ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ଶକ୍ତି କ୍ଷେତ୍ରରେ ବିଶେଷ କରି ପରମାଣୁ ଶକ୍ତି କ୍ଷେତ୍ରରେ ନିଜର ଛାପ ଛାଡ଼ିବାକୁ ଯାଉଛି ଭାରତ। ଏଥିପାଇଁ ଭାରତ ସରକାର କାନାଡା ସହ ୧୦ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛନ୍ତି । ଯାହାର ମୂଲ୍ୟ ପ୍ରାୟ ୨.୮ ବିଲିୟନ ଡଲାର ହେବା ନେଇ ଆଶା କରାଯାଉଛି । ଏହି ଚୁକ୍ତି ଅନୁସାରେ କାନାଡା କମ୍ପାନି ଭାରତକୁ ୟୁରାନିୟମ ଯୋଗାଇବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଚୁକ୍ତି ଏଭଳି ସମୟରେ ହୋଇଛି, ଯେତେବେଳେ ଆମେରିକାର ଟାରିଫ୍ ଯୋଗୁ ଭାରତ ଏବଂ କାନାଡା ଅର୍ଥନୀତିକୁ କ୍ଷତି ପହଞ୍ଚୁଛି।  ଆଉ ସେପଟେ ଚୀନ୍ ପୁଣି ଥରେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି।

ଏଭଳି ହୋଇପାରେ ୟୁରାନିୟମ ଚୁକ୍ତି

ଗ୍ଲୋବାଲ ଆଣ୍ଡ୍ ମେଲ୍ ପକ୍ଷରୁ ସୋମବାର ଜାରି ଏକ ରିପୋର୍ଟ ଅନୁସାରେ, କାନାଡା ଏବଂ ଭାରତ ପ୍ରାୟ ୨.୮ ବିଲିୟନ ଡଲାର ମୂଲ୍ୟର ଏକ ରପ୍ତାନୀ ଡିଲ୍‌ ଚୂଡ଼ାନ୍ତ କରିବାକୁ ଯାଉଛନ୍ତି। ଏହି ଚୁକ୍ତି ୧୦ ବର୍ଷ ପାଇଁ ରହିବ। ଯେଉଁଥିରେ କାନାଡା ଭାରତକୁ ୟୁରାନିୟମ ପଠାଇବ। କାନାଡାର କାମେକୋ କର୍ପୋରେସନ ୟୁରାନିୟମ ଦ୍ୱାରା ଯୋଗାଣ କରାଯିବ। ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ ପରମାଣୁ ସହଭାଗିତା ପ୍ରୟାସର ଅଂଶ ହୋଇପାରେ। ତେବେ ଏନେଇ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଦୁଇ ଦେଶ ମଧ୍ୟରେ ପୁଣି ଥରେ ଆରମ୍ଭ ହେଲାଆଲୋଚନା

ଭାରତ ସରକାର ରବିବାର କହିଛନ୍ତି ଯେ, ଦୁଇ ଦେଶ ଏକ ନୂଆ ବାଣିଜ୍ୟ ଚୁକ୍ତି ପାଇଁ ଅଟକି ରହିଥିବା ଆଲୋଚନାକୁ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଯାହା ଦୁଇ ବର୍ଷ ତଳେ ଏକ କୂଟନୈତିକ ବିବାଦ ପରେ ବନ୍ଦ ହୋଇଯାଇଥିଲା। ପିଏମଓ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଉଭୟ ଦେଶର ନେତାମାନେ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା (CEPA) ଉପରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି, ଯାହା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦ ବିଲିୟନ ଡଲାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି।