ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଆହୁରି ସମୟ ଲାଗିବ, ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ

Published By : Prameya-News7 Bureau | June 16, 2025 IST

ନୂଆଦିଲ୍ଲୀ: କ୍ରିକେଟ୍‌ର ନୂଆ ଉଦୀୟମାନ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୫ ପରଠୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। ସମସ୍ତ ପ୍ରଶଂସକ ବୈଭବଙ୍କୁ ଶୀଘ୍ର ଭାରତୀୟ ଦଳର ଜର୍ସିରେ ଦେଖିବାକୁ ଚାହାନ୍ତି। କିଛି ତ ତାଙ୍କର ତୁଳନା ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସହ କରିଛନ୍ତି। ତେବେ ନିଜ ସମୟରେ ଖ୍ୟାତାନାମା ସ୍ପିନର ରହିଥିବା ତଥା ପୂର୍ବତନ ଚୟନକର୍ତ୍ତା ଭେଙ୍କଟପତି ରାଜୁଙ୍କ କହିବା କଥା ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଆହୁରି ସମୟ ଲାଗିପାରେ। ସଚିନଙ୍କ ସହ ତୁଳନାକୁ ସେ ଅଯଥା ବୋଲି କହିଛନ୍ତି।

ବୈଭବ ବର୍ତ୍ତମାନ ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟ ଏବଂ ଇଂଲଣ୍ଡ ଗସ୍ତରେ ଅଛନ୍ତି। ମାତ୍ର ୧୪ ବର୍ଷ ବୟସରେ ନିଜ ପ୍ରଦର୍ଶନ ବଳରେ କ୍ରିକେଟ୍ ଜଗତରେ ସେ ଚହଳ ପକାଇଛନ୍ତି। ଆଇପିଏଲ୍ ଇତିହାସରେ ଦ୍ଵିତୀୟ ଏବଂ ପ୍ରଥମ ଭାରତୀୟ ବ୍ୟାଟରଙ୍କ ଭାବେ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। ପୁଣି ୧୯ ବର୍ଷରୁ କମ ଭାରତୀୟ ଦଳର ଅଭ୍ୟାସ ମ୍ୟାଚ୍‌ରେ ୯୦ ବଲ୍‌ରେ ୧୯୦ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। 

କଣ ଭାରତୀୟ ଦଳରେ ସୂର୍ଯ୍ୟବଂଶୀଙ୍କୁ ଶୀଘ୍ର ସ୍ଥାନ ମିଳିପାରେ ? ପୂର୍ବତନ ସ୍ପିନର ଭେଙ୍କଟପତି ରାଜୁଙ୍କୁ ଏମିତି ଲାଗୁ ନାହିଁ। ୨୦୦୭ ଟି-୨୦ ବିଶ୍ଵକପ୍ ବିଜେତା ଦଳର ଚୟନ କରିଥିବା ଚୟନକର୍ତ୍ତା ରାଜୁ କହିଛନ୍ତି, ବୈଭବଙ୍କୁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଆହୁରି ସମୟ ଅପେକ୍ଷା କରିବାକୁ ପଡିବ। 

Also read: ଟି-୨୦ ବିଶ୍ଵକପ୍ ୨୦୨୬ ପୂର୍ବରୁ ଭାରତ ଗସ୍ତରେ ଆସିବ ଏହି ଟିମ୍, ଖେଳାଯିବ ବଡ଼ ସିରିଜ୍

ତାଙ୍କୁ ୧୯ ବର୍ଷରୁ କମ ଭାରତୀୟ ଦଳରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଘରୋଇ କ୍ରିକେଟ୍‌ରେ ନିରନ୍ତର ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ୪ ଦିନିଆ ମ୍ୟାଚ୍‌ରେ ଭଲ ଖେଳିବାକୁ ପଡ଼ିବ। ଆମେ ତାଙ୍କୁ ସମୟ ଦେବା ଦରକାର। ତାଙ୍କ ପ୍ରତିଭାକୁ ଆମେ ସମସ୍ତେ ଦେଖି ସାରିଛନ୍ତି। 

ସଚିନଙ୍କ ସହ ବୈଭବ ସୂର୍ଯ୍ୟବଂଶୀଙ୍କ ତୁଳନାକୁ ରାଜୁ ଉଚିତ୍ ମଣି ନାହାନ୍ତି। ଭାରତ ପାଇଁ ଖେଳିବା ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ଘରୋଇ କ୍ରିକେଟ୍ ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରିଛନ୍ତି ଭେଙ୍କଟପତି ରାଜୁ।  ସେ କହିଛନ୍ତି, ଏହା ପ୍ରଦର୍ଶନର ନିରନ୍ତରତା ଉପରେ ନିର୍ଭର କରେ। ସଚିନ ରଣଜୀ ଟ୍ରଫିର ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ଦୁଲୀପ ଟ୍ରଫିର ପଦାର୍ପଣରେ ବି ଶତକ ଅର୍ଜନ କରିଥିଲେ। ପୁଣି ଇରାନୀ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ତେଣୁ ଏବେ ବୈଭବଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଉଚିତ୍ ଯେ, ସେ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.