ନୂଆଦିଲ୍ଲୀ: ଅବସର ପରେ ବି ସରକାରୀ ଘର ଖାଲି କରୁ ନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଏନେଇ ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଠାରୁ ତୁରନ୍ତ କୃଷ୍ଣ ମେନନ୍ ମାର୍ଗରେ ଥିବା ବଙ୍ଗଳା ନମ୍ବର ୫କୁ ଖାଲି କରିବାକୁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ସୁପ୍ରିମକୋର୍ଟ ପ୍ରଶାସନ ଅନୁଯାୟୀ, ଜଷ୍ଟିସ ଚନ୍ଦ୍ରଚୂଡ଼ ଅନୁମୋଦିତ ସମୟଠାରୁ ଅଧିକ ସମୟ ହେଲାଣି ସରକାରୀ ବାସଭବନରେ ରହୁଛନ୍ତି। ୨୦୨୨ ସୁପ୍ରିମକୋର୍ଟ ବିଚାରପତି ନିୟମର ରୁଲ୍ ୩ବି ଅନୁଯାୟୀ, ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅବସର ପରେ ୬ ମାସ ପର୍ଯ୍ୟନ୍ତ ସରକାରୀ ବାସଭବନ ରହିପାରିବେ। ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ୬ ମାସର ଅବଧି ୧୦ ମଇ, ୨୦୨୫ ରେ ଶେଷ ହୋଇଥିଲା। ଏହା ସତ୍ତ୍ୱେ ବି ଚନ୍ଦ୍ରଚୂଡ଼ଙ୍କୁ ମେ ୩୧, ୨୦୨୫ ପର୍ଯ୍ୟନ୍ତ ଅଧିକ ସମୟ ଦିଆଯାଇଥିଲା। ତା’ର ମଧ୍ୟ ସମୟ ସୀମା ଶେଷ ହୋଇଥିଲେ ବି ପୂର୍ବତନ ପ୍ରଧାନ ବିଚାରପତି ସରକାରୀ ଘର ଖାଲି କରୁ ନାହାନ୍ତି।
ଚିଠିରେ ପ୍ରଶାସନ କହିଛି ଯେ ଏହି ବଙ୍ଗଳାଟି ସରକାରୀ ସୁପ୍ରିମକୋର୍ଟ ହାଉସ ପୁଲର ଏକ ଅଂଶ। ତେଣୁ ଏବେ ଏହାକୁ ନିୟମ ଅନୁସାରେ ପୁନଃ ଆବଣ୍ଟନ ପାଇଁ ଫେରାଇ ଦିଆଯିବା ଉଚିତ। ଆବାସିକ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ଚିଠିରେ ଆଉ ବିଳମ୍ବ ନକରି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଠାରୁ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।
ଜୁଲାଇ ୧ ତାରିଖରେ ସୁପ୍ରୀମ କୋର୍ଟର ଜଣେ ଅଧିକାରୀ ମନ୍ତ୍ରଣାଳୟର ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ମାନ୍ୟବର ଡ. ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କଠାରୁ କୃଷ୍ଣା ମେନନ ମାର୍ଗରେ ଥିବା ବଙ୍ଗଳା ନମ୍ବର ୫ର ଅବିଳମ୍ବରେ ଖଲି କରାଯାଉ। କାରଣ ଏହାର ଅନୁମତିପ୍ରାପ୍ତ ଅବଧି ୨୦୨୫ ମେ ୩୧ରେ ସମାପ୍ତ ହୋଇଛି ଏବଂ ୨୦୨୨ ନିୟମାବଳୀର ନିୟମ ୩ବି ଅନୁଯାୟୀ ଦିଆଯାଇଥିବା ୬ ମାସର ଅବଧି ୨୦୨୫ ମେ ୧୦ରେ ମଧ୍ୟ ଶେଷ ହୋଇଛି।”