା ପଚାରୁଛନ୍ତି ବିଏମସି ଓ ପୋଲିସ ମାମଲାରେ କଣ କରୁଛି?ଏଣୁ ଏପ୍ରିଲ ୨୪ ତାରିଖ ଦିନ ଆମେ ଦେଖିବାକୁ ଯାଇଥିଲୁ ମୁସଲମାନ ଲୋକେ କେଉଁଠି କାମ କରୁଛନ୍ତି ଓ ଏହାର କଣ ସମାଧାନ ହୋଇ ପାରିବ। ତେବେ ପୋଲିସ ମାମଲାର ତଦନ୍ତ କରୁଥିବା କହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.