ନୈନୀତାଲ ୨୭।୯: ଦେଶର ବିଚାରବିଭାଗୀୟ ଇତିହାସରେ ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ କ୍ୟାଡରରେ ଆଇଏଫଏସ୍ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କ ସମ୍ପର୍କିତ ଏକ ମାମଲାର ଶୁଣାଣିରୁ ପଞ୍ଚଦଶତମ (୧୫) ବିଚାରପତି ମଧ୍ୟ ନିଜକୁ ପୃଥକ କରିନେଇଛନ୍ତି। ଏହା ଏକ ନୂଆ ରେକର୍ଡ, କାରଣ ଏ ପର୍ଯ୍ୟନ୍ତ କୌଣସି ଜଣେ ବ୍ୟକ୍ତିଙ୍କ ସମ୍ପର୍କିତ ମାମଲାରୁ ଏତେ ସଂଖ୍ୟକ ବିଚାରପତି ନିଜକୁ ଦୂରେଇ ନାହାନ୍ତି।

ଏଥର ନୈନୀତାଲ ଉଚ୍ଚନ୍ୟାୟାଳୟଙ୍କ ବରିଷ୍ଠ ବିଚାରପତି ଜଷ୍ଟିସ୍ ରବିନ୍ଦ୍ର ମୈଥାନୀ ଚତୁର୍ବେଦୀଙ୍କ ଦ୍ୱାରା ରୁଜୁ ଅବମାନନା ପିଟିସନ ଶୁଣାଣିରୁ ନିଜକୁ ଅଲଗା କରିନେଇଛନ୍ତି। ଏହି ପିଟିସନ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ (ସିଏଟି)ଙ୍କ ସଦସ୍ୟ ଓ ରେଜିଷ୍ଟ୍ରି ଉପରେ ରହିତାଦେଶର ଜାଣିଶୁଣି ଅବହେଳାର ଅଭିଯୋଗ ଆଣୁଛି। ଏଣୁ ଜଷ୍ଟିସ ମୈଥାନୀଙ୍କ ଦ୍ୱାରା ୨୬ ସେପ୍ଟେମ୍ବର ୨୦୨୫ରେ ଗୃହୀତ ଆଦେଶରେ ଲେଖା ଯାଇଛି ଯେ ମାମଲାକୁ ଏପରି ଅନ୍ୟ ପୀଠରେ ସୂଚିବଦ୍ଧ କରାଯାଉ, ଯାହାର ସେ ସଦସ୍ୟ ନଥିବେ। ତେବେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ଏହି ମାମଲାରୁ ସେ ନିଜକୁ କାହିଁକି ପୃଥକ କଲେ ସେ ନେଇ କୌଣସି କାରଣ ଦର୍ଶାଇ ନାହାନ୍ତି।

ଏହି ଘଟଣାକ୍ରମ ବିଚାରବିଭାଗୀୟ ଅଳିନ୍ଦରେ ଗଭୀର ନିରବତା ଛାଡିଯାଇଛି ଓ ନ୍ୟାୟରେ ବାଧା ଆଡକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜଷ୍ଟିସ୍ ମୈଥାନୀ ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟର ତୃତୀୟ ବିଚାରପତି ଜିଏ ଆଇଏଫଏସ୍ ଚତୁର୍ବେଦୀଙ୍କ ମାମଲାରୁ ନିଜକୁ ପୃଥକ କରିଛନ୍ତି। ତାଙ୍କ ପୂର୍ବରୁ ମେ ୨୦୨୩ରେ ଜଷ୍ଟିସ୍ ରାକେଶ ଥପଲିୟାଲ ଓ ଫେବୃଆରୀ ୨୦୨୪ରେ ଜଷ୍ଟିସ୍ ମନୋଜ ତିୱାରୀ ମଧ୍ୟ ନିଜକୁ ମାମଲାରୁ ପୃଥକ କରିନେଇଥିଲେ। ଚଳିତବର୍ଷ ସଞ୍ଜୀବ ଚତୁର୍ବେଦୀଙ୍କ ମାମଲାରେ ଏହା ଚତୁର୍ଥ ରିକ୍ୟୁଜଲ।

ତେବେ ମାମଲାରେ ବିଚାରପତି ନିଜକୁ ଅଲଗା କରିନେବା କେବଳ ଉଚ୍ଚନ୍ୟାୟାଳୟ ପର୍ଯ୍ୟନ୍ତ ସୀମିତ ନାହିଁ, ଏ ପର୍ଯ୍ୟନ୍ତ ୨ ସୁପ୍ରିମକୋର୍ଟ ବିଚାରପତି (ଜଷ୍ଟିସ୍ ରଞ୍ଜନ ଗୋଗଇ ଓ ଜଷ୍ଟିସ୍ ୟୁ.ୟୁ.ଲଳିତ), ୩ ଉଚ୍ଚନ୍ୟାୟାଳୟ ବିଚାରପତି, ୨ ଲୋଅର କୋର୍ଟ ବିଚାରପତି ତଥା କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (ସିଏଟି)ର ୮ ବିଚାରପତି ଚତୁର୍ବେଦୀଙ୍କ ମାମଲାର ଶୁଣାଣିରୁ ନିଜକୁ ଅଲଗା କରି ନେଇଛନ୍ତି। ହେଲେ ଏ ନେଇ ସେମାନେ କୌଣସି କାରଣ ଦର୍ଶାଇ ନାହାନ୍ତି।  

ଏହି ସବୁ ମାମଲାରେ ହରିୟାଣାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୂପିନ୍ଦ୍ର ସିଂହ ହୁଡ୍ଡା, ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ଓ ସଞ୍ଜୀବ ଚତୁର୍ବେଦୀଙ୍କ କେନ୍ଦ୍ରୀୟ ଡେପୁଟେସନ ଅଟକାଇବାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି (ଏସିସି) ସମ୍ପର୍କିତ ବିବାଦୀୟ ଓ ଦୁର୍ନୀତି ସମ୍ପର୍କିତ ମାମଲା ରହିଛି। ବିନା କାରଣ ଦର୍ଶାଇ ବିଚାରପତିମାନେ ଶୁଣାଣିରୁ ଓହରିଯିବା ଜଣେ ସଚ୍ଚୋଟ ଆଇଏଫଏସ ଅଧିକାରୀଙ୍କୁ ନ୍ୟାୟ ଦେବା ରାସ୍ତାରେ ଅଦୃଶ୍ୟ ଚାପ ଓ ଅସାଧାରଣ ବାଧା ଦିଗକୁ ସ୍ପଷ୍ଟ ସଂକେତ କରୁଛି।