ଭାରତରେ ୭୦ ହଜାର କୋଟି ନିବେଶ କରିବ ସୁଜୁକି: ୫-୬ ବର୍ଷରେ ହେବ ନିବେଶ

Published By : Prameya-News7 Bureau | August 26, 2025 IST

ନୂଆଦିଲ୍ଲୀ: ମଙ୍ଗଳବାର ଇ-ଭିଟାରାର ଉଦଘାଟନୀ ଉତ୍ସବ ବେଳେ ସୁଜୁକି ଆଉ ଏକ ଖୁସି ଖବର ଦେଇଛି। ଗ୍ଲୋବାଲ୍ ସୁଜୁକିର ସଭାପତି ତୋଶିହିରୋ ସୁଜୁକି କହିଛନ୍ତି ଯେ କମ୍ପାନୀ ଆଗାମୀ ୫-୬ ବର୍ଷ ମଧ୍ୟରେ ଭାରତରେ ୭୦,୦୦୦ କୋଟି ଟଙ୍କା ନିବେଶ କରିବ। ଏହି ନିବେଶର ଲକ୍ଷ୍ୟ ଉତ୍ପାଦନ ବୃଦ୍ଧି କରିବା, ନୂଆ ମଡେଲ ଲଞ୍ଚ କରିବା ଏବଂ ବିଶ୍ୱର ତୃତୀୟ ବୃହତ୍ତମ କାର ବଜାରରେ ଏହାର ବଜାର ଅଂଶକୁ ବଢ଼ାଇବା ବୋଲି ଅଟୋମେକର ମୁଖ୍ୟ କହିଛନ୍ତି। 

ଜାପାନୀ କମ୍ପାନୀ ଭାରତରେ ପୂର୍ବରୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିସାରିଛି। ଏଥିରେ ୧୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି  ହୋଇଛି। ସେହିପରି ନିକଟରେ ଆହୁରି ୬ ଟ୍ରିଲିଅନ ଡଲାର ନିବେଶ କରିବ ବୋଲି ସୂଚନା ମିଳିଛି। ମାରୁତି ସୁଜୁକି ଏହାର ଗୁଜୁରାଟ ପ୍ଲାଣ୍ଟରୁ ୧୦୦ଟି ଦେଶରେ ଏହାର ଇଲେକ୍ଟ୍ରିକ୍ ଏସୟୁଭି ଇ-ଭିଟାରର ରପ୍ତାନି କରିବ। ତେବେ ଭାରତରେ e-Vitara କେବେ ଲଞ୍ଚ କରିବ ସେ ନେଇ କୌଣସି ସୂଚନା ନାହିଁ। 

ଗୁଜରାଟ ପ୍ଲାଣ୍ଟରେ ଏକ ଇଭି ଲାଇନ ସ୍ଥାପନ କରିବା ପାଇଁ, କମ୍ପାନୀ ଆର୍ଥିକବର୍ଷ ୨୦୨୬ ସୁଦ୍ଧା ୩,୨୦୦ କୋଟି ଟଙ୍କା ନିବେଶ କରିବ। ଗୁଜରାଟରେ ଥିବା କମ୍ପାନୀର ଏହି ପ୍ଲାଣ୍ଟ ୬୪୦ ଏକର ଜମିରେ ବ୍ୟାପିଛି। ଏଠାରେ ୩ ପ୍ଲାଣ୍ଟ ରହିଥିବା ବେଳେ ଏହାର ମିଳିତ କ୍ଷମତା ବାର୍ଷିକ ୭୫୦,୦୦୦ ୟୁନିଟ୍ ରହିଛି।

ମାରୁତି ସୁଜୁକି ଇଣ୍ଡିଆର ଏକ ୟୁନିଟ୍, ସୁଜୁକି ମୋଟର ଗୁଜରାଟ (SMG) ରେ ସ୍ୱତନ୍ତ୍ର ଭାବରେ ନିର୍ମିତ, ରପ୍ତାନୀ ହେବାକୁ ଥିବା ଇ-ଭିଟାରରର ପ୍ରଥମ ବ୍ୟାଚ୍ ପିପାଭାଭ ବନ୍ଦରରୁ ୟୁରୋପୀୟ ୟୁନିୟନକୁ ପଠାଯିବ, ଏଥିରେ ୟୁନାଇଟେଡ୍ କିଙ୍ଗଡମ୍, ଜର୍ମାନୀ, ନରୱେ, ଫ୍ରାନ୍ସ, ଡେନମାର୍କ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ହଙ୍ଗେରୀ, ଆଇସଲ୍ୟାଣ୍ଡ, ଇଟାଲୀ, ଅଷ୍ଟ୍ରିଆ ଏବଂ ବେଲଜିୟମ ଭଳି ଦେଶ ରହିଛି।

ତୋଶିହିରୋ ସୁଜୁକି ଆହୁରି କହିଛନ୍ତି ଯେ କମ୍ପାନୀ ବାର୍ଷିକ ଭିତ୍ତିରେ ୫୦,୦୦୦-୧,୦୦,୦୦୦ ଇଭି ରପ୍ତାନି କରିବାକୁ ଯୋଜନା ରଖିଛି। ତେବେ ଆମଦାନୀ ବ୍ୟାଟେରୀର ମୂଲ୍ୟ ଅଧିକ ଥିବାରୁ କମ୍ପାନୀ ଘରୋଇ ବଜାରରେ ବହୁ ସଂଖ୍ୟକ ଇଭି ଛାଡ଼ିବାବାକୁ ସଂକୋଚ କରୁଛି ବୋଲି ସେ କହିଛନ୍ତି। ସୁଜୁକି ସଭାପତି କହିଛନ୍ତି ଯେ ଗୁଜରାଟ ପ୍ଲାଣ୍ଟ ଖୁବ୍ ଶୀଘ୍ର ବିଶ୍ୱର ସର୍ବବୃହତ ଅଟୋମୋବାଇଲ ନିର୍ମାଣ ହବ୍ ମଧ୍ୟରୁ ଗୋଟିଏ ହୋଇଯିବ। ଏହାର କ୍ଷମତା ୧୦ ଲକ୍ଷ ୟୁନିଟ୍ ହେବ। କମ୍ପାନୀ ଏହି ପ୍ଲାଣ୍ଟରୁ ଯୋଗାଣ ମାଧ୍ୟମରେ ଭାରତ ଏବଂ ବିଶ୍ୱ ବଜାରରେ ଗ୍ରାହକମାନଙ୍କୁ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.