News7 Logo

ରାଜ୍ୟରେ ପୁଣି ଚାଲୁ ହେବ ବନ୍ଦ ପଡ଼ିଥିବା ଚିନି କଳ, ହସିବେ ଆଖୁ ଚାଷୀ

NEWS7
sugar mills

ଭୁବନେଶ୍ଵର: ରାଜ୍ୟରେ ପୁଣି ଚାଲୁ ହେବ ବନ୍ଦ ପଡ଼ିଥିବା ଚିନି କଳ । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ଏବଂ ବଡମ୍ବା ଚିନି କଳକୁ ଚାଲୁ କରିବା ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସରକାରଙ୍କ ସମସ୍ତ ପ୍ରସ୍ତୁତି । ଏନେଇ ଆସନ୍ତାକାଲି ଅନୁବନ୍ଧିତ ଜାତୀୟ ବ୍ୟାଙ୍କ ସହିତ ବସିବ ବଡ ବୈଠକ । କେମିତି ଚିନି କଳ ପୁନଃ କାର୍ଯ୍ୟକ୍ରମ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଚିନି କଳ ଚାଲିବା ଖବର ଶୁଣି ଚାଷୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ପୁଣି ଜୀବନ ପାଇବ ମୃତ ଚିନି କଳ । ପୁଣି ହସିବେ ଆଖୁ ଚାଷୀ । ଏନେଇ ଆସନ୍ତା କାଲି ବସିବ ବଡ ବୈଠକ । ପ୍ରସ୍ତୁତ ହେବ ଚୁଡାନ୍ତ ରୂପରେଖ । ବିଜେପି ସରକାର ଆସିବା ପରେ ରାଜ୍ୟରେ ବନ୍ଦ ପଡିଥିବା ୫ ଚିନି କଳକୁ ଖୋଲିବା ପାଇଁ ୨ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରି ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଡମ୍ବା ଚିନି କଳ ଓ ବଲାଙ୍ଗିରର ବିଜୟା ନନ୍ଦ ଚିନି କଳକୁ ଖୋଲିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ଦେଖନ୍ତୁ ଇଏ ହେଉଛି ସମବାୟ ବିଭାଗର ସେହି ଚିଠି । ଯେଉଁଥିରେ  ଉଭୟ ଚିନି କଳ ଖୋଲିବା ପାଇଁ ପରାମର୍ଶ କମିଟି ଗଠନ ସହ ଶନିବାର ବସିବାକୁ ଥିବା ଗୁରୁତ୍ବପୁର୍ଣ୍ଣ ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ବୈଠକରେ  ଅନୁବନ୍ଧିତ ବ୍ୟାଙ୍କ ସହ ପରାମର୍ଶଦାତା କମିଟିରେ ଶେଷ ନିଷ୍ପତ୍ତି ନିଆଯିବ । ବିଶେଷ କରି ଦୁଇ ଚିନି କଳର ପୁନରୁଦ୍ଧାର ପ୍ରକ୍ରିୟାର ଅଗ୍ରଗତି ସହ ଚୁଡାନ୍ତ ଖର୍ଚ୍ଚକୁ ଅନୁମୋଦନ କରାଯିବ ।

୨୦୧୨ ମସିହାରୁ ବଲାଙ୍ଗୀର ଚିନି କଳ ବନ୍ଦ ହୋଇ ପଡିଛି ।  ଯେଉଁଥି ପାଇଁ ପ୍ରାୟ ୭ଶହ କର୍ମଚାରୀ ଚାକିରି ହରାଇଥିବା ବେଳେ ୧୦ହଜାର ଆଖୁଚାଷୀ ଜୀବିକା ହରାଇଥିଲେ । ବଲାଙ୍ଗୀର ଚିନି କଳରେ  ଦିନକୁ ୨୮ ହଜାର କ୍ବିଣ୍ଟାଲ ଚିନି ଉତ୍ପାଦନ ହେଉଥିଲା । ଏଥି ମଧ୍ୟରୁ ମାଟିଆ ଚିନି ୧୭ କ୍ବିଣ୍ଟାଲ ଏବଂ  ୨ ହଜାର ୨୨ ମେଟ୍ରିକ ଟନ ଗୁଡ ଉତ୍ପାଦନ ହେଉଥିଲା । ସେହିପରି ୨୦୧୧ ମସିହାରୁ ବନ୍ଦ ହୋଇ ପଡ଼ିଛି ବଡମ୍ବା ଚିନି କଳ । ଯେଉଁଥି ପାଇଁ ଏଠି ୪ହଜାର ୮୮୧ ଚାଷୀ ଜୀବିକା ହରାଇଛନ୍ତି ।୨୦୦୫ ମସିହାରେ ଏହି ଚିନି କଳକୁ ବାଲାଜୀ ସୁଗାର କମ୍ପାନୀକୁ ୮କୋଟି ୨୮ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ତାପରେ  ଏହା ଆଇନ ଜାଲରେ ଛନ୍ଦି ହୋଇ ବନ୍ଦ ରହିଛି ।  ଏବେ ଏହି ଚିନି କଳକୁ ସରକାର ପୂନଃକାର୍ଯ୍ୟକ୍ଷମ କରିବାକୁ ଯାଉଥିବାରୁ  ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ଭିତରେ ଉତ୍ସାହ ଭରିଛି ।

ଶିଳ୍ପ ଅଗ୍ରଗତିକୁ ମୋହନ ସରକାର ଏବେ ଗୁରୁତ୍ବ ଦେଉଛନ୍ତି । ପୂର୍ବରୁ ଚିନି କଳ କ୍ଷତିରେ ଚାଲୁଥିବାରୁ ପୂର୍ବ ସରକାର ବଲାଙ୍ଗିର, ବରଗଡ, ଆସ୍କା, ବଡମ୍ବା, ନୟାଗଡ ଠାରେ ଥିବା ଚିନି କଳକୁ  ବନ୍ଦ କରି ଦେଇଥିଲେ । ତେବେ  ଏହି କ୍ଷତିକୁ ଭରଣା କରିବା ପାଇଁ  ଏବେ କାର୍ଯ୍ୟକ୍ଷମ ହେବାକୁ ଥିବା ଚିନି କଳରେ ଚିନି ସହ ମିଥାଇଲ ଉତ୍ପାଦନ ପାଇଁ ଯୋଜନା କରିଛନ୍ତି ସରକାର ।