ବ୍ରହ୍ମପୁର: ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ପିଏ ଭାବରେ ପରିଚୟ ଦେଇ ଆତ୍ମଗୋପନ ଏବଂ ଦାଦାବଟି ଆଦାୟ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ପୋଲିସ। ଗିରଫ ଜଗନ୍ନାଥ ମଣ୍ଡଳ (୨୮) ଗୋଳନ୍ଥରା ଥାନା ଅଞ୍ଚଳ ପଞ୍ଚମାର ମହାନ୍ତି ଷ୍ଟ୍ରିଟ୍ ନିବାସୀ। ଶୁକ୍ରବାର ଅଭିଯୋଗକାରୀ ରାଜେଶ କୁମାର ପାତ୍ର (୩୩ ବର୍ଷ) ବ୍ରହ୍ମପୁର ଟାଉନ୍ ଥାନାରେ ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ।

ଅଭିଯୋଗ ଅନୁସାରେ, ଗତ ଏପ୍ରିଲ ମାସ ୧ ତାରିଖ ରାତି ପ୍ରାୟ ୧୦ ଟା ବେଳେ ନୀତିନ୍ ନବୀନ ପିଏ ଭାବରେ ସେଭ୍ କରାଯାଇଥିବା ମୋବାଇଲ୍ ନମ୍ବର ୯୬୯୨୨୪୩୬୯୭ରୁ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା। କଲର ଜଣକ ନିଜକୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନଙ୍କ ବ୍ୟକ୍ତିଗତ ସହାୟକ ଭାବରେ ପରିଚୟ ଦେଇ ଦଳୀୟ କାର୍ଯ୍ୟ ପାଇଁ ୫୦,୦୦୦ ଟଙ୍କା ଦାବି କରିଥିଲେ ଏବଂ ବିଧାୟକଙ୍କ ନିକଟରେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ।

Also Read: ରାତିରେ ଆସିଲେ, ୨୫ ରାଉଣ୍ଡ ଗୁଳି ମାରିଲେ... କିଏ ଓ କାହିଁକି ମାରିଲା ଗୁଳି ?

ସେହିଭଳି ଅନ୍ୟ ଜଣେ ଅଭିଯୋଗକାରୀ ଗଣେଶ ନାହାକ (୨୩ ବର୍ଷ) ସମାନ ଅଭିଯୋଗ ନେଇ ବଡ଼ବଜାର ଥାନାରେ ସମାନ ଅଭିଯୋଗ କରିଥିଲେ। ଚିକିଟି ବିଧାୟକଙ୍କ ସହାୟକ ଭାବରେ କାର୍ଯ୍ୟ କରୁଥିବା ସମୟରେ, ତାଙ୍କୁ ମଧ୍ୟ ଏପ୍ରିଲ ୧ ତାରିଖରେ ରାତିରେ ସେହି ନମ୍ବରରୁ ଏକ ହ୍ୱାଟସଆପ୍ କଲ୍ ପାଇଥିଲେ। କଲର ଜଣକ ନିଜକୁ ନୀତିନ ନବୀନଙ୍କ ପିଏ ବୋଲି ଦାବି କରିଥିଲେ ଏବଂ ଦଳୀୟ କାର୍ଯ୍ୟ ପାଇଁ ୫୦,୦୦୦ ଟଙ୍କା ଦାବି କରିଥିଲେ।

ପୋଲିସ ଘଟଣାର ତଦନ୍ତ କରି ଠକ ଜଗନ୍ନାଥ ମଣ୍ଡଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତଦନ୍ତ ସମୟରେ, ଅଭିଯୁକ୍ତ ପାଖରୁ ଅଭିଯୋଗକାରୀଙ୍କ ଦ୍ୱାରା ଦିଆଯାଇଥିବା ସ୍କ୍ରିନସଟ୍, ଗୋଟିଏ ସାମସଙ୍ଗ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବଡ଼ବଜାର ଥାନାରେ ମାମଲା ରହିଛି। ଅଭିଯୁକ୍ତକୁ ୨୦୨୪ ଡିସେମ୍ବର ୧୩ ତାରିଖରେ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

Also Read: Police Encounter : ରାଉରକେଲା ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଅଭିଯୁକ୍ତ ସୁରଟ ଏବଂ ବ୍ରହ୍ମପୁରରେ ଅଦଳବଦଳ ଭାବରେ ରହୁଛି ଏବଂ ଠକେଇ କାର୍ଯ୍ୟକଳାପରେ ଲିପ୍ତ ଥିବା ତଦନ୍ତରୁ ଜଣା ପଡ଼ିଥିବା କହିଛି ପୋଲିସ। ବ୍ୟକ୍ତିଗତ ପରିଚୟ ଦେଇ ରାଜନୈତିକ କର୍ମୀଙ୍କୁ ପ୍ରତାରଣାମୂଳକ ମିଥ୍ୟା କଲ୍ କରିଥିବା ଭଳି ଅଭିଯୋଗ ରହିଛି। ତେବେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ଡ଼. ଶରବଣା ବିବେକ ଏମ୍।