ବରେଲୀ ୨୭।୯: ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଗୃହ ବିଭାଗ ଶନିବାର ଟେଲିକମ ସେବାଗୁଡିକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ନିଲମ୍ବିତ କରିବାକୁ ଆଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ‘ଆଇ ଲଭ ମହମଦ’ ପୋଷ୍ଟର ବିବାଦକୁ ନେଇ ଉପୁଜିଥିବା ଉତ୍ତେଜନା ମଧ୍ୟରେ ନିଆଯାଇଛି। ଗୃହ ବିଭାଗ ସଚିବ ଗୌରବ ଦୟାଲ ଭାରତୀୟ ଟେଲିଗ୍ରାମ ଅଧିନିୟମ ୧୮୮୫ର ଧାରା ୭ରେ ଟେଲିକମ ସେବାଗୁଡିକର ଅସ୍ଥାୟୀ ନିଲମ୍ବନ ନିୟମ ୨୦୧୭ ଅନୁସାରେ ଏହି ଆଦେଶ ଜାରି କରିଛନ୍ତି।

ନିଲମ୍ବନ ଶନିବାର ବିଳମ୍ବିତ ରାତ୍ରି ୧୨.୩୦ରୁ ଆରମ୍ଭ ହୋଇ ସୋମବାର ରାତି ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଆଦେଶ ଅନୁସାରେ ବରେଲୀ ଜିଲ୍ଲାରେ ସବୁ ମୋବାଇଲ ସେବା ପ୍ରଦାନକାରୀଙ୍କ ଏସଏମଏସ ସେବା ଓ ମୋବାଇଲ ଇଣ୍ଟରନେଟ୍ ଡାଟା ସେବା (ବ୍ରଡବ୍ୟାଣ୍ଡ, ଏଫଟିଟିଏଚ, ଏଡିଏସଏଲ, ଡିଏସଏଲ, ୱୟାର୍ଲେସ ସହିତ) ସମ୍ପୂର୍ଣ୍ଣ ବନ୍ଦ ରହିବ। ଗୃହ ବିଭାଗ ଅଧିସୂଚନାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରିକି ହ୍ୱାଟସଆପ୍, ଫେସବୁକ୍ ଓ ୟୁଟ୍ୟୁବ ମାଧ୍ୟମରେ ଭିଡିଓ ଏବଂ ଟେକ୍ସଟ ପ୍ରସାର ଯୋଗୁ ଭାବନା ଆହତ ହେବାର ଆଶଙ୍କା କରିଛନ୍ତି।

ଏହି ପଦକ୍ଷେପ ଜିଲ୍ଲାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ କାୟମ ରଖିବା ଓ ଧନ ଜୀବନ ହାନୀ ରୋକିବା ପାଇଁ ନିଆଯାଇଛି। ଗୃହସଚିବ କହିଛନ୍ତି ଯେ ସୋସିଆଲ ମିଡିଆର ଦୂରୁପଯୋଗ କାରଣରୁ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି। ଏଣୁ ଏହି ନିଲମ୍ବନ ଜରୁରି। ଅନ୍ୟପଟେ ବରେଲୀ ପୋଲିସ ସୁରକ୍ଷା କଡ଼ାକଡି କରିଛି। ଅଞ୍ଚଳର ପ୍ରମୁଖ ଛକମାନଙ୍କରେ ବହୁ ପରିମାଣରେ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଅଧିକ୍ଷକ ଅନୁରାଗ ଶର୍ମା କହିଛନ୍ତି ଯେ କୌଣସି ପ୍ରକାରର ଗୁଜବ ଓ ଉନ୍ମାଦନା ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ।