କେନ୍ଦୁଝର ୨୪।୧୧: କେନ୍ଦୁଝର ବନଖଣ୍ଡରେ ଚାଲିଛି ବାଘ ଗଣନା । କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ରେ ଏବେ ଚାଲିଛି ବାଘ ଗଣନା । ଏହି ବାଘ ଗଣନା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ୍ ସର୍ଭେ, ଆଙ୍ଗୁଲେଟ ସର୍ଭେ, ଭେଜିଟେସନ ସର୍ଭେ ଆଦି କରାଯିବ । ପରେ ଡିସେମ୍ବର ଓ ଜାନୁୟାରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ୍ ସର୍ଭେ ହେବ ।

ବର୍ତ୍ତମାନ ସୁଦ୍ଧା ଚାଲିଥିବା ପ୍ରାଥମିକ ସର୍ଭେରୁ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ଜଙ୍ଗଲରେ ସର୍ଭେରୁ କ୍ୟାଟ୍ ଫ୍ୟାମିଲିର ଓ କଲରାପତରିଆ ବାଘର ଅନେକ ଚିହ୍ନ ମିଳିଛି । ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଥର ମହାବଳ ବାଘ ମଧ୍ୟ ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ତାର ସ୍ଥିତି ଜାହିର କରିଛି ।

ବାଘ ଗଣନା ବେଳେ ବନ ଅଧିକାରୀ ଏବଂ କର୍ମଚାରୀ ମାନେ ପାଦଚଲା ପାଟ୍ରୋଲିଂ କରି ବାଘର ପାଦ ଚିହ୍ନ, ମଳ ସଂଗ୍ରହ କରିବେ । ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦ ଚିହ୍ନ ନେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ବାଘ ରହୁଥିବା ଟେରିଟୋରୀରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଡିଭିଜନ୍ ସ୍ତରରେ ବିଭିନ୍ନ ଉପାୟରେ ବ୍ୟାଘ୍ର ଗଣନା ପାଇଁ ଏକତ୍ରିକରଣ ଏବଂ ବିଶ୍ଲେଷଣ କରାଯିବ । ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ ବନ କର୍ମଚାରୀ ମାନେ ଏମ୍‌ଷ୍ଟ୍ରିପେସ୍ ଇକୋଲୋଜିକାଲ ଆପ୍ ଜରିଆରେ ସର୍ଭେ ରିପୋର୍ଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋଡ୍ କରିବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ କେନ୍ଦୁଝର ବନଖଣ୍ଡରେ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ସ୍ପଷ୍ଟ ହେବ ।

​​​​​​​

ଗତ ୨୦୨୩ ମସିହାରେ ବ୍ୟାଘ୍ର ଗଣନାରେ ଏକାଧିକ ସ୍ଥାନରେ ଏବଂ ଭିନ୍ନ ଭିନ୍ନ ପଦଚିହ୍ନ ମିଳିଥିବାରୁ କଲରାପତରିଆ ସଂଖ୍ୟା ବଢ଼ିଥିବା ସୂଚନା ମିଳଥିଲା । ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥିବାରୁ ସେମାନେ ଆକୃଷ୍ଠ ହୋଇ ଆସୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଅଟେଇ ସଂରକ୍ଷିତ ଜଙ୍ଗଲ ସହିତ ଶିମିଳିପାଳ ଓ ସାତକୋଶିଆ ଦେଇ ଯୋଗାଯୋଗ ରହିଥିବାରୁ ଆଗକୁ ଅଧିକ ବାଘ ବଂଶ ବୃଦ୍ଧି ହେବା ଆଶଙ୍କା ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଡିସେମ୍ବର ମାସରେ ଟ୍ରାପ୍ କ୍ୟାମେରା ଦ୍ୱାରା ବାଘ ସହିତ ହାତୀ, ଏବଂ ଅନ୍ୟାନ୍ୟ ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ଗଣନା କରାଯିବ ।