ଭୁବନେଶ୍ଵର: ରାଜ୍ୟର ଅନେକ ଜିଲ୍ଲାରେ ହଇଜା ବ୍ୟାପିଛି। ଯାଜପୁରରେ ଝାଡା ବାନ୍ତି ବ୍ୟାପିବା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ। ବିରୋଧୀ ଦଳ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ କଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୮ ଦିନ ହେଲା ଝାଡା ବାନ୍ତି ଯୋଗୁଁ ଓଡିଶା ହୁଲୁସ୍ତୁଲ। ଲୋକ ମରିବା ପରେ ମନ୍ତ୍ରୀଙ୍କ ନିଦ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ଯାଜପୁର ଗସ୍ତ କରୁଛନ୍ତି।
ପ୍ରମିଳା କହିଛନ୍ତି, ଲୋକଙ୍କୁ ମେଡିକାଲରେ ଠିକ ଭାବେ ଚିକିତ୍ସା ମିଳୁନି। ବିଭାଗ ବିଭାଗ ଭିତରେ ତାଳ ମେଳ ନାହିଁ। ଜଣେ ମନ୍ତ୍ରୀ ପାଣିରୁ ବ୍ୟାପିବା କଥା କହୁଥିବା ବେଳେ ଅନ୍ୟ ଜଣେ ପାଣି କାରଣ ନୁହେଁ କହୁଛନ୍ତି । ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ଗୋଟିଏ ସମୀକ୍ଷା ବୈଠକ ବି ନେଇ ନାହାନ୍ତି।ମୃତ୍ୟୁ ସଂଖ୍ୟା ଲୁଚା ଯାଉଥିବା ଅଭିଯୋଗ ଆଣିଛନ୍ତି ପ୍ରମିଳା ମଲ୍ଲିକ। ବିଭିନ୍ନ ଗଣ ମାଧ୍ୟମରେ ମୃତ୍ୟୁ ସଂଖ୍ୟା ୯ ବୋଲି କୁହା ଯାଉଥିବା ବେଳେ ସରକାର ୭ରେ ଅଟକିଛନ୍ତି। ଏଥିରୁ ଜଣା ପଡୁଛି ଲୋକଙ୍କ ପ୍ରତି ସରକାରଙ୍କର ଆନ୍ତରିକତା ନାହିଁ।
Also read: ଜଲାପୁଟ ଜଳଭଣ୍ଡାରରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ! ଶନିବାର ଠାରୁ ଥିଲେ ନିଖୋଜ
ଡାଇରିଆକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପରୋକ୍ଷରେ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ଏହା ସହିତ ସେ ଡାଇରିଆ ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି। ନବୀନ ରବିବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି।ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି।
ସୂଚନାଯୋଗ୍ୟ, ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ବ୍ୟାପିବାରେ ଲାଗିଛି। କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୯ ରେ ୨୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କାଲି ଓ୍ବାର୍ଡ ନମ୍ବର ୧୨ ପେଣ୍ଠ ସାହିର କୃପାସିନ୍ଧୁ ମଲ୍ଲିକଙ୍କ ମେଡିକାଲରେ ମୃତ୍ୟୁ ହୋଇଛି। ସେହିଭଳି ରାଜଧାନୀର କଳିଙ୍ଗ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରୁ ୫୦ରୁ ଅଧିକ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୂଷିତ ପାଣିରୁ ସଂକ୍ରମଣ ବ୍ୟାପିଥିବା ଜଣାପଡିଛି।