Bangladesh Violence: ବାଂଲାଦେଶରେ ବଢୁଛି ରାଜନୈତିକ ହିଂସା, ବିଏନ୍‌ପି ଦଳର ନେତାଙ୍କୁ ଗୁଳି କରି ହତ୍ୟା

NEWS7
three-person-died-in-road-accident-at-bhadrak

ଢାକାବାଂଲାଦେଶରେ ରାଜନୈତିକ ହିଂସା ଜାରି ରହିଛି। ବାଂଲାଦେଶ ନ୍ୟାସନାଲ ପାର୍ଟି(BNP)ର ଶାଖା ସ୍ୱେଚ୍ଛା ସେବକ ଦଳର ନେତା ଅଜିଜୁର ରହମାନ ମୁସାବ୍ବିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ ୮.୩୦ ବେଳେ ତାଙ୍କୁ ଢାକାର କରୱାନ ବଜାର ଅଞ୍ଚଳରେ ଥିବା ଏକ ସୁପର ଷ୍ଟାର ହୋଟେଲ୍ ନିକଟରେ କେହି ଜଣେ ଦୁର୍ବୃତ୍ତ ଅଜିଜୁରଙ୍କୁ ଗୁଳି କରି ଫେରାର୍ ହୋଇଯାଇଥିଲେ।

ଅଜିଜୁରଙ୍କ ସହ ଥିବା ଆଉ ଜଣେ ବ୍ୟକ୍ତି ବି ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ସୁଫିଆନ ବ୍ୟାପାରି ମାସୁଦ। ସେ ତେଜଗାଁ ଥାନା ଭାନ ଶ୍ରମିକ ସଂଘର ସାଧାରଣ ସମ୍ପାଦକ। ଦଳୀୟ ନେତାଙ୍କ ହତ୍ୟା ପରେ ବିଏନ୍ପି ପକ୍ଷରୁ ବାଂଲାଦେଶରେ ଆନ୍ଦୋଳନ କରାଯାଇଛି। ରିପୋର୍ଟ ଅନୁସାରେ, ପ୍ରାୟ ୨୦୦ ବିଏନପି ନେତା ଏବଂ କର୍ମୀ କାରୱାନ ବଜାର ଛକରେ ଏକତ୍ରିତ ହୋଇ ଘଟଣାରେ ପ୍ରତିବାଦ କରିଥିଲେ।

ଅଜିଜୁର ରହମାନ କିଏ?

୪୫ ବର୍ଷ ବୟସ୍କ ଅଜିଜୁର ରହମାନ ମୁସାବ୍ବିର ବିଏନ୍ପିର ଭଲ୍ୟୁଣ୍ଟର ୱିଙ୍ଗ୍ ସ୍ୱେଚ୍ଛାସେବକ ଦଳର ପୂର୍ବତନ ନେତା ଥିଲେ। ସେ ମୂଳତଃ ଶରିୟତପୁରର ବାସିନ୍ଦା। ୨୦୨୦ ମସିହାରେ ନଗର ନିଗମ ନିର୍ବାଚନରେ ତେଜଗାଓଁର ୱାର୍ଡ-୨୬ରେ କାଉନସିଲର ପଦବୀ ପାଇଁ ବିଏନ୍ପି ସମର୍ଥିତ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରିପୋର୍ଟ ଅନୁସାରେ, ତାଙ୍କ ପରିବାର ପଶ୍ଚିମ କାରୱାନ ବଜାରର ଗାର୍ଡେନ୍ ରୋଡରେ ରୁହନ୍ତି।

ବାଂଲାଦେଶ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ବୃଦ୍ଧି

ଫେବ୍ରୁଆରୀ ମାସରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ରାଜନୈତିକ ହିଂସା ଜାରି ରହିଛି। ଛାତ୍ର ନେତା ଉସମାନ ହାଦୀଙ୍କୁ ହତ୍ୟା କରିବା ପରେ ବାଂଲାଦେଶରେ ଏହି ଘଟଣା ଜାରି ରହିଛି। ଢାକାର ଏକ ମସଜିଦରୁ ବାହାରିବା ସମୟରେ ପ୍ରମୁଖ ଛାତ୍ର ନେତା ସରିଫ ଓସମାନ ହାଦିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା କିନ୍ତୁ ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେଠାରେ ରାଜନୈତିକ ହିଂସା ବଢ଼ି ଯାଇଛି। କେବଳ ରାଜନେତାମାନଙ୍କୁ ଟାର୍ଗେଟ୍ କରାଯାଉ ନାହିଁ, ସଂଖ୍ୟାଲଘୁମାନଙ୍କୁ ବି ଟାର୍ଗେଟ୍ କରି ହତ୍ୟା କରୁଛନ୍ତି ବାଂଲାଦେଶର ମୁସ୍ଲିମ ମୌଳବାଦୀ। ଫେବୃଆରୀ ୧୨ରେ ହେବାକୁ ଥିବା ଜାତୀୟ ନିର୍ବାଚନ ପାଖେଇ ଆସୁଥିବାରୁ ବାଂଲାଦେଶରେ ଭିଡ ହିଂସା, ଦଙ୍ଗା ଏବଂ ରାଜନୈତିକ ହତ୍ୟା ଭଳି ଘଟଣାରେ ତୀବ୍ର ବୃଦ୍ଧି ହୋଇଛି।

୨୦୨୪ ମସିହାରେ ମହମ୍ମଦ ୟୁନୁସ୍ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ଘଟଣା ବୃଦ୍ଧି ପାଇଛି। ଡିସେମ୍ବର ୩୧ ତାରିଖରେ ଶରିୟତପୁରରେ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଛୁରି ଭୁସିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେବା, ଡିସେମ୍ବର ୧୯ ତାରିଖରେ ଈଶ୍ୱର ନିନ୍ଦା ଅଭିଯୋଗରେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟିବା ପରେ ପୋଡ଼ି ମାରିଦେବା ଭଳି ଘଟଣା ବାଂଲାଦେଶରେ ସଂଖ୍ୟାଲଘୁ ସୁରକ୍ଷାକୁ ପଦାରେ ପକାଇଛି। କେବଳ ଡିସେମ୍ବର ମାସରେ, ଅତି କମରେ ୫୧ ଟି ହିଂସାତ୍ମକ ଘଟଣା ରିପୋର୍ଟ ହୋଇଛି।