ନୂଆଦିଲ୍ଲୀ: ପ୍ରଥମେ ରାଜନାଥ ସିଂହ ଏବେ ସେନା ମୁଖ୍ୟ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଭାରତର ପଶ୍ଚିମ ପଡ଼ୋଶୀ ଆତଙ୍କବାଦ ବନ୍ଦ କରୁ ନହେଲେ ଏହାର ଐତିହାସିକ ଓ ଭୌଗଳିକ ଇତିହାସ ବିପଦରେ ପଡ଼ିଯିବ ବୋଲି ଭାରତୀୟ ଆର୍ମି ଚିଫ୍ ଜେନେରାଲ୍ ଉପେନ୍ଦ୍ର ଦ୍ୱିୱେଦୀ ଶୁକ୍ରବାର କହିଛନ୍ତି। ପାକିସ୍ତାନକୁ ଚେତାବନୀ ଦେଇ ଦ୍ୱିୱେଦୀ ଆହୁରି କଠୋର କରି କହିଛନ୍ତି ଯେ ଭାରତ ଅପରେସନ୍ ସିନ୍ଦୁର ୧. ସମୟରେ ଯେପରି ସଂଜମତା ଦେଖାଇଥିଲା, ସେପରି କୌଣସି ସଂଯମତା ଦେଖାଇବ ନାହିଁ।

ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦ୍ୱିୱେଦୀ କହିଛନ୍ତି ଯଦି ପାକିସ୍ତାନ ବିଶ୍ୱ ଇତିହାସ ଏବଂ ଭୂଗୋଳରେ ଏକ ସ୍ଥାନ ବଜାୟ ରଖିବାକୁ ଚାହୁଁଛି, ତେବେ ତାକୁ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବାକୁ ପଡିବ। ଆମେ ଅପରେସନ ସିନ୍ଦୁର ୧. ସମୟରେ ଯେପରି କରିଥିଲୁ, ଏଥର କୌଣସି ପ୍ରକାରର ସଂଯମତା ଦେଖାଇବୁ ନାହିଁ ଏବଂ ଯଦି ପୁଣି ଥରେ ଉସୁକା ଯାଏ ତେବେ ଆମେ ଆଉ ଏକ ପାଦ ଆଗକୁ ବଢ଼ିବୁ। ଏତର ଏତେ ଜୋରରେ ମାରିବୁ ଯେ ପାକିସ୍ତାନକୁ ଭାବିବାକୁ ପଡ଼ିବ ଯେ ସେ ଇତିହାସ ଓ ଭୂଗୋଳରେ ନିଜର ସ୍ଥାନ ବଜାଇ ରଖିବାକୁ ଚାହୁଁଛି କି ନାହିଁ।

ମେ ୭ ତାରିଖରେ ଅପରେସନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ୯ଟି ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଧ୍ୱଂସ କରି ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଦେଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ବି ଜୀବନ ଯିବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ଏହି ପଦକ୍ଷେପ ନେଇଥିଲା। ହେଲେ ପାକିସ୍ତାନର ସେନାର କୌଣସି କ୍ଷତି ପହଞ୍ଚାଇ ନଥିଲା କି ସେଠାରେ ସାଧାରଣ ନାଗରିକଙ୍କର କ୍ଷତି କରି ନଥିଲା ଭାରତୀୟ ସେନା।

ହେଲେ ଭାରତର ଆକ୍ରମଣର ଜବାବ ଦେଇ ପାକିସ୍ତାନ ମଧ୍ୟ ଭାରତ ଉପରେ ଆକ୍ରମଣ କରିଥିଲା। ସୀମାବର୍ତ୍ତି ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଥିଲା। ତେବେ ଭାରତୀୟ ସେନା ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରି ଦେଇଥିଲା। ତଥାପି ଏଥିରେ କିଛି  ସୀମାବର୍ତ୍ତି ଲୋକଙ୍କର ଜୀବନ ଯାଇଥିଲା।

 ତେବେ ପୁଣିଥରେ ପାକିସ୍ତାନ ଉପରେ ଆକ୍ରମଣ ଆଶଙ୍କା ନେଇ ଜେନେରାଲ ଦ୍ୱିବେଦି ସଂକେତ ଦେଇଥିଲେ। ଏବଂ ସେନାକୁ ପ୍ରସ୍ତୁତ ରହିବାକୁ ସେ ଅହ୍ୱାନ ଦେଇ କହିଛନ୍ତି ଦୟାକରି ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହନ୍ତୁ। ଭଗବାନଙ୍କ ଇଚ୍ଛା ହେଲେ ଆପଣଙ୍କୁ ଖୁବ୍ ଶୀଘ୍ର ଆଉ ଏକ ସୁଯୋଗ ମିଳିବ। ଶୁଭକାମନା। ଜୟ ହିନ୍ଦ।

ଏହା ପୂର୍ବରୁ ବାୟୁସେନା ମୁଖ୍ୟ ଏପି ସିଂହ ଅପରେସନ ସିନ୍ଦୂର ନେଇ ବଡ଼ ଖୁଲାସା କରିଛନ୍ତି। ଏହି ଲଢ଼େଇରେ ଭାରତ ଆମେରିକା ନିର୍ମିତ F-16 ଏବଂ ଚୀନ୍ ଜେଏଫ-17 ସମେତ ୮ ରୁ ୧୦ ପାକିସ୍ତାନୀ ଲଢ଼ୁଆ ବିମାନ ଧ୍ୱଂସ କରି ଦେଇଥିଲା ବୋଲି ସେ କହିଛନ୍ତି।