କଟକ ୧୦୧୧: ମଣି ସାହୁ ଛକ ଅଘଟଣ ପରେ କଟକ ସହର ଭିତରେ କେତେ ଅସୁରକ୍ଷିତ କୋଠା ଅଛି ? ତାର ବାସ୍ତବ ସ୍ଥିତି କ’ଣ, ସେନେଇ ପ୍ରଶାସନ ବେଫିକର ଥିବା ପରି ମନେ ହେଉଛି । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କଟକ ମହାନଗର ନିଗମର ପୁରୁଣା କୋଠା ଏବେବି ଅସୁରକ୍ଷିତ ଭାବେ ଠିଆ ହୋଇଛି, ଯାହା ଭିତରେ ସରକାରୀ କାର୍ଯ୍ୟ ବି ହେଉଛି ।

ସେପଟେ ମେୟର ସମ୍ପୂର୍ଣ୍ଣ ଓଲଟା କଥା କହୁଛନ୍ତି । ମେୟର କହିଲେ ପୁରୁଣା କୋଠା କାମରେ ଲାଗୁନି, ଖୁବ୍‌ଶୀଘ୍ର ଏହାକୁ ଭାଙ୍ଗି ଦେବୁ । କିନ୍ତୁ ନା ତିଥି ନା ବାର କିମ୍ବା ତାରିଖ ବାବଦରେ କିଛି ବି କହିଲେ ମେୟର । ତେବେ ରିୟାଲିଟି ଚେକ୍ ବେଳେ ଜଣା ପଡିଲା, ବ୍ରିଟିଶ ଅମଳର ଏହି ଅସୁରକ୍ଷିତ କୋଠାରେ ରହିଛି ଷ୍ଟୋର ରୁମ୍ ଏବଂ ୨ ଜଣ କର୍ମଚାରୀ ମଧ୍ୟ କାମ କରୁଛନ୍ତି । ପୁଣି ଏହି ବିଲ୍ଡିଂରେ ଚାଲିଛି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ । ତେଣୁ ପ୍ରଶ୍ନ ହେଲା ଯେବେ ସିଏମସି ଅକ୍ତିଆରରେ ଥିବା ଅସୁରକ୍ଷିତ କୋଠା ଭଙ୍ଗା ଯାଇପାରୁନାହିଁ, ସେତେବେଳେ ବ୍ୟକ୍ତିଗତ ମାଲିକାନାରେ ଥିବା ଅସୁରକ୍ଷିତ ବିଲ୍ଡିଂ ବାବଦରେ ଚିନ୍ତା କରିବ କିଏ ?