ଦେଶର ଇତିହାସରେ ଏପର୍ଯ୍ୟନ୍ତ ଲଢାଯାଇଥିବା ସବୁଠୁ ମହଙ୍ଗା ହେବ ୨୦୨୪ ନିର୍ବାଚନ, ଜାଣନ୍ତୁ କେତେ ହେବ ଖର୍ଚ୍ଚ?

Published By : Prameya-News7 Bureau | May 05, 2024 IST

ନୂଆଦିଲ୍ଲୀ ୫।୫: ଲୋକସଭା ନିର୍ବାଚନ ୨୦୨୪ ଆରମ୍ଭ ହେବା ସହିତ ନା କେବଳ ରାଜନୈତିକ ପରିଦୃଶ୍ୟ ବରଂ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବକୁ ନେଇ ନୂଆ ଆଶା ସଞ୍ଚାର କରିଛି, ଖାସ କରି ଭାରତର ଗ୍ରାମୀଣ କ୍ଷେତ୍ରକୁ ନେଇ ଏହି ଆଶା ସଞ୍ଚାର ହୋଇଛି।  କାରଣ ବିଶେଷଜ୍ଞ ଏହି ନିର୍ବାଚନକୁ ଦେଶର ଇତିହାସରେ ସବୁଠୁ ମହଙ୍ଗା ନିର୍ବାଚନ ବୋଲି କହିଛନ୍ତି। 

‘ସେଣ୍ଟର ଫର ମିଡିଆ ଷ୍ଟଡିଜ’ ଅଧ୍ୟକ୍ଷ ତଥା ଗତ ୩୫ ବର୍ଷ ହେଲା ଦେଶର ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିଥିବା ଏନ. ଭାସ୍କର ରାଓ ଏହି ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି। ନିର୍ବାଚନ କାଳରେ ଖର୍ଚ୍ଚ ହେବାକୁ ଥିବା ରାଶିର ଏକ ବଡ ଅଂଶ ଗ୍ରାମୀଣ ଭାରତକୁ ଯିବ, ଯାହା ଦ୍ୱାରା ବିକ୍ରିରେ ବୃଦ୍ଧି ହେବ ବୋଲି ବିଜନେସ ହାଉସ୍ ଅନୁମାନ କରିଛନ୍ତି।  

୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୩୫ ପ୍ରତିଶତ ଖର୍ଚ୍ଚ ନିର୍ବାଚନ ଅଭିଯାନ ଓ ପ୍ରଚାରରେ ବ୍ୟୟ ହୋଇଥିଲା। ରାଶିର ଅନ୍ୟ ବଡ଼ ଅଂଶ ବିଭିନ୍ନ ମାଧ୍ୟମରେ ଭୋଟରଙ୍କୁ ମିଳିଥିଲା, ଯେଉଁଥିରେ ମୁଖ୍ୟ ମାଧ୍ୟମ ହୋଇଥିଲା ଶ୍ରମିକଙ୍କୁ କାମରେ ନିୟୋଜନ, ଅଭିଯାନ ସାମଗ୍ରୀ କିଣା, ମାଗଣା ଉପହାର ଓ କିଛି ମାମଲାରେ ନଗଦ ହସ୍ତାନ୍ତରଣ ମଧ୍ୟ ହୋଇଥିଲା। 

ଉଦ୍ୟୋଗ ଜଗତର ଲୋକଙ୍କ ଆଶା ନିର୍ବାଚନରେ ହେଉଥିବା ଖର୍ଚ୍ଚ ଅର୍ଥ ବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପକାଇବ, ଖାସ କରି ଭାରତର ଗ୍ରାମୀଣ ଅଞ୍ଚଳ ପାଇଁ ଏହା ଆଶାଜନକ ହେବ। ଦେଶର ଜଣାଶୁଣା ପ୍ଲାଇଉଡ୍ ନିର୍ମାତା ‘ସେଞ୍ଚୁରୀ ପ୍ଲାଇବୋର୍ଡ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ କେଶବ ଭଜଙ୍କା କହନ୍ତି ଯେ ଆଗାମୀ ଦୁଇ ତିନିମାସରେ ଆନୁମାନିକ ବଡ଼ ନିର୍ବାଚନ ଖର୍ଚ୍ଚ ଯୋଗୁ ଗ୍ରାମୀଣ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ହେବ। ଏଥିରେ ଅନ୍ନପୂର୍ଣ୍ଣା ସ୍ୱାଦିଷ୍ଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀରାମ ବାଗଲା କହିଛନ୍ତି ଯେ ୨୦୨୩-୨୪ ଦ୍ୱିତୀୟ ଓ ତୃତୀୟ ତ୍ରୈମାସିକରେ ସମଗ୍ର ରୂପେ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡସ୍ (ଏଫଏମସିଜି)ର ଗ୍ରାମୀଣ ଚାହିଦା କମି ଯାଇଛି। 

ଏଣୁ ଏହି ନିର୍ବାଚନ ଖର୍ଚ୍ଚ ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ବଜାର ଚାହିଦାରେ ସୁଧାର ଆଣିବ। ସରକାର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ଖାସ ଗୁରୁତ୍ୱ ଦେଉଛନ୍ତି। ଏଣୁ ଗ୍ରାମାଞ୍ଚଳରେ କଞ୍ଜ୍ୟୁମ ବଢିବ ବୋଲି ସେ ଆଶାପୋଷଣ କରିଛନ୍ତି ଫଳରେ ଏଫଏମସିଜି ଉତ୍ପାଦର ଚାହିଦା ମଧ୍ୟ ବଢିବ ବୋଲି ସେ କହିଛନ୍ତି। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଖବର ପୁଷ୍ଟି କରି କହିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ରାଜ୍ୟରେ ୫୭.୬୭ କୋଟି ଟଙ୍କାର ମାଗଣା ସାମଗ୍ରୀ ଜବତ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.