Live Live
LIVE

ମିଶୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ସରକାରଙ୍କୁ ଦେବାକୁ ପଡ଼ିବ ୧୫୦୦ କୋଟି ଟଙ୍କା

NEWS7
this-is-worlds-most-expensive-cow

ନୂଆଦିଲ୍ଲୀ: ଶସ୍ତା ଏବଂ ସୁଲଭ ସାମଗ୍ରୀ ବିକ୍ରି ପାଇଁ ଜଣାଶୁଣା ଇ- କମର୍ସ ପ୍ଲାଟଫର୍ମ ମିଶୋ ପାଇଁ ବଢ଼ିପାରେ ଅଡ଼ୁଆ। କାରଣ ଆୟକର ବିଭାଗ କମ୍ପାନିକୁ ୧,୫୦୦ କୋଟି ଟଙ୍କାର ଟିକସ ନୋଟିସ୍ ଜାରି କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ମିଶୋ ଏହାର ପ୍ରକୃତ ଆୟକୁ କମ୍ ଦେଖାଇଛି।

ସୂଚନା ଅନୁସାରେ, ଆୟକର ବିଭାଗ ପକ୍ଷରୁ ଏହି ଟ୍ୟାକ୍ସ ନୋଟିସ୍ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପଠାଯାଇଛି। ବିଭାଗ କହିଛି, କମ୍ପାନି ନିଜର ଆୟ ସଂପର୍କିତ ଯେଉଁ ତଥ୍ୟ ଦେଇଛି ସେଥିରେ କିଛି ବିଚ୍ୟୁତି ରହିଛି। ଏହାକୁ ଦୃଷ୍ଟିରେ ରଖି ଟିକସ ଅଧିକାରୀ "ଅତିରିକ୍ତ ସଂଶୋଧନ" କରିଛନ୍ତି। ଯେଉଁଥିରେ ବକେୟା ଟିକସ ସହ ବଡ଼ ସୁଧ ମଧ୍ୟ ଯୋଡ଼ାଯାଇଛି। ଅବଶ୍ୟ ମିଶୋ ଏହାର ନିବେଶକମାନଙ୍କୁ ଆଶ୍ୱାସନା ଦେଇଛି ଯେ, କମ୍ପାନି ଏହି ନୋଟିସର ସମୀକ୍ଷା କରୁଛି। ଏହି କମ୍ପାନିର ଆର୍ଥିକ କାର୍ଯ୍ୟ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ନକାରାତ୍ମକ ପ୍ରଭାବ ପକାଇବ ନାହିଁ।

ପ୍ରକୃତରେ, ଇ-କମର୍ସ କମ୍ପାନୀ ଏବଂ ଆୟକର ବିଭାଗ ମଧ୍ୟରେ ବିବାଦର ପ୍ରଥମ କାରଣ ହେଉଛି ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ଏବଂ ରିହାତି। କମ୍ପାନିଗୁଡ଼ିକ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରଦାନ କରୁଥିବା ରିହାତିଗୁଡ଼ିକୁ ସେମାନଙ୍କର ବାଲାନ୍ସ ସିଟରେ "ବ୍ୟବସାୟିକ ଖର୍ଚ୍ଚ" ଭାବରେ ଦେଖାନ୍ତି। ଏମିତି କରିବା ଦ୍ବାରା କମ୍ପାନିଙ୍କ ଟିକସ ହ୍ରାସ ହୋଇଥାଏ। ଅନେକ କ୍ଷେତ୍ରରେ ଆୟକର ବିଭାଗ ଏହି ଖର୍ଚ୍ଚଗୁଡ଼ିକୁ ସମ୍ପୂର୍ଣ୍ଣ ରିହାତିଯୋଗ୍ୟ ବୋଲି ବିବେଚନା କରେ ନାହିଁ। ଆଉ ଏହି ଦ୍ୱନ୍ଦ୍ୱ ପ୍ରାୟତଃ ବଡ଼ ଟିକସ ନୋଟିସ୍ ସୃଷ୍ଟି କରେ।

ମିଶୋ ପାଇଁ ଏପରି ଟିକସ ନୋଟିସର ସମ୍ମୁଖୀନ ହେବା ନୂଆ ନୁହେଁ। କମ୍ପାନି କହିଛି ଏହାକୁ ୨୦୨୨ ଆର୍ଥିକ ବର୍ଷ ପାଇଁ ସମାନ ନୋଟିସ ମିଳିଛି। କମ୍ପାନିର IPO ଡକ୍ୟୁମେଣ୍ଟ ଅନୁଯାୟୀ ୨୦୨୫ ଜାନୁଆରୀ ୨୫ରେ ଆୟକର ବିଭାଗ ଟ୍ୟାକ୍ସ ରିଟର୍ଣ୍ଣରେ ପ୍ରସ୍ତାବିତ ପରିବର୍ତ୍ତନ ପାଇଁ ଜବାବ ମାଗିବା ପାଇଁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏହି ମାମଲା ବିଜ୍ଞାପନ ଖର୍ଚ୍ଚ, ଫରୱାର୍ଡ ଚୁକ୍ତିରୁ ଲାଭ ଏବଂ ବିଦେଶୀ ପେମେଣ୍ଟ ଉପରେ TDS କାଟିବା ସହିତ ଜଡିତ ଥିଲା।

ଏହା ପରେ ମିଶୋ ଫେବ୍ରୁଆରୀ ୭ରେ ଅତିରିକ୍ତ ସୂଚନା ପ୍ରଦାନ କରି ନିଜର ପକ୍ଷ ରଖିଥିଲା। ତଥାପି ମାର୍ଚ୍ଚ୧୩ ତାରିଖରେ ବିଭାଗ ପ୍ରାୟ ୫୭୨ କୋଟି ଟଙ୍କାର ଟିକସ ଦାବି କରି ଏକ ନିର୍ଦ୍ଦେଶ ପାସ୍ କରିଥିଲା। ଯାହା ପରେ ପୁଣି କମ୍ପାନି ଏପ୍ରିଲ ୯ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଆଉ କୋର୍ଟ ଏପ୍ରିଲ ୧୭ ତାରିଖରେ ଟିକସ ଦାବି ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ପ୍ରଦାନ କରିଥିଲେ। ମାମଲା ଏବେବି ବିଚାରାଧୀନ ଅଛି।

ମିଶୋର ଆର୍ଥିକ ସ୍ଥିତି କ’ଣ?

ତେବେ ବର୍ତ୍ତମାନ ଲାଗିଥିବା ୧,୫୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସର ଜବାବରେ, ମିଶୋ ସ୍ପଷ୍ଟ କରିଛି ଯେ, ଏହା ଆୟକର ବିଭାଗର ତଥ୍ୟ ସହିତ ସମ୍ପୂର୍ଣ୍ଣ ଅସହମତ। କମ୍ପାନି ଏହାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନେଉଛି। ତଥାପି, କମ୍ପାନିର ବର୍ତ୍ତମାନର ଆର୍ଥିକ ସ୍ଥିତି ସେତେଟା ଉତ୍ସାହଜନକ ନାହିଁ। ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ, ମିଶୋର ମୋଟ କ୍ଷତି ୧୩ ଗୁଣ ବୃଦ୍ଧି ପାଇ ୪୯୧ କୋଟି ଟଙ୍କାରେ ପହଞ୍ଚିଛି। ତଥାପି ଏହି ସମୟରେ କମ୍ପାନିର ପରିଚାଳନା ରାଜସ୍ୱ ୩୧% ବୃଦ୍ଧି ପାଇ ୩,୫୧୭ କୋଟି ଟଙ୍କାରେ ପହଞ୍ଚିଛି। ନିବେଶକମାନେ ଷ୍ଟକ୍ ବଜାରରେ କମ୍ପାନିର ପ୍ରଦର୍ଶନ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି।