ପୁରୀ ୦୫।୧୧ : ବୁଧବାର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶ୍ରଦ୍ଧାଳୁମାନେ ବଗଲା ଧର୍ମଶାଳାଠାରୁ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ୱାରରେ ପହଞ୍ଚିବେ। ସେଠାରୁ ବାଇଶିପାହାଚ ଦେଇ କୀର୍ତ୍ତନ ଚକଡ଼ାରେ ପହଞ୍ଚିବେ। ସେଠାରେ ବ୍ୟାରିକେଡ୍‌ରେ ଶ୍ରଦ୍ଧାଳୁଙ୍କୁ ଦଫା ଦଫା କରି ସାତପାହାଚ ଦେଇ ନାଟମଣ୍ଡପକୁ ଛଡ଼ାଯିବ। ଠାକୁରଙ୍କ ଦର୍ଶନ ସମୟରେ ଯେପରି ଠେଲାପେଲା ନହୁଏ ସେଥିପାଇଁ ବରିଷ୍ଠ ପୁଲିସ୍‌ ଅଧିକାରୀ ମୁତୟନ ରହିବେ।

ସେହିପରି ଦର୍ଶନ ସାରି ଶ୍ରଦ୍ଧାଳୁମାନେ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଦେଇ ବାହାରକୁ ଆସିବେ। ପ୍ରଥମ ଭୋଗମଣ୍ଡପରେ ଅର୍ଥାତ୍‌ ଅପରାହ୍ଣ ପ୍ରାୟ ୩ଟା ପରେ ଭିତରକାଠ ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି। ଦିଗବାରେଣୀ ଛକଠୁ ଯାତ୍ରୀକା ପାର୍କିଂ ଅଞ୍ଚଳକୁ ନୋ-ଭେଇକିଲ ଜୋନ୍‌ ଘୋଷଣା କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଓ ପାର୍ବତୀ ପୁଷ୍କରିଣୀ ଲାଗି ୪୫ରୁ ଉଦ୍ଧ୍ୱର୍ ଅଗ୍ନିଶମ କର୍ମଚାରୀ ମୁତୟନ କରାଯାଇଛି। ୬ଟି ଡଙ୍ଗା, ଲାଇଫ ଜ୍ୟାକେଟ ସହ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ସେହିଭଳି ମହୋଦଧିରେ ୩୦୦ରୁ ଊଦ୍ଧ୍ୱର୍ ଘରୋଇ ଲାଇଫ୍‌ଗାର୍ଡ, ୬୭ ଜଣ ସରକାରୀ ଲାଇଫଗାର୍ଡ, ୨ଟି ଏଟିଭି ଗାଡ଼ି, ଗୋଟିଏ ଜେଟ୍‌ସ୍କି ସମେତ ଅଗ୍ନିଶମ କର୍ମଚାରୀ ମୁତୟନ ରହିଛନ୍ତି ।