ନୂଆଦିଲ୍ଲୀ: ମହାକୁମ୍ଭରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପି ଓ ଉତ୍ତର ପ୍ରଦେଶ ସରକାରକୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମହାକୁମ୍ଭରେ ହଜାର ସଂଖ୍ୟକ ଶ୍ରଦ୍ଧାଳୁ ନିଖୋଜ ହୋଇଗଲେ। ୟୁପି ସରକାର ନିଖୋଜ ଲୋକଙ୍କୁ ନେଇ ଲାଗିଥିବା ପୋଷ୍ଟରକୁ ହଟାଇ ଦେଉଛି।
ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ମହାକୁମ୍ଭ ସମୟରେ ସୁରକ୍ଷା ଓ ବ୍ୟବସ୍ଥାକୁ ନେଇ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କେବଳ ଏହାର ବନ୍ଦୋବସ୍ତ କରୁଥିଲେ ଯେ, ଗାଡ଼ି କେଉଁଠି ଛିଡ଼ା ହେବ। ଏପରିକି ଅନେକ ଆଇପିଏସ୍ ଅଧିକାରୀ ଲୋକଙ୍କୁ ସ୍ନାନ ପାଇଁ ଆଗକୁ ବଢିବାକୁ ଦେଉ ନ ଥିଲେ। ସେ ଅଭିଯୋଗ କରିଥିଲେ ଯେ, ଶ୍ରଦ୍ଧାଳୁଙ୍କୁ ସୀମାରେ ରୋକା ଯାଉଥିଲା ଓ ପ୍ରଶାସନ ଦ୍ଵା୍ରା ସେମାନଙ୍କୁ ବୁଡ଼ ପକାରୁ ବଞ୍ଚିତ କରାଯାଉଥିଲା।
ଅଖିଳେଶ କହିଛନ୍ତି, ମହାକୁମ୍ଭର ଆୟୋଜନ ଏକ ଆଧ୍ୟାତ୍ମିକ ଚେତନାର ପ୍ରତୀକ। ଏହାକୁ ବାରମ୍ବାର ମନେ ପକାଯାଏ। ସବୁ ସରକାର ଏହାର ଉନ୍ନତ ବ୍ୟବସ୍ଥା କରିବାକୁ ଉଦ୍ୟମ କରିଥାନ୍ତି। ମାତ୍ର ବଡ଼ ପ୍ରଶ୍ନ ଏହା ଯେ, କେନ୍ଦ୍ର ସରକାର ଏହି ଆୟୋଜନ ପାଇଁ କେତେ ବଜେଟ୍ ଆବଣ୍ଟନ କରିଥିଲେ। ଉତ୍ତର ପ୍ରଦେଶ ସରକାରଙ୍କୁ କେତେ ଆର୍ଥିକ ସହାୟତା ମିଳିଥିଲା। ଏହାର ସୂଚନା ସାର୍ବଜନୀନ କରାଯାଇ ନ ଥିବା ଅଖିଲେଶ କହିଛନ୍ତି।
ସେ କହିଛନ୍ତି, ଯେବେ ଦେଶରେ ଐତିହାସିକ ତଥ୍ୟକୁ ନେଇ ବିତର୍କ ଜାରି ରହିଛି, ସେହି ସମୟରେ ସରକାରଙ୍କୁ ଜଣାଇବା ଉଚିତ୍ ଯେ, ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କଣ କଣ ବ୍ୟବସ୍ଥା କରାଯାଇଥିଲା। ସେ ଦାବି କରିଥିଲେ ଯେ, ପାଖାପାଖି ହଜାରେ ହିନ୍ଦୁ ଶ୍ରଦ୍ଧାଳୁ ନିଖୋଜ ଅଛନ୍ତି। ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ଖୋଜଖବର ନାହିଁ।
ସମାଜବାଦୀ ମୁଖ୍ୟ ପ୍ରଶ୍ନ କରିଛନ୍ତି ଯେ, କାହିଁକି ନିଖୋଜ ଶ୍ରଦ୍ଧାଳୁଙ୍କ ପରିବାରକୁ ସହାୟତା ଦିଆଯାଇ ନାହିଁ। ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ସହିତ ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରଦ୍ଧାଳୁ ଦୁର୍ଘଟଣାର ଶିକାର ହେଲେ। ମାତ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଲେ ନାହିଁ। ପ୍ରୟାଗରାଜରେ ନିଖୋଜ ଲୋକଙ୍କ ପୋଷ୍ଟର ଲଗାଗଲା, ମାତ୍ର ଉତ୍ତର ପ୍ରଦେଶ ସରକାର ଏହାକୁ ହଟାଇ ଦେଉଛନ୍ତି।
କଣ କହିଥିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଥିଲେ ଯେ, ପ୍ରୟାଗରାଜରେ ନିକଟରେ ସଂପନ୍ନ ମହାକୁମ୍ଭ ଭାରତୀୟ ଇତିହାସର ଏକ ନିର୍ଣ୍ଣାୟକ କ୍ଷଣ ଥିଲା। ଲୋକେ ନିଜର ଅହଙ୍କାରକୁ ପଛରେ ରକି ପ୍ରୟାଗରାଜରେ ମୁଁ ଭାବନା ସହିତ ନୁହେଁ ଆମେ ଭାବନା ସହିତ ଏକଜୁଟ୍ ହେଲେ। ମହାକୁମ୍ଭ ଦେଖାଇ ଦେଇଛି ଯେ, ବଡ଼ ଆଉ ଛୋଟ ମଧ୍ୟରେ କୌଣସି ଭେଦଭାବ ନ ଥାଏ। ଏହା ଭାରତର ଅପାର ଶକ୍ତିକୁ ଦର୍ଶାଉଛି। ସେ କହିଛନ୍ତି, ଏକତାର ତତ୍ଵ ଆମ ଭିତରେ ରହିଛି।
"