ଅଷ୍ଟ୍ରେଲିଆ ବଣ୍ଡି ବିଚ୍ ଗୁଳିକାଣ୍ଡ; ଆକ୍ରମଣକାରୀକୁ ନେଇ ବଡ଼ ଖୁଲାସା,୨୭ ବର୍ଷରେ ତିନି ଥର ଆସିଥିଲା ଭାରତ

NEWS7
sunita-williams-rejects-elon-musks-proposal-for-iss-retirement

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବଣ୍ଡି ବିଚ୍ ଗଣହତ୍ୟା ସାରା ଦୁନିଆ ସ୍ତବ୍ଧ କରିଛି । ମାନବତା ଉପରେ ଏଭଳି ଜଘନ୍ୟ ଆକ୍ରମଣକୁ ସବୁଠି ନିନ୍ଦା କରାଯାଉଛି । ଏହାରି ଭିତରେ ହତ୍ୟାକାରୀଙ୍କ ପରିଚୟକୁ ନେଇ ଭିନ୍ନ ଭିନ୍ନ ଦାବି ହେଉଛି । ଦୁଇ ହତ୍ୟାକାରୀ ବାପା-ପୁଅ ଥିବା ସ୍ପଷ୍ଟ ହୋଇସାରିଛି । ଦ ପ୍ରିଣ୍ଟର ରିପୋର୍ଟ ଅନୁସାରେ ବଣ୍ଡି ବିଚ୍ ଗଣହତ୍ୟାରେ ସାମିଲ ସାଜିଦ୍ ଆକ୍ରମ ଭାରତର ମୂଳ ବାସିନ୍ଦା ଥିଲା ଏବଂ ୧୯୯୮ରେ ଅଷ୍ଟ୍ରେଲିଆ ପଳାୟନ କରିଥିଲା । ତେବେ  ପୁଅ ନାଭିଦ୍ ଆକ୍ରମ ଅଷ୍ଟ୍ରେଲିଆରେ ଜନ୍ମିତ ।

ବଣ୍ଡି ବିଚ୍ ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୯ ଜଣ ଏବେ ବି ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଘଟଣା ଦିନ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହତ୍ୟାକାରୀ ସାଜିଦର ମୃତ୍ୟୁ ହୋଇଥିଲା । ଦ ପ୍ରିଣ୍ଟର ରିପୋର୍ଟ ଅନୁସାରେ ୫୦ ବର୍ଷୀୟ ସାଜିଦ୍ ଆକ୍ରମର ସମ୍ପର୍କ ତେଲଙ୍ଗାନାର ହାଇଦ୍ରାବାଦ ସହ ରହିଛି । କେବଳ ଏତିକି ନୁହେଁ, ସେ ଅନେକ ଥରେ ଭାରତ ମଧ୍ୟ ଯିବା ଆସିବା କରିଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ ସାଜିଦ ପୁରୁଣା ହାଇଦ୍ରାବାଦର ଏବଂ ସେଠାରେ ତାର ସମ୍ପର୍କୀୟ ଏବେ ବି ଅଛନ୍ତି । ଶେଷ ଥର ପାଇଁ ସେ ୨୦୨୨ରେ ଭାରତ ଆସିଥିଲା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଅଲବାନିଜ ସିଡନୀ ବଣ୍ଡି ବିଚ୍ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ଅଧିକାରୀ କହିଛନ୍ତି, ଦୁଇ ଆକ୍ରମଣକାରୀଙ୍କ ବିଷୟରେ ଅଧିକ ତଥ୍ୟ ପାଇଁ ଭାରତ ସହ ଯୋଗାଯୋଗ କରାଯାଇଛି । ସାଜିଦ ଗତ ୨୭ ବର୍ଷ ମଧ୍ୟରେ ତିନି ଥର ଭାରତ  ଯାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଫିଲିପିନ୍ସ ଇମିଗ୍ରେସନ ବ୍ୟୁରୋ ତଥ୍ୟକୁ ନେଇ ରଏଟର୍ସକୁ କହିଛି, ଦୁହେଁ ଗତ ମାସରେ ଦେଶକୁ ଯାତ୍ରା କରିଥିଲେ । ସାଜିଦ ଭାରତୀୟ ପାସପୋର୍ଟରେ ଯାତ୍ରା କରିଥିଲା । ପୁଅ ନାଭିଦ୍ ଅଷ୍ଟ୍ରେଲିଆ ପାସପୋର୍ଟରେ ଥିଲା । ବ୍ୟୁରୋ ମୁଖପାତ୍ର କହିଛନ୍ତି, ସେମାନେ ଆକ୍ରମଣର ସପ୍ତାହ ପୂର୍ବରୁ ନଭେମ୍ବର ୨୮ରେ ସମାନ ବିମାନରେ ଆସିଥିଲେ ଏବଂ ଫେରିଥିଲେ ।

ମଙ୍ଗଳବାର ନ୍ୟୁ ସାଉଥ୍ ୱେଲ୍ସ ପୋଲିସ କମିଶନର ମାଲ ଲାନିଅନ ମଧ୍ୟ ବଡ଼ ଖୁଲାସା କରିଛନ୍ତି । ଦୁଇଜଣଙ୍କ ଗାଡିରୁ ବିସ୍ଫୋରକ ଏବଂ ଦୁଇଟି ଆଇଏସଆଇଏସ ପତାକା ମିଳିଛି । ଗାଡ଼ି ନାଭିଦ ନାମରେ ପଞ୍ଜିକୃତ ହୋଇଥିବା ସ୍ପଷ୍ଟ ହୋଇଛି । ବାପା-ପୁଅଙ୍କ ଫିଲିପିନ୍ସ ଗସ୍ତକୁ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଫିଲିପିନ୍ସ ଯାତ୍ରା ଏବଂ ଆଇଏସଆଇଏସ ସହିତ ସେମାନଙ୍କର ସମ୍ପର୍କ ଉପରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି ।