ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପୁରୁଷ ଜାତୀୟ ଚୟନକର୍ତ୍ତା ଘୋଷଣା କରିଥିବା ୧୫ ଜଣିଆ ଦଳରେ କେଏଲ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଶୁଭମନ ଗିଲ୍ ଆହତ ଥିବା କାରଣରୁ ବିସିସିଆଇ ରାହୁଲଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି। ଦିନିକିଆ ଦଳରେ ତିଳକ ବର୍ମାଙ୍କୁ ସାମିଲ୍ କରାଯାଇଛି। ଦୀର୍ଘ ଦିନ ପରେ ଜାତୀୟ ଦଳକୁ ଫେରିଛନ୍ତି ଋତୁରାଜ ଗାଏକ୍ଵାଡ଼।

ଆଗାମୀ ଟି-୨୦ ସିରିଜକୁ ଦୃଷ୍ଟିରେ ରଖି ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଋଷଭ ପନ୍ତ ମଧ୍ୟ ଦିନିକିଆ ଦଳକୁ ଫେରିଛନ୍ତି। ଦୁଇ ତାରକା ଖେଳାଳି ବର୍ତ୍ତମାନ ଟେଷ୍ଟ ସିରିଜ୍ ଖେଳୁଛନ୍ତି। ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳରେ ନ ଥିଲେ।  ଆହତ କାରଣରୁ ଶ୍ରେୟସ ଆୟରଙ୍କୁ ସ୍ଵାଭାବିକ ଦଳରୁ ବାହାରେ ରଖାଯାଇଛି। ଟି-୨୦ରେ ଭଲ ପ୍ରଦର୍ଶନ କାରଣରୁ ତିଳକ ବର୍ମାଙ୍କୁ ଦିନିକିଆରେ ସୁଯୋଗ ମିଳିଛି। ତିଳକ ଭାରତ ପାଇଁ ୪ଟି ଦିନିକିଆ ଖେଳିଛନ୍ତି।  ସବୁଠୁ ବଡ଼ ଚକିତ କରିଛି ଋତୁରାଜ ଗାଏକ୍ଵାଡ଼ଙ୍କ ଚୟନ। ତାଙ୍କ ଉପରେ ଚୟନକର୍ତ୍ତା ଭରସା ପ୍ରକଟ୍ କରିଛନ୍ତି। ଋତୁରାଜ ଭାରତ ପାଇଁ ୬ଟି ଦିନିକିଆ ଖେଳି ସାରିଛନ୍ତି। ​​​​​​​

 

୧୫ ଜଣିଆ ଦଳରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ବରିଷ୍ଠ କ୍ରିକେଟର ଅଛନ୍ତି। ଆହତ ଜନିତ ସମସ୍ୟା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚୟନ କରାଯାଇ ନାହିଁ। ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡୀଙ୍କୁ ଦଳରେ ଚୟନ କରାଯାଇଛି। ଉଲ୍ଲେଖନୀୟ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩୦ରେ ରାଞ୍ଚିରେ ଖେଳାଯିବ। ଦ୍ଵିତୀୟ ମୁକାବିଲା ଡିସେମ୍ବର ୩ରେ ରାୟପୁର ଏବଂ ଡିସେମ୍ବର ୬ରେ ବିଶାଖାପଟନମରେ ତୃତୀୟ ତଥା ଅନ୍ତିମ ଦିନିକିଆ  ଖେଳାଯିବ। ପୁଣି ଦୁଇ ଦେଶ ମଧ୍ୟରେ ଡିସେମ୍ବର ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ବାକି ରହିଛି।

ଭାରତୀୟ ଦଳ

ରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ତିଳକ ବର୍ମା, କେଏଲ ରାହୁଲ(ଅଧିନାୟକ/ଓ୍ଵିକେଟ୍ କିପର), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡ଼େଡ଼ା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ଵାଡ଼, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂ, ଧ୍ରୁବ ଜୁରେଲ।

ପ୍ରଥମ ଦିନିକିଆ- ନଭେମ୍ବର ୩୦, ରାଞ୍ଚି

ଦ୍ଵିତୀୟ ଦିନିକିଆ- ଡିସେମ୍ବର ୩, ରାୟପୁର

​​​​​​​ତୃତୀୟ ଦିନିକିଆ- ଡିସେମ୍ବର ୬, ବିଶାଖାପଟନମ