ନୀଳଗିରି ୨୧/୧୧: ଆଉ ବଉଳ ବୋଉ ବୋଉକା ଖେଳ ଖେଳିବା । ଭାତ କରିବା, ଡାଲି କରିବା, ତୁମ କରିବା । ରୋଷେଇ ସାରି ଆମ ସାଙ୍ଗ ହୋଇ ଖାିଇବା । ଏମିତି କେତେ ପ୍ଲାନିଂ । ଆଉ ପ୍ଲାନିଂ ଅନୁସାରେ ସବୁ ସାଙ୍ଗରେ ବି ନେଇ ଆସିଲେ । ଆରମ୍ଭ ହେଲା ସଢେଇରେ ରୋଷେଇ । ରୋଷେଇ ସରିଥିବାରୁ ଭୋକ ବି ଜୋରରେ ହେଲା । ସାଙ୍ଗ ସାଥୀ ହୋଇ ବସି ଖାଇଲେ ସବୁ ସାଙ୍ଗ । ହେଲେ ଖାଇସାରିବା ପରେ କଣ ହେଲା ।

ଲୁଣ ଭାବି ଥିମେଟ୍ ଖାଇଦେଲେ ତିନି ଶିଶୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ । ସଢ଼େଇ ଖେଳ ଖେଳୁଥିବା ସମୟରେ ଅଜାଣତରେ ଥିମେଟ୍ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।ସୂଚନାଥାଉକି, ସେହି ଗ୍ରାମର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ ,ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ, ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ ଗୁରୁବାର ଅପରାହ୍ନ ସାଙ୍ଗ ହେଇ ଖେଳୁଥିଲେ ।

ହେଲେ ଏହି ସଢ଼େଇ ଖେଳ ହେଲା କାଳ । କାରଣ ଖେଳୁଥିବାବେଳେ ସଢେଇରେ ତିଆରି କରିଥିବା ଖାଦ୍ୟ ସବୁକୁ ଏକାଠି ଧରି ବସି ଖାଇଥିଲେ । ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ।ହେଲେ ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ।

ଘର ଲୋକ ସଂଧ୍ୟାରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାର ଦେଖି ରାତିରେ ସେମାନଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରେମୁଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଜଣେ ଶିଶୁଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରାଯାଇଛି ।