LIVE TV

ଏକ୍ ବିବାହ ଏସା ଭି....ଘଞ୍ଚ ଜଙ୍ଗଲରେ ଦେଖା ପରେ ପ୍ରେମ, ଏବେ ଥାନାରେ ପଡ଼ିଲା ହାତଗଣ୍ଠି

NEWS7
tiger-occupancy-in-india-increased-by-30-percent-in-20-years

ମାଲକାନଗିରି ୧୪/୧୦: ବନ୍ଧୁକ ଧରା ହାତରେ ଲାଗିଛି ମେହେନ୍ଦି । ଦିନେ ଘଞ୍ଚ ଜଙ୍ଗଲରେ ବୁଲୁଥିଲେ, ନୀରିହ ଜୀବନ ନେଉଥିଲେ । ଏବେ ସେଇ ହାତ ସମାଜର ମଙ୍ଗଳ ପାଇଁ ଉଠିଛି । ସମାଜର ମୁଖ୍ୟ ଧାରାକୁ ଫେରିଛନ୍ତି ଦୁଇ ସାଥୀ । ଖାଲି ଫେରିନାହାଁନ୍ତି ତ ହାତକୁ ଦୁଇ ହାତ ହୋଇ ସୃଷ୍ଟି କରିଛନ୍ତି ଉଦାହରଣ । ପରିବର୍ତ୍ତନ ଓ ବିଶ୍ୱାସର ନିଚ୍ଛକ କାହାଣୀ, ବୟାନ କରୁଛି ଅନେକ କିଛି ।

ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଏବେ ଥାନାରେ କରିଛନ୍ତି ବିବାହ। ବେକରେ ବରଣମାଳା ପଡିଛି ଆଉ ପୂରା ଧୂମଧାମ୍ ରେ ହୋଇଛି ବାହାଘର । ସାଗର ଡିର୍ଡୋ ଓ ସଚିଲା ମାଣ୍ଡାଭି ସାତ ଜନମର ସାଥୀ ହୋଇ ଚାଲିବାର ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ ମାଓ ପ୍ରଭାବିତ କାଙ୍କେର ଜିଲ୍ଲାର ପାଖଞ୍ଜୁରରୁ ଚିତ୍ର ବୟାନ କରୁଛି ଅନେକ କିଛି । 

ବୈଦିକ ରୀତିନୀତିରେ ପଡିଥିଲା ହାତଗଣ୍ଠି । ବିବାହ ମଣ୍ଡପ ପାଲଟିଥିଲା ପାଖଞ୍ଜୁର ପୋଲିସ ପୋଷ୍ଟ । ପଡୁଥିଲା ଫୁଲ, ବାଜୁଥିଲା ବାଜା । ସାକ୍ଷୀ ସାଜିଥିଲେ କିଛି ଖାକି ବାବୁଙ୍କ ସହ ଦେଖଣାହାରୀ । ଏମିତିକି କନ୍ୟାଦାନ ବି କରିଥିଲେ ପୋଲିସ କର୍ମଚାରୀ । ବିବାହ କେବଳ ଦୁଇଟି ମନର ମିଳନ ନୁହେଁ, ବରଂ ଚିନ୍ତାଧାରାର ବିଜୟ । ଯାହା ସମାଜକୁ ବନ୍ଧୁକ ସହିତ ନୁହେଁ, ବରଂ ବିଶ୍ୱାସ ସହିତ ଏକ କରିବ ।

ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ବର, ସାଗର ଏବଂ କନ୍ୟା, ସଚିଲା, ଏବେ ଗୁପ୍ତ ସେବାକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ସେମାନେ ବର୍ତ୍ତମାନ ସେହି ବ୍ୟବସ୍ଥାର ଅଂଶ ଯିଏ ପୂର୍ବରୁ ସେମାନଙ୍କୁ ବିରୋଧ କରୁଥିଲା । ଧୀରେ ଧୀରେ, ସେମାନେ ପରସ୍ପର ସହିତ ପରିଚିତ ହୋଇଥିଲେ ଓ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। 

ସେପଟେ ଏପରି ବିବାହକୁ ନେଇ ସବୁଠି ମିଳିଛି ବାବାବା । ଷ୍ଟେସନ ଇନଚାର୍ଜଙ୍କଠାରୁ ସ୍ଥାନୀୟ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ବାରି ହୋଇପଡୁଥିଲା ଖୁସି ଓ ଆନନ୍ଦର ପରିଭାଷା । ପଖାଞ୍ଜୁର ପୋଲିସ ଷ୍ଟେସନ କେବଳ ଆଇନ ଶୃଙ୍ଖଳାର କେନ୍ଦ୍ର ନୁହେଁ । ବରଂ ନୂତନ କାହାଣୀର ଜନ୍ମସ୍ଥାନ ଥିଲା ବୋଲି ଚର୍ଚ୍ଚା ହେଉଛି । ଶାନ୍ତି, ପ୍ରେମ ଓ ବିଶ୍ୱାସର । ପୋଲିସ ପଦକ୍ଷେପ ଏକ କାହାଣୀ ସୃଷ୍ଟି କରିଛି ଯାହା ଆମକୁ କୁହେ, ଶାନ୍ତିର ପଥ ଗୁଳିରେ ନୁହେଁ, ବରଂ ପ୍ରେମରେ ଅଛି । 

ହିଂସା ପରିତ୍ୟାଗ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସମାଜ ଏବଂ ପ୍ରଶାସନର ଦ୍ୱାର ସର୍ବଦା ଖୋଲା । ଯେଉଁ ହାତ ପୂର୍ବରୁ ବନ୍ଧୁକ ଧରିଥିଲା ସେମାନେ ଏବେ ଅନ୍ୟ କାହା ପରିବାରକୁ ଦେବେ ସୁରକ୍ଷା । ଯେଉଁ ପାଦ ଥରେ ଜଙ୍ଗଲରେ ବୁଲୁଥିଲା ସେମାନେ ଏବେ ମୁଖ୍ୟସ୍ରୋତକୁ ଫେରି ଆସିଛି । ଯାହାର ବଳିଷ୍ଠ ପ୍ରମାଣ ସାଗର, ସଚିଲା ।