ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଖୁସିର ଖବର। ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ନିଜର ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଏବେ ଏସିଆ କପ୍ ଖେଳିବାକୁ ଫିଟ୍ ଘୋଷିତ ହୋଇଛନ୍ତି। ଫିଟନେସ୍ ହାସଲ କରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ମଙ୍ଗଳବାର ମୁମ୍ବାଇରେ ଚୟନ କମିଟି ବୈଠକରେ ସାମିଲ ହେବେ। ଏସିଆ କପ୍ ସେପ୍ଟେମ୍ବର ୯ରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ।
ବିସିସିଆଇ ଅନୁଯାୟୀ, ସର୍ଜରୀ ପରେ ସୂର୍ଯ୍ୟକୁମାର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ପେଟର ନିମ୍ନ ଭାଗରେ ସ୍ପୋର୍ଟ୍ସ ହାର୍ଣ୍ଣିଆର ଅସ୍ତ୍ରୋପଚାର କରାଯାଇଛି। ସର୍ଜରୀ ପରେ ମୁଁ ସୁସ୍ଥ ହେଉଛି। ମଇଦାନକୁ ଫେରିବାକୁ ଚାତକ ପରି ଚାହିଁ ରହିଛି। ୩୪ ବର୍ଷୀୟ ଏହି ଖେଳାଳି ଆଇପିଏଲ୍ ୨୦୨୫ରେ ଦମଦାର ପ୍ରଦର୍ଶନ କରି ୭୧୭ ରନ କରିଛନ୍ତି। ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।
Also read: ବ୍ରେଭିସଙ୍କୁ କିଣିବା ପାଇଁ CSK କରିଥିଲା ଆର୍ଥିକ ହେରଫେର୍ ? ଅଶ୍ୱିନଙ୍କ ଦାବି ଉପରେ ଚେନ୍ନାଇର ସ୍ପଷ୍ଟୀକରଣ
ଆସନ୍ତା ୧୯ ତାରିଖରେ ଏସିଆ କପ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯିବ। ଏହି ସମୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ସୂର୍ଯ୍ୟକୁମାର ଯାଦବ ନଜର ଆସିବେ। ଭାରତୀୟ ଦଳ ଘୋଷଣାରେ ବିଳମ୍ବ ହେବାର ମୁଖ୍ୟ କାରଣ ସୂର୍ଯ୍ୟକୁମାର ଯାଦବ ଆହତ ଥିବା କୁହାଯାଉଥିଲା। ଏବେ ଫିଟନେସ୍ ଟେଷ୍ଟରେ ପାସ୍ ହେବା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର।
ସୂଚନାଯୋଗ୍ୟ, ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବ। ଏଥର ଏସିଆ କପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ୨୦୨୫ ଏସିଆ କପ୍ ର ମ୍ୟାଚ୍ ଆବୁଧାବି ଏବଂ ଦୁବାଇରେ ଖେଳାଯିବ। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିବ। ଗ୍ରୁପ ଏରେ ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ଥିବା ବେଳେ ଗ୍ରୁପ ବିରେ ରହିଛନ୍ତି ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ।