News7 Logo

‘ସୂର୍ଯ୍ୟବଂଶୀ’ ଫେମ ଆଶିଷ ୱାରଙ୍ଗଙ୍କ ପରଲୋକ, ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକ

NEWS7
Ashis Warang

ମୁମ୍ବାଇ ୫।୯: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସୁଛି। ଅଭିନେତା ଆଶିଷ ୱାରଙ୍ଗଙ୍କ ପରଲୋକ ହୋଇଛି। ସେ ୫ ସେପ୍ଟେମ୍ବର ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏପରି ଅସମୟ ମୃତ୍ୟୁ ସହକର୍ମୀ ଓ ବନ୍ଧୁଙ୍କୁ ଦୁଃଖିତ କରିଛି। ସେ ବଲିଉଡ ଫିଲ୍ମରେ ଅଧିକାଂଶ ସହାୟକ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଆଶିଷ ପର୍ଦ୍ଦାରେ ତାଙ୍କ ଅଭିନୟର ଏକ ଅଲଗା ଛାପ ଛାଡିଛନ୍ତି। ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

ଆଶିଷ ବଲିଉଡର ଅନେକ ସୁପରହିଟ ଫିଲ୍ମରେ ସ୍ୱଳ୍ପ ହେଲେ ବି ସ୍ମରଣୀୟ ଭୂମିକାରେ ଅଭିନୟ କରିଛନ୍ତି। ସେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାର ଓ କ୍ୟାଟରିନା କୈଫଙ୍କ ସହିତ କାମ କରିଛନ୍ତି। ସେହିପରି ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ରେ ମଧ୍ୟ ତାଙ୍କୁ ଛୋଟ ଭୂମିକାରେ ଦେଖାଯାଇଛି। ତାଙ୍କ କ୍ୟାରିୟରର ଆଉ ଏକ ସ୍ମରଣୀୟ ଭୂମିକା ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ’ରେ ଥିଲା। ଏଥିରେ ସେ ଅତ୍ୟନ୍ତ ଛୋଟ ହେଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଜଣେ ଜୁନିୟର କଳାକାର ବା ସହାୟକ ଅଭିନେତା ରୂପେ ମଧ୍ୟ ସେ ନିଜ କାମକୁ ବେଶ ସମ୍ମାନର ସହ କରିଥାନ୍ତି। ଯାହା ତାଙ୍କୁ ସମସ୍ତଙ୍କ ନଜରରେ ସବୁଦିନ ରଖିଥାଏ। ଇଣ୍ଡଷ୍ଟ୍ରିରେ ଆଶିଷ ୱାରଙ୍ଗଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଓ ଫଲୋଅରମାନେ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି। ଏଥିରେ ଇଣ୍ଡଷ୍ଟ୍ରିର ଲୋକେ ଓ ତାଙ୍କ ସହକର୍ମୀ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଶିଷ ୱାରଙ୍ଗ ଚର୍ଚ୍ଚାରେ ରହୁନଥିଲେ ମଧ୍ୟ ଜଣେ ପରିଶ୍ରମୀ ସହାୟକ ଅଭିନେତା ଭାବେ ତାଙ୍କ ଯୋଗଦାନକୁ ଇଣ୍ଡଷ୍ଟ୍ରିରେ ସର୍ବଦା ମନେ ରଖାଯିବ।

ବଲିଉଡରେ ଅକ୍ଷୟ କୁମାରଙ୍କ ଠାରୁ ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ଷ୍ଟାରଙ୍କ ସାଙ୍ଗରେ କାମ କରିଥିବା ଆଶିଷ ୱାରଙ୍ଗ ସାଉଥ ଓ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଜଣେ ଲୋକପ୍ରିୟ କଳାକାର ଥିଲେ। ସେ ପ୍ରାୟ ଫିଲ୍ମରେ ସହାୟକ କଳାକାର ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ମଧ୍ୟରେ ‘ସୂର୍ଯ୍ୟବଂଶୀ’(୨୦୨୧), ଦୃଶ୍ୟମ (୨୦୧୫), ମର୍ଦ୍ଦାନୀ (୨୦୧୪), ଏକ ଭିଲିୟାନ ରିଟର୍ଣ୍ଣସ୍ (୨୦୨୨) ଆଦି ରହିଛି। ଏହା ଛଡା ସେ ଅନେକ ଦକ୍ଷିଣ ଭାରତୀୟ ଓ ମରାଠୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।