LIVE TV

ନୀତୀଶ କୁମାର ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ, ୧୦ମ ଥର ପାଇଁ ବିହାରର ହେବେ ମୁଖ୍ୟମନ୍ତ୍ରୀ

NEWS7
terrorist-use-secret-code-to-enter-in-kashmir-from-balakot-roadway

ପାଟନା: ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ । ନୀତୀଶ କୁମାରଙ୍କୁ ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ସେ ଗୁରୁବାର ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟିବେ ।

ବୁଧବାର ସକାଳେ ଜେଡିୟୁ ବିଧାୟକ ଦଳର ବୈଠକରେ ନୀତୀଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା । ଏହା ପରେ, ବିଜେପି ବିଧାୟକ ଦଳର ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ମନୋନୀତ କରାଯାଇଥିଲା । ବିହାର ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିହାରରେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।

ସୂତ୍ର ଅନୁଯାୟୀ, ବାଚସ୍ପତି ପଦବୀକୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ଟଣାଓଟରା ଜାରି ରହିଛି । ସୂତ୍ର ଅନୁଯାୟୀ ଜେଡିୟୁର ବିଜୟ ଚୌଧୁରୀ ଏବଂ ବିଜେପିର ପ୍ରେମ କୁମାରଙ୍କୁ ବାଚସ୍ପତି ପଦ ପାଇଁ ଦାବିଦାର ଅଛନ୍ତି । ବିଦାୟୀ ବିଧାନସଭାରେ, ବିଜେପିର ନନ୍ଦ କିଶୋର ଯାଦବ ବାଚସ୍ପତି ଥିବା ବେଳେ ଜେଡିୟୁର ନରେନ୍ଦ୍ର ନାରାୟଣ ଯାଦବ ଉପବାଚସ୍ପତି ଥିଲେ ।

ନୀତୀଶ କୁମାର ବିହାରର ୧୯ତମ ମୁଖ୍ୟମନ୍ତ୍ରୀ ହେବେ । ବର୍ତ୍ତମାନ ବିଧାନସଭା ଆଜି ଭଙ୍ଗ କରାଯିବ । ଗୁରୁବାର ପାଟନାର ଗାନ୍ଧୀ ମୈଦାନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବ । ଦିନ ୧୧ଟାରୁ ୧୨.୩୦ ମିନିଟ୍ ମଧ୍ୟରେ ଶପଥ ଗ୍ରହଣ ସମାରୋହ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ୱର ୨୨ରେ ଶେଷ ହେବ । ଏହା ପୂର୍ବରୁ ନୂଆ ସରକାର ଗଠନ କରାଯିବ । ଏହି କାରଣରୁ ନଭେମ୍ୱର ୨୦ରେ ନୂଆ ସରକାର ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି । ସୂତ୍ର ଅନୁସାରେ ବିଜେପି କୋଟାରୁ ୧୫-୧୬ ମନ୍ତ୍ରୀ ରହିପାରନ୍ତି । ଅନ୍ୟପଟେ ଜେଡିୟୁରୁ ଜଣେ ମୁଖ୍ୟମନ୍ତ୍ରୀ ଓ ୧୪ ମନ୍ତ୍ରୀ ହେବା ସମ୍ଭାବନା ରହିଛି । ଚିରାଗଙ୍କ ତିନି ମନ୍ତ୍ରୀ ଓ ମାଝୀ ଏବଂ କୁଶୱାହଙ୍କ ଗୋଟିଏ ଗୋଟିଏ ମନ୍ତ୍ରୀ ରହିପାରନ୍ତି ।