LIVE TV

ଆମେରିକା କଟକଣାକୁ ମାନିଲାନି ଏହି ୟୁରୋପୀୟ ଦେଶ, ଋଷିଆରୁ କିଣିବ ତୈଳ, ଜାଣନ୍ତୁ କହିଲା କ’ଣ?

NEWS7
Hungery PM

ବୁଦାପେଷ୍ଟ ୨୬।୯: ଋଷିଆରୁ ତେଲ କିଣୁଥିବା ଦେଶଙ୍କ ଉପରେ ଟାରିଫ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଧମକ ସତ୍ତ୍ୱେ ଏକ ୟୁରୋପୀୟ ଦେଶ ଏହାକୁ ମାନିବାକୁ ସଫାସଫା ମନା କରିଦେଇଛି। ଏହି କ୍ଷୁଦ୍ର ୟୁରୋପୀୟ ଦେଶ ଟ୍ରମ୍ପଙ୍କୁ ଆଇନା ଦେଖାଇଛି। ଏହି ଦେଶର ନାମ ହେଉଛି ହଙ୍ଗେରୀ, ଏହା ଏକ ମଧ୍ୟୟୁରୋପୀୟ ଦେଶ । ହଙ୍ଗେରୀ ପ୍ରଧାନମନ୍ତ୍ରୀ ଡ. ଭିକ୍ଟର ଓର୍ବନ ଶୁକ୍ରବାର ସଫାସଫା କହିଛନ୍ତି ତାଙ୍କ ଦେଶ ଋଷିଆରୁ ତୈଳ କିଣିବ।

ଓର୍ବନଙ୍କ ଏପରି ବୟାନ ଏବେ ଟ୍ରମ୍ପଙ୍କ ଲାଗି ଝଟକା ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଋଷିଆରୁ ତୈଳ କ୍ରୟ ପାଇଁ ଭାରତ ଉପରେ ଆମେରିକା ଅତିରିକ୍ତ ୨୫% ଟାରିଫ ଲାଗୁ କରିଛି। ଫଳରେ ଭାରତ ଉପରେ ଆମେରିକୀୟ ଟାରିଫ ମୋଟ ୫୦%କୁ ପହଞ୍ଚିଛି। ଏହା ସତ୍ତ୍ୱେ ଋଷିଆରୁ ଭାରତ ତୈଳ କ୍ରୟ ଜାରି ରଖିଛି। ଏଣୁ ଏବେ ହଙ୍ଗେରୀ ମଧ୍ୟ ଏହି ରାସ୍ତା ଆପଣେଇଛି। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଓର୍ବନ ସହଯୋଗୀ ଦେଶ ଆମେରିକାର ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ଋଷୀୟ ତୈଳ ଉପରେ ରୋକ ଲଗାଇବା ହଙ୍ଗେରୀର ଅର୍ଥ ବ୍ୟବସ୍ଥାକୁ ‘ବିନାଶ’ କରିବା ସହ ସମାନ ହେବ। ଏଣୁ ଆମେ ଏହି କ୍ରୟକୁ ରୋକି ପାରିବୁନି।

ଆମେରିକାର ସହଯୋଗୀ ଦେଶ ହେଉଛି ହଙ୍ଗେରୀ। ଏହା ସତ୍ତ୍ୱେ ଋଷିଆରୁ ତୈଳ କିଣିବା ଜାରି ରଖିବ କହି ଟ୍ରମ୍ପଙ୍କୁ ଝଟକା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିଲା। ଏହା ପରେ ୟୁରୋପର ଅଧିକାଂଶ ଦେଶ ଋଷିଆରୁ ତୈଳ ଓ ଗ୍ୟାସ କିଣିବା ବନ୍ଦ କରିଦେଇଛନ୍ତି। ହେଲେ ହଙ୍ଗେରୀ ଏ ପର୍ଯ୍ୟନ୍ତ ଋଷିଆରୁ ତୈଳ ଓ ଗ୍ୟାସ ଆମଦାନୀ କରୁଛି। ଚଳିତ ମାସ ଆରମ୍ଭରେ ଟ୍ରମ୍ପ ହଙ୍ଗେରୀ ସମେତ ସମସ୍ତ ନାଟୋ ସଦସ୍ୟ ଦେଶଙ୍କୁ ଋଷୀୟ ତୈଳ କ୍ରୟ ବନ୍ଦ କରିବାକୁ ନିବେଦନ କରିଥିଲେ।

ଓର୍ବନ ସରକାରୀ ରେଡିଓକୁ ଦେଇଥିବା ଏକ ବୟାନରେ କହିଛନ୍ତି ଯେ ହଙ୍ଗେରୀକୁ ଋଷୀୟ ତୈଳ ଓ ପ୍ରାକୃତିକ ଗ୍ୟାସ ନ ମିଳିଲେ ଗୋଟିଏ ମିନିଟରେ ଅର୍ଥ ବ୍ୟବସ୍ଥା ରସାତଳକୁ ଚାଲିଯିବ। ଏଣୁ ଉର୍ଜା ନୀତି ମାମଲାରେ ହଙ୍ଗେରୀ କେବଳ ନିଜ ହୀତକୁ ପ୍ରାଥମିକତା ଦେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ହଙ୍ଗେରୀର ହୀତ କେଉଁଥିରେ ଏହା ସ୍ପଷ୍ଟ, ଏଣୁ ହଙ୍ଗେରୀ ସେହି ଅନୁସାରେ କାର୍ଯ୍ୟ କରିବ।   ସେ କହିଛନ୍ତି ଯେ ହଙ୍ଗେରୀ  ଓ ଆମେରିକା ଦୁଇ ସାର୍ବଭୌମ ଦେଶ। ଏଣୁ ଏଥିରେ କେହି କାହାର ତର୍କ ଶୁଣିବାର ଆବଶ୍ୟକତା ନାହିଁ।