ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୬ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ଦଳ ବିରୋଧରେ ଦ୍ଵିପାକ୍ଷିକ ସିରିଜ୍ ଖେଳି ନିଜର ପ୍ରସ୍ତୁତିକୁ ବଳିଷ୍ଠ କାରିବାକୁ ଚାହୁଁଛି। ଏହି ମେଗା ଇଭେଣ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସିବ। ଦୁଇ ଦେଶ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ। ତେବେ ଦୁଇ ଦେଶ ମଧ୍ୟରେ କେବେ ସିରିଜ୍ର ଆରମ୍ଭ ହେବ ଏବଂ କେଉଁଠି ମ୍ୟାଚ୍ ଖେଳାଯିବ ତାର କ୍ରୀଡ଼ାସୂଚୀ ଘୋଷଣା କରିଛି ବିସିସିଆଇ। ଏହି ଗସ୍ତରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବ।
ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ରୁ ଦିନିକିଆ ମ୍ୟାଚ୍ ଜରିଆରେ ଆରମ୍ଭ ହେବ । ଜାନୁଆରୀ ୩୧ରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯିବ । ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୬କୁ ଦୃଷ୍ଟିରେ ରଖି ଏହି ସିରିଜ୍ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ବେଶ ଗୁୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଦୁଇ ଦେଶ ପାଇଁ ଟି-୨୦ ବିଶ୍ଵକପ୍ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍। ୨୦୨୬ ଫେବୃଆରୀ-ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଟି-୨୦ ବିଶ୍ୱକପର ଆୟୋଜନ କରୁଛନ୍ତି ।
Also read: ଜୀବିତ ରହୁ ପଟୌଦୀଙ୍କ ଲିଗାସି, ତେନ୍ଦୁଲକର-ଆଣ୍ଡରସନ ଟ୍ରଫିକୁ ନେଇ ସଚିନଙ୍କ ଖାସ୍ ଅନୁରୋଧ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଭଦୋଦରାରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ଗୁଜରାଟର ରାଜକୋଟରେ ଜାନୁଆରୀ ୧୪ରେ ଖେଳାଯିବ । ଏହା ପରେ ତୃତୀୟ ଦିନିକିଆ ଜାନୁଆରୀ ୧୮ରେ ଇନ୍ଦୋରରେ ଖେଳାଯିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଜାନୁଆରୀ ୨୧ରେ ଖେଳାଯିବ। ଏହା ପରେ ଜାନୁଆରୀ ୨୩ରେ ରାୟପୁରରେ ଦ୍ଵିତୀୟ ଟି-୨୦, ଜାନୁଆରୀ ୨୫ରେ ଗୌହାଟୀରେ ତୃତୀୟ ଟି-୨୦, ଜାନୁଆରୀ ୨୮ରେ ଭାଇଜାକରେ ଚତୁର୍ଥ ଟି-୨୦ ଏବଂ ଜାନୁଆରୀ ୩୧ରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ତ୍ରିବେନ୍ଦ୍ରମରେ ଖେଳାଯିବ।
ଭାରତ-ନ୍ୟୁଜିଲାଣ୍ଡ ସିରିଜର କାର୍ଯ୍ୟସୂଚୀ
ଜାନୁଆରୀ ୧୧- ପ୍ରଥମ ଦିନିକିଆ, ଭଦୋଦରା, ଅପରାହ୍ଣ ୧ଟା ୩୦
ଜାନୁଆରୀ ୧୪- ଦ୍ୱିତୀୟ ଦିନିକିଆ, ରାଜକୋଟ, ଅପରାହ୍ଣ ୧ଟା ୩୦
ଜାନୁଆରୀ ୧୮- ତୃତୀୟ ଦିନିକିଆ, ଇନ୍ଦୋର, ଅପରାହ୍ଣ ୧ଟା ୩୦
ଜାନୁଆରୀ ୨୧- ପ୍ରଥମ ଟି-୨୦, ନାଗପୁର, ସନ୍ଧ୍ୟା ୭ଟା
ଜାନୁଆରୀ ୨୩- ଦ୍ୱିତୀୟ ଟି-୨୦, ରାୟପୁର, ସନ୍ଧ୍ୟା ୭ଟା
ଜାନୁଆରୀ ୨୫- ତୃତୀୟ ଟି-୨୦, ଗୌହାଟୀ, ସନ୍ଧ୍ୟା ୭ଟା
ଜାନୁଆରୀ ୨୮- ଚତୁର୍ଥ ଟି-୨୦, ଭାଇଜାକ, ସନ୍ଧ୍ୟା ୭ଟା
ଜାନୁଆରୀ ୩୧- ପଞ୍ଚମ ଟି-୨୦, ତ୍ରିବେନ୍ଦ୍ରମ, ସନ୍ଧ୍ୟା ୭ଟା