କଟକ ୧୦୧୧: ମଣି ସାହୁ ଛକ ଅଘଟଣ ପରେ କଟକ ସହର ଭିତରେ କେତେ ଅସୁରକ୍ଷିତ କୋଠା ଅଛି ? ତାର ବାସ୍ତବ ସ୍ଥିତି କ’ଣ, ସେନେଇ ପ୍ରଶାସନ ବେଫିକର ଥିବା ପରି ମନେ ହେଉଛି । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କଟକ ମହାନଗର ନିଗମର ପୁରୁଣା କୋଠା ଏବେବି ଅସୁରକ୍ଷିତ ଭାବେ ଠିଆ ହୋଇଛି, ଯାହା ଭିତରେ ସରକାରୀ କାର୍ଯ୍ୟ ବି ହେଉଛି ।

ସେପଟେ ମେୟର ସମ୍ପୂର୍ଣ୍ଣ ଓଲଟା କଥା କହୁଛନ୍ତି । ମେୟର କହିଲେ ପୁରୁଣା କୋଠା କାମରେ ଲାଗୁନି, ଖୁବ୍‌ଶୀଘ୍ର ଏହାକୁ ଭାଙ୍ଗି ଦେବୁ । କିନ୍ତୁ ନା ତିଥି ନା ବାର କିମ୍ବା ତାରିଖ ବାବଦରେ କିଛି ବି କହିଲେ ମେୟର । ତେବେ ରିୟାଲିଟି ଚେକ୍ ବେଳେ ଜଣା ପଡିଲା, ବ୍ରିଟିଶ ଅମଳର ଏହି ଅସୁରକ୍ଷିତ କୋଠାରେ ରହିଛି ଷ୍ଟୋର ରୁମ୍ ଏବଂ ୨ ଜଣ କର୍ମଚାରୀ ମଧ୍ୟ କାମ କରୁଛନ୍ତି । ପୁଣି ଏହି ବିଲ୍ଡିଂରେ ଚାଲିଛି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ । ତେଣୁ ପ୍ରଶ୍ନ ହେଲା ଯେବେ ସିଏମସି ଅକ୍ତିଆରରେ ଥିବା ଅସୁରକ୍ଷିତ କୋଠା ଭଙ୍ଗା ଯାଇପାରୁନାହିଁ, ସେତେବେଳେ ବ୍ୟକ୍ତିଗତ ମାଲିକାନାରେ ଥିବା ଅସୁରକ୍ଷିତ ବିଲ୍ଡିଂ ବାବଦରେ ଚିନ୍ତା କରିବ କିଏ ?

ଇଏ ହେଲା କଟକ ମଣି ସାହୁ ଛକର ସେହି ସ୍ଥାନ ଯେଉଁଠି ଶନିବାର ଅପରାହ୍ନରେ ଘଟିଥିଲା ଅଘଟଣ । ଅସୁରକ୍ଷିତ କୋଠାର ବାଲକୋନି ଭୁଶୁଡିବା କାରଣରୁ ୩ଟି ଅମୂଲ୍ୟ ଜୀବନ ଚାଲିଗଲା । ଏହି ଘଟଣାର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ଭିତରେ ଦେବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ, ଯାହା ସୋମବାର ଅପରାହ୍ନ ସୁଦ୍ଧା ସମ୍ଭବ ହୋଇନାହିଁ । 

ତେବେ ଆଜି ସୁଦ୍ଧା କଟକ ସହରରେ ମୋଟ୍ ୨୩୧ଟି ଅସୁରକ୍ଷିତ ଅଟ୍ଟାଳିକା ଚିହ୍ନଟ କରିଛି ପ୍ରଶାସନ । ସେଥିମଧ୍ୟରୁ ୮ଟି ସରକାରୀ କୋଠା ଭାଙ୍ଗିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆସରିଛି । ହେଲେ ନ୍ୟୁ ଏଲଆଇସି କଲୋନୀର ଏହି ବିଲ୍ଡିଂ ସେମିତି ପୂର୍ବଭଳି ମୁଣ୍ଡ ଟେକି ଠିଆ ହୋଇଛି । ଯଦିଓ ଏଠାରେ କେହି ବସବାସ କରୁନାହାନ୍ତି । ତାର ଅର୍ଥ ନୁହେଁ ଯେ କୋଠା ଗୁଡିକୁ ଏଭଳି ଅସୁରକ୍ଷିତ ଭାବେ ଛାଡି ଦିଆଯିବ । ଏହା ଭିତରେ କଟକ ଏଡିଏମ କହିଛନ୍ତି କି, ତହସିଲଦାର ରିପୋର୍ଟ ଦେଇସାରିଛନ୍ତି ଖୁବଶୀଘ୍ର ମଣି ସାହୁ ଛକ ଅଘଟଣର ଶିକାର ହୋଇଥିବା ପରିବାରକୁ କ୍ଷତିପୂରଣ ରାଶି ମିଳିବ । ତେବେ ପ୍ରଶାସନିକ ତଦନ୍ତ ରିପୋର୍ଟ ବାବଦରେ ସେ କିଛି ବି କହିଲେ ନାହିଁ ।