ନୂଆଦିଲ୍ଲୀ: ଦ.ଆଫ୍ରିକାର ଷ୍ଟାର ବ୍ୟାଟର ଡେୱାଲ୍ଡ ବ୍ରେଭିସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ନେଇ ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲକେର ବଡ଼ ଦାବି କରିଥିଲେ । ସେ କହିଥିଲେ ଯେ ବ୍ରେଭିସଙ୍କୁ ଟିମରେ ସାମିଲ କରିବା ପାଇଁ ସିଏସ୍କେ ଅଧିକ ଟଙ୍କା ଦେଇଥିଲା । ଅଶ୍ୱିନଙ୍କ ଏହି ବୟାନ ପରେ ଆଇପିଏଲ୍ରେ ରିପ୍ଲେସମେଣ୍ଟ ନିୟମରେ ଗଳବାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଏପରି ହେବା ନେଇ ଆଶଂକା ପ୍ରକାଶ କରିଥିଲେ । ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ବ୍ରେଭିସଙ୍କ ସହ ତାର ଚୁକ୍ତିକୁ ନେଇ ସ୍ପଷ୍ଟୀକରଣ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ସିଏସ୍କେ ଟିମ୍ରେ ଅଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୫ରେ ଫାଷ୍ଟ ବୋଲର ଗୁରଜପନୀତ ସିଂହଙ୍କ ବଦଳରେ ଡେୱାଲ୍ଡ ବ୍ରେଭିସଙ୍କୁ ଟିମରେ ସାମିଲ କରିଥିଲା । ଅଶ୍ୱିନ ଦାବି କରିଥିଲେ ଯେ ଚେନ୍ନାଇ ବ୍ରେଭିସଙ୍କୁ କିଣିବା ପାଇଁ ଅଧିକ ଟଙ୍କା ଦେଇଥିଲା । ବ୍ରେଭିସଙ୍କୁ ଚେନ୍ନାଇ ୨.୨ କୋଟି ଟଙ୍କାରେ କିଣିଥିଲା । ଅଶ୍ୱିନ କହିଥିଲେ ବ୍ରେଭିସ୍ ଏଜେଣ୍ଟ ଜରିଆରେ ଅଧିକ ଡିମାଣ୍ଡ କରିଥିଲେ, ଯାହାକୁ ଚେନ୍ନାଇ ପୂରଣ କରିଥିଲା । ଏବେ ସିଏସକେ ଏହି ଦାବିକୁ ଖଣ୍ଡନ କରି ରିପ୍ଲେସମେଣ୍ଟ ଆଇପିଏଲ୍ ନିୟମ ଅନୁସାରେ ହୋଇଛି ବୋଲି କହିଛି ।
ପ୍ରାଞ୍ଚଇଜ୍ ମିଡିଆ ରିଲିଜରେ କହିଛି, 'ଚେନ୍ନାଇ ସୁପର କିଙ୍ଗ୍ସ ସ୍ପଷ୍ଟ କରୁଛି ଯେ ଆଇପିଏଲ୍ ୨୦୨୫ ବେଳେ ଡେୱାଲ୍ଡ ବ୍ରେଭିସଙ୍କୁ ରିପ୍ଲେସମେଣ୍ଟ ଖେଳାଳି ଭାବେ ଚୁକ୍ତି କରାଯିବା ପ୍ରକ୍ରିୟା ଆଇପିଏଲ୍ ନିୟମ ଓ ମାର୍ଗଦର୍ଶିକା ଅନୁସାରେ ଥିଲା ।'
ଆଇପିଏଲ୍ର ବର୍ତ୍ତମାନ ନିୟମ ଅନୁସାରେ କୌଣସି ରିପ୍ଲେସମେଣ୍ଟ ଖେଳାଳିଙ୍କ ଅନୁବନ୍ଧିତ ରାଶି ସେହି ଖେଳାଳିଙ୍କ ମୂଲ୍ୟଠାରୁ ଅଧିକ ହେବ ନାହିଁ, ଯାହାଙ୍କ ସ୍ଥାନରେ ସେ ଟିମରେ ସାମିଲ ହେବାକୁ ଯାଉଛନ୍ତି । ବ୍ରେଭିସ ମେଗା ନିଲାମୀରେ ବ୍ରିକି ହୋଇନଥିଲେ, କିନ୍ତୁ ସିଏସ୍କେ ଏପ୍ରିଲ୍ ୧୮ରେ ତାଙ୍କୁ ୭୫ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ ଉପରେ ୨.୨ କୋଟି ଟଙ୍କାରେ ନିଜ ଟିମରେ ସାମିଲ କରିଥିଲା ।