ଚେନ୍ନାଇ ୨୭।୪: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମନ୍ତ୍ରୀ ଭି.ସେନ୍ଥିଲ ବାଲାଜୀ ଓ ଡ.କେ. ପୋନମୁଡିଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସୁପାରିଶ କରିଥିଲେ, ଯାହାକୁ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିଯାଇଛି। ଏଥିରେ ଏସ.ଏସ.ଶିବ ଶଙ୍କରଙ୍କୁ ବିଦ୍ୟୁତ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଏସ.ମୁଥୁ ସାମୀଙ୍କୁ ସେନ୍ଥିଲ ବାଲାଜୀଙ୍କ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ଆର.ଏସ୍ ରାଜକନ୍ନପ୍ପନ ଏବେ ବନ ଓ ଖଦି ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିବେ। ଏହା ଛଡା ପଦ୍ମନାଭପୁରମ ବିଧାନସଭା କ୍ଷେତ୍ରର ବିଧାୟକ ଟି.ମନୋ ଥଙ୍ଗରାଜଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନୂଆ ମନ୍ତ୍ରୀମାନେ ଏପ୍ରିଲ ୨୮ ତାରିଖ ଦିନ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଉଲ୍ଲେଖଯୋଗ୍ୟ ଯେ ପୋନମୁଡି ରାଜ୍ୟ ସରକାରରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ସ୍ୱୀକାର କରିଛନ୍ତି।
ସେହିପରି ରାଜ୍ୟ ସରକାରରେ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ଏଣୁ ସୁପ୍ରିମକୋର୍ଟ ତାଙ୍କୁ ପଦ ଓ ମୁକ୍ତି ମଧ୍ୟରୁ କେଉଁଟି ଗୋଟିଏ କୁ ବାଛିବାକୁ କହିଥିଲେ। ସୁପ୍ରିମକୋର୍ଟ ଏହା ମଧ୍ୟ ଚେତାବନୀ ଦେଇଥିଲେ ଯେ ଯଦି ସେ ମନ୍ତ୍ରୀପଦରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କର ଜାମିନ ରଦ୍ଦ କରିଦିଆଯିବ। ସେହିପରି ପୋନମୁଡି ନିକଟରେ ଶୈବ ଓ ବୈଷ୍ଣବକୁ ନେଇ ବିବଦୀୟ ବୟାନ ଦେଇଥିଲେ। ତାଙ୍କର ଏହି ବୟାନର ସମାଲୋଚନା ହୋଇଥିଲା। ଏହା ଛଡା ଏହି ମାମଲା ମାଡ୍ରାସ ହାଇକୋର୍ଟକୁ ପହଞ୍ଚିଥିଲା।